ଏହି ମନ୍ଦିରକୁ ନେଇ ରହିଛି ଅନେକ କିମ୍ୱଦନ୍ତୀ ଓ ଅନେକ ଲୋକକଥା । କିମ୍ବଦନ୍ତି ଅନୁସାରେ ପାରଳା ରାଜା ପୁରୀରୁ ଫେରୁ ଥିବା ସମୟରେ ମନ୍ଦିର ଚୁଡାରେ ଥିବା ଶିବଙ୍କ ତ୍ରିଶୂଳ ଘୋଡାର ଟାପୁରେ ବାଜି ଘୋଡ଼ା ପଡିଯାଇଥିଲା । ଆଉ ତାପରେ ରାଜାଙ୍କ ସୈନ୍ୟ ସାମନ୍ତ ଉକ୍ତ ଜାଗାକୁ ଖୋଳିବାକୁ ଲାଗିଥିଲେ । ଏବଂ ବାଲି ମଧ୍ୟରୁ ଏହି ମନ୍ଦିରକୁ ଖୋଳି ବାହାର କରିଥିଲେ । ସେବେଠାରୁ ଏଠାରେ ବାଲିଲୋକନାଥ ଭାବେ ପୂଜା ପାଉଛନ୍ତି ବାବା ମହାଦେବ ।
ଅନ୍ୟ ଏକ ପୁରାଣ କଥା ଅନୁସାରେ ପ୍ରଭୁ ରାମଚନ୍ଦ୍ର ଲଙ୍କା ଅଭିଯାନ ସମୟରେ ଏଠାରେ ବାଲିରେ ଲିଙ୍ଗ ସ୍ଥାପନ କରି ଶିବଙ୍କୁ ପୂଜାର୍ଚ୍ଚନା କରିଥିଲେ । ପାରଳା ରାଜା ଏହି ମନ୍ଦିରକୁ ଉଦ୍ଧାର କରିବା ପରଠାରୁ ୧୦୦ମାଳି ସେବାୟତଙ୍କ ଦ୍ଵାରା ଏଠାରେ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା ହୋଇଆସୁଅଛି ।
ତେବେ ଶହ ଶହ ବର୍ଷର ଏହି ପୁରାତନ ମନ୍ଦିର ଏବେ ଅବହେଳିତ ଅବସ୍ଥାରେ ରହିଛି । ମନ୍ଦିର ଚତୁଃପାର୍ଶ୍ୱରେ ଥିବା ବାଲି ଯୋଗୁଁ ମନ୍ଦିରଟି ପୋତି ହୋଇଯାଉଛି । ଯାହା ଦ୍ୱାରା ମନ୍ଦିରର ଶୋଭା ହ୍ରାସ ପାଉଛି । କିଛି ଦିନ ତଳେ ଗଞ୍ଜାମ ଜିଲ୍ଲାପାଳ ଏହି ମନ୍ଦିର ପରିଦର୍ଶନରେ ଯାଇଥିବାବେଳେ ମନ୍ଦିରର ଏପରି ଅବସ୍ଥା ଦେଖି ରଙ୍ଗକାର୍ଯ୍ୟ ପାଇଁ ଦେଢ଼ ଲକ୍ଷ ଟଙ୍କାର ଅନୁଦାନ ଦେଇଥିଲେ । ଏହାପରେ ଆଉ ସେମିତି କିଛି ମନ୍ଦିରକୁ ଅନୁଦାନ ମିଳିନାହିଁ । ତେବେ ପ୍ରତ୍ୟକ ଦିନ ପର୍ଯ୍ୟଟକଙ୍କ ଭିଡ଼ ଲାଗି ରହୁଥିବାବେଳେ ଆନୁଷଙ୍ଗିକ ବ୍ୟବସ୍ଥା ନଥିବା ଯୋଗୁ ଅସନ୍ତୋଷ ପ୍ରକାଶ କରୁଛନ୍ତି ପର୍ଯ୍ୟଟକ ।
ଆହୁରି ପଢନ୍ତୁ ଓଡିଶା ଖବର...