ଶ୍ରୀ ବଳଭଦ୍ର, ଦେବୀ ସୁଭଦ୍ରା ଓ ଶ୍ରୀ ଜଗନ୍ନାଥଙ୍କ ବିଗ୍ରହରେ ସୁବର୍ଣ୍ଣଯୁକ୍ତ ହୀରା, ନୀଳା ଓ ପ୍ରପନ୍ନ(ପନ୍ନା) ଜଡ଼ିତ ଦୁର୍ଲଭ ଧାତବ ଚିତାମାନ ଲାଗି କରାଯାଇଥାଏ। ଏହି ସମୟରେ ମହାପ୍ରଭୁଙ୍କ ପାଖରେ ପାରମ୍ପରିକ ଚିତଉ ପିଠା ପ୍ରସାଦ ଭାବେ ଲାଗି କରାଯାଇଥାଏ। ଏଇଥି ପାଇଁ ଓଡ଼ିଆ ଘରେ ମଧ୍ୟ ଚିତାଉ ପୀଠା ଭୋଗ ହୁଏ। ଶ୍ରାବଣ ଅମାବାସ୍ୟା ଓଡ଼ିଶାରେ ଚିତାଲାଗି ଅମାବାସ୍ୟା ଭାବେ ପାଳିତ ହେଉଥିବା ବେଳେ ଉତ୍ତର ଭାରତରେ “ହରିଆଲି ଅମାବାସ”, ଆନ୍ଧ୍ରପ୍ରଦେଶରେ “ଚୁକ୍କଲା ଅମାବାସ୍ୟାମ୍”, ମହାରାଷ୍ଟ୍ରରେ “ଗଟ୍ରି ଅମାବାସ୍” ଏବଂ କର୍ଣ୍ଣାଟକରେ “ଭିମାନୀ ଅମାବାସମ୍” ବା “ଦିୱସି ଗୌରୀ ପୂଜନ” ଆଦି ନାମରେ ପାଳନ କରାଯାଇଥାଏ।
ଠାକୁରଙ୍କ ଚିତା କେଉଁଥିରେ ତିଆରି ?
ଶ୍ରୀମନ୍ଦିରର ରତ୍ନବେଦୀରେ ମହାପ୍ରଭୁଙ୍କ ମଥାରେ ବର୍ଷତମାମ ଝଟକୁଥିବା ମଥା ଅଳଙ୍କାରକୁ ଚିତା କୁହାଯାଏ। ଶ୍ରୀଜଗନ୍ନାଥଙ୍କ ରତ୍ନଚିତାକୁ ‘ହୀରାଚିତା’ କୁହାଯାଏ । ଏହି ଚିତା ମଝିରେ ନାୟକ ଭାବରେ ଗୋଟିଏ ବଡ଼ ହୀରା ଖଞ୍ଜା ଯାଇଛି। ତାହାର ରଙ୍ଗ ଧଳା ହୋଇଥିବାରୁ ତାହାର ଅନ୍ୟନାମ ‘ଧଳାଚିତା’। ଶ୍ରୀବଳଭଦ୍ରଙ୍କ ରତ୍ନଚିତାକୁ ‘ନୀଳାଚିତା’ କୁହାଯାଏ । ସେଥିରେ ନାୟକ ଭାବରେ ଗୋଟିଏ ବଡ଼ ମର୍କତ ମଣି ଖଞ୍ଜା ଯାଇଥାଏ । ଏହି ନୀଳାଚିତା ସବୁଜ ରଙ୍ଗର ହୋଇଥିଲେ ହୋଇଥିଵାରୁ ତାହାକୁ ‘ନୀଳାଚିତା’ କୁହାଯାଏ । ଦେଵୀ ସୁଭଦ୍ରାଙ୍କ ରତ୍ନଚିତାକୁ ‘ମାଣିକ୍ୟଚିତା’ ଓ ‘ନାଲିଚିତା’ କହିଥାନ୍ତି । ଶ୍ରୀବଳଭଦ୍ରଙ୍କ ରତ୍ନଚିତା ପରି ଏହି ମାଣିକ୍ୟଚିତାରେ ମଧ୍ୟ ନାୟକ ଭାଵରେ ରହିଛି ଗୋଟିଏ ବଡ଼ ମର୍କତ ମଣି।
ତଥ୍ୟ/ବର୍ଣ୍ଣନା : ମିହିର ପଟ୍ଟନାୟକ