
ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାର ଏକମାତ୍ର ଶିଳ୍ପ କାରଖାନାରେ ଝୁଲୁଛି ତାଲା । ଆଜିକୁ ପ୍ରାୟ 35 ବର୍ଷ ଧରି କାର୍ଯ୍ୟ କରି ଆସୁଥିବା ଜିଲ୍ଲାର ଏକ ମାତ୍ର ଶିଳ୍ପାନୁଷ୍ଠାନ ମଙ୍ଗଳମ ଟିମ୍ବର ଆଜି ଜରାଜୀର୍ଣ୍ଣ ଅବସ୍ଥାରେ । ଯାହା ଫଳରେ କାମ ହରାଇଥିବା କର୍ମଚାରୀଙ୍କ ମୁଣ୍ଡରେ ପଡ଼ିଛି ଚଡକ । ବକେୟା ପାଉଣା ନପାଇ ଦୁଃଖ ଦୁର୍ଦ୍ଦଶାରେ ଦିନ କାଟୁଛନ୍ତି ଏଠାରେ କାମ କରୁଥିବା କର୍ମଚାରୀ ।
1986 ମସିହାରେ ନବରଙ୍ଗପୁର ଜିଲ୍ଲାରେ ପ୍ରତିଷ୍ଠା ହୋଇଥିଲା ଆଦିତ୍ୟ ବିର୍ଲା ଗ୍ରୁପ ଅଫ ଇଣ୍ଡରଷ୍ଟ୍ରିର ମଙ୍ଗଳମ ଟିମ୍ବର । ନୀଳଗିରି ଓ ଆକାସିଆ ଗଛ କାଠରୁ ପ୍ଲାଏ ବୋର୍ଡ ଉତ୍ପାଦନ କରାଯାଇ ଉତ୍ପାଦିତ ଦ୍ରବ୍ୟକୁ ରାଜ୍ୟ ସମେତ ଦେଶ ବିଦେଶକୁ ରପ୍ତାନି କରାଯାଉଥିଲା । ତେବେ ପ୍ରାୟ 10 ମାସ ହେବ ସମ୍ପୂର୍ଣ୍ଣ ଭାବେ ବନ୍ଦ ହୋଇ ପଡିରହିଛି ଏହି ମଙ୍ଗଳମ ଟିମ୍ବର । ଫଳରେ କମ୍ପାନୀ ପାଇଁ ପ୍ରଚେଷ୍ଟା ଜାରୀ ରଖିଥିବା ଶ୍ରମିକଙ୍କ ଜୀବନ ଆଜି ଅନ୍ଧକାର ଭିତରେ ।
