କୁହାଯାଏ, ୧୫୬୮ ମସିହା ପୂର୍ବରୁ ମାଆ ମାଟିଆ ମଙ୍ଗଳା ଏଠାରେ ପୂଜା ପାଇ ଆସୁଛନ୍ତି । ମା' ମଙ୍ଗଳାଙ୍କ ଆଜ୍ଞାରେ ବାରଗାଁର ୧୨ଟି ଗାଁରେ ଧାନ କୁଟିବା ପାଇଁ ଲୋକମାନେ ଢିଙ୍କି ପରିବର୍ତ୍ତେ ପାହୁରାଣୀ ବ୍ୟବହାର କରନ୍ତି । ଲୋକକଥା ଅନୁଯାୟୀ ଦିନେ ଶଙ୍ଖା ବିକ୍ରି ପାଇଁ ବାରଗାଁକୁ ଆସିଥାନ୍ତି ଜଣେ ବୁଢ଼ା ଶଙ୍ଖାରୀ । ଉଦୁଉଦୁଆ ଖରାବେଳେ ଜଣେ ଝିଅ ତାଙ୍କ ପାଖରୁ କିଛି ଶଙ୍ଖା ରଖିଲେ । ଶଙ୍ଖାରି ପାଉଣା ମାଗିବାରୁ ସେ କହିଲେ ଏହି ଗାଁ ଶେଷ ମୁଣ୍ଡରେ ଶ୍ରୀମନ୍ତ ରାଉଳଙ୍କ ଘର । ସେ ତାଙ୍କ ବାପା, ତାଙ୍କ ପାଖରୁ କଉଡି ନେଇଯିବେ ।
ଏହା ଶୁଣି ବୁଢା ଶଙ୍ଖାରୀ ଶ୍ରୀମନ୍ତ ରାଉଳ ଘରେ ପହଁଚି କଉଡ଼ି ମାଗିବାରୁ ଆଶ୍ଚର୍ଯ୍ୟ ହୋଇଗଲେ ଗାଁ ଲୋକେ । କାରଣ ଶ୍ରୀମନ୍ତ ରାଉଳ ବାହା ହୋଇ ନଥିଲେ, ତାଙ୍କର ଝିଅ ଆସିବ କେଉଁଠୁ । ସେହି ଝିଅକୁ ଖୋଜି ଖୋଜି ଗାଁର ଲୋକମାନେ ସେହି ସ୍ଥାନରେ ପହଁଚି ଦେଖନ୍ତି, ସେଠାରେ ସ୍ୱୟଂ ମା’ମଙ୍ଗଳା ଶଙ୍ଖା ପିନ୍ଧି ଆବିର୍ଭାବ ହୋଇଛନ୍ତି । ସେବେଠାରୁ ମା’ ମାଟିଆ ମଙ୍ଗଳା ନାମରେ ମାଆ ପୂଜା ପାଇ ଆସୁଛନ୍ତି ।
ଇତିହାସ କହେ ୧୩୩0 ମସିହାରୁ କନିକା ରାଜା ଭଞ୍ଜଦେବ ବଂଶ ମା'ଙ୍କ ପୂଜା ଓ ନୀତିକାନ୍ତି ପାଇଁ ଯେଉଁ ଭୁସମ୍ପତି ଦାନ ଲାରିଥିଲେ ଏବେ ନଦୀ ଗର୍ଭରେ ! ପ୍ରତିଦିନ ମା'ଙ୍କ ପୀଠକୁ ଓଡିଶାର କୋଣ ଅନୁକୋଣରୁ ଛୁଟି ଆସିଥାନ୍ତି ଶ୍ରଦ୍ଧାଳୁ । ବିଷୁବ ସଂକ୍ରାନ୍ତି ଦିନ ଏହି ପୀଠରେ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହୋଇଥାଏ । ମାଆଙ୍କ ପୀଠରେ ସକାଳ ଭୋଗ ସହ ମଧ୍ୟାହ୍ନରେ ଖିରି, ଖେଚୁଡି ଓ ଆମିଷ ଭୋଗ ମା'ଙ୍କ ପାଖରେ ଲାଗି ହୁଏ । ପ୍ରତ୍ୟେକ ମଙ୍ଗଳବାର ଦିନ ମା'ଙ୍କୁ ପୋଡପିଠା ଭୋଗ ଦିଆଯାଏ । ପ୍ରଥମାଷ୍ଟମୀରେ ମା' ନୂଆ ଲୁଗା ପିନ୍ଧି ପଢୁଆଁ ହୋଇଥାନ୍ତି । ଭକ୍ତି ଭାବ ନେଇ ମାଆଙ୍କୁ ଯିଏ ଯାହା ମାଗିଛି, ତାର ମନୋକାମନା ପୂର୍ଣ୍ଣ ହୋଇଥାଏ ବୋଲି ବିଶ୍ୱାସ ରହିଛି ।
ତେବେ ଏହି ଶକ୍ତିପୀଠକୁ ଦେଖିଲେ ଏହା ଅବହେଳିତ ହୋଇ ରହିଥିବା ଜଣାପଡ଼େ । ଜାତୀୟ ଉଦ୍ୟାନ ଭିତରକନିକାକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାର ପାର୍ଶ୍ୱରେ ଅବସ୍ଥାପିତ ଏହି ଶକ୍ତିପୀଠକୁ ପର୍ଯ୍ୟଟନସ୍ଥଳୀର ମାନ୍ୟତା ଦେଲେ ଏହାର ଭିତ୍ତିଭୂମି ଆହୁରି ବିକାଶିତ ହୋଇପାରିବ ବୋଲି ବୁଦ୍ଧିଜୀବୀ ମାନେ ମତ ଦେଇଛନ୍ତି ।