ଘଟଣାକ୍ରମ ବାବଦରେ ଆପଣ ଟିକେ ଟିକେ ଅବଗତ ଥିବେ। ୨ ଦିନ ତଳେ ଜଣେ SWIGGY ଡେଲିଭେରି ବଏ, ଯାହାଙ୍କ ନାଁ ପତିତପାବନ ସିଏ କୁଆଡେ ଉଭାନ ହେଇଗଲେ। ଦୟା ନଦୀ କୂଳରେ ତାଙ୍କ ପେଣ୍ଟ ସାର୍ଟ ପଡିଥିଲା। ଯାହାକୁ ଦେଖି ସବୁ କହିଲେ ତାଙ୍କୁ ଅପହରଣ କରାଯାଇଛି। ଏପରିକି ସେ ନିଜ ଫୋନରେ ପତ୍ନୀଙ୍କୁ ଏ ବାବଦରେ ଭିଡିଓ କଲ କରି ମଧ୍ୟ କହିଥିଲେ। ହେଲେ କମିଶନରେଟ୍ ପୁଲିସ ତନାଘନା କରିବାକୁ ଡେଲିଭେରି ବଏ ମଧ୍ୟପ୍ରଦେଶରୁ ଧରା ପଡିଲେ। ତାଙ୍କୁ କେହି କିଡନାପ କରି ନ ଥିଲେ ମଧ୍ୟ ଏପଟେ ଏକ ଦମ୍ପତି ତାଙ୍କ ଝିଅ ଅପହରଣ ହୋଇଥିବା କଥା ଥାନାରେ ଅଭିଯୋଗ କରିଥିଲେ। ଆଉ ମଧ୍ୟପ୍ରଦେଶରୁ ପତିତପାବନ ଧରାପଡିବା ବେଳେ ତାଙ୍କ ସହ ଥିଲେ ଖୁଦୁରୁକୁଣୀ କରିଥିବା ସେହି ଯୁବତୀ ଜଣକ।
କଥା ମଧ୍ୟପ୍ରଦେଶରୁ ଓଡ଼ିଶା ପହଞ୍ଚିଲା ବେଳକୁ ସବୁ ସତ ଚାରିଆଡୁ ବାନ୍ତି ହେଲାଣି। ଯେଉଁ ଝିଅକୁ ଅପହରଣ କରାଯାଇଛି ବୋଲି ତା ବାପା, ବୋଉ ଅଭିଯୋଗ କରୁଛନ୍ତି, ସେ ଝିଅ କହୁଛି ପ୍ରେମର କଥା। ଏ ଡେଲିଭେରି ବଏଙ୍କ ନିକ୍ ନେମ୍ ଚିକୁ। ସେଇ ଚିକୁ ତାଙ୍କୁ ବହଲେଇ ଫୁସୁଲେଇ ନେଇ ଯାଇଥିବା ବୋଲି ଝିଅଟି ଅଭିଯୋଗ କରୁଛି। ଏବେ ବାହା ନ ହେଲେ ଚିକୁ ଜେଲ୍ ଯିବ ବୋଲି ଝିଅର କ୍ଷୋଭ ଖୋଲାଖୋଲି କହୁଛି।
ସେପଟେ କନ୍ୟାରତ୍ନଙ୍କୁ ଜନ୍ମ ଦେଇଥିବା ପିତା-ମାତାଙ୍କ ଅଭିଯୋଗ ଏମିତିକିଆ। ସେ ଟୋକା ଚିକୁ କୁଆଡେ ତାଙ୍କ ଗାଁକୁ ଆସେ, ତାଙ୍କ ଝିଅ ଖୁସି(ଛଦ୍ମନାମ)କୁ ପ୍ରେମ ଶିଖେଇଲା, ଚିଠି ପଠେଇଲା, ମରିଯିବ କହିଲା। ତା ପରେ ରବିବାର ଖୁଦୁରୁକୁଣୀରେ କାହାଣୀ ଶୁଣେଇ ଉଠେଇ ନେଲା।
ଧରାଯାଉ ତାଙ୍କ କଥା ସତ। ହେଲେ ଚିକୁର ପତ୍ନୀକୁ ବୁଝାଇବ କିଏ। ସେ ଝିଅ ସିଆଡେ ନିଆଁବାଣ ହେଲାଣି। କହିଲେଣି, ମୋ ସ୍ବାମୀ ଭଦ୍ର ଲୋକ । ସେ ଖୁସି ଆଉ ତା ପରିବାର ଲୋକ ନାଟର ଗୋବର୍ଦ୍ଧନ, ଯିଏ ମୋ ଧନକୁ ଛଡେଇ ନେବାକୁ ବସିଛନ୍ତି। ମୋ ସ୍ବାମୀ ମତେ ଦରକାର।
ଏବେ କୁହନ୍ତୁ ହବ କ’ଣ ?
ପ୍ରେମିକା କହୁଛି ଚିକୁ ମୋର। ସ୍ତ୍ରୀ କହୁଛି ମୋର ସ୍ବାମୀ ଦରକାର। ଏ ଦୁଇ ପ୍ରଶ୍ନର ଉତ୍ତର ଏବେ ପୁଲିସ ପାଖରେ। ଯାହା ହବ ପରବର୍ତ୍ତି ଖବରରେ ଆମେ ଆପଣଙ୍କୁ ଜଣାଇଦେବୁ।