ଏଇ ଛୋଟିଆ ଗାଁରେ ପୂଜା ପାଉଛନ୍ତି ପ୍ରଭୁ ରଘୁନାଥ। ଯାହାଙ୍କ ପ୍ରତିମା ଦାରୁ ବା ପବିତ୍ର ନିମ୍ବ କାଠରେ ନିର୍ମିତ। ଏଠାରେ ପୂଜିତ ପବିତ୍ର ବିଗ୍ରହମାନେ ଆରମ୍ଭରୁ ଏ ପର୍ଯ୍ୟନ୍ତ ନବକଳେବର ହୋଇନାହାନ୍ତି। କେବଳ ଯାହା ଶ୍ରୀମନ୍ଦିର ନୀତି ଅନୁକରଣରେ ନିୟମିତ ବ୍ୟବଧାନରେ ବନକ (ବିଗ୍ରହମାନେ ରଙ୍ଗ ହେବା) ହୋଇଥାନ୍ତି ବୋଲି ସେବାୟତମାନେ କୁହନ୍ତି।
ଏହି ମନ୍ଦିରର ଚୂଡାରେ ସ୍ଥାନୀତ ହୋଇଛି ସୁବର୍ଣ୍ଣ ବା ସୁନାର କଳସ। ଯାହା ଦୂରରୁ ଦର୍ଶକଙ୍କୁ ହାତ ପ୍ରସାରି ଡାକିଥାଏ। ଠିକ୍ କାଳିଆଠାକୁରଙ୍କ ପତିତପାବନ ବାନା ଭଳି।
ସମ୍ଭବତଃ ଏହା ଭାରତର ଏକମାତ୍ର ରାମ ମନ୍ଦିର ଯେଉଁଠି ଶ୍ରୀରାମ ଦାରବି ତନୁରେ ପୂଜିତ ହୁଅନ୍ତି। କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ଏହି ପୀଠରେ ସମ୍ପୂର୍ଣ୍ଣ ବୈଦେହୀଶ ବିଳାଶ କାବ୍ୟ ରଚନା କରିଛନ୍ତି। ୧୬୬୨ ମସିହାରେ ନୟାଗଡ଼ ରାଜା ବିନାୟକ ସିଂହ ମାନ୍ଧାତା ଓ ତାଙ୍କ ଦେଓ୍ବାନ ବୈରାଗୀ ପଟ୍ଟନାୟକଙ୍କ ତତ୍ୱବାଧାନରେ ଏହି ମନ୍ଦିର ନିର୍ମାଣ ହୋଇଥିବା କୁହାଯାଉଥିଲେ ବି ସରକାରୀ ନଥିରେ ୧୦୯୩ ମସିହାକୁ ନିର୍ମାଣ ସମୟ ବୋଲି କୁହାଯାଇଛି। ଏଣୁ ଉଭୟ ତର୍ଜମା ସାପେକ୍ଷ।
ଆଗକୁ ରାମ ନବମୀ। ଭଗବାନ ରାମଙ୍କ ପବିତ୍ର ଜନ୍ମୋତ୍ସବ। ତେଣୁ ଏଥର ଆପଣ ଏଇଠି ଯାଇ ପ୍ରଭୁ ରାମଙ୍କ ଭକ୍ତିରେ ତଲ୍ଲୀନ ହୁଅନ୍ତୁ। ଆଉ ଉତ୍କଳୀୟ କଳାର ବିଭବକୁ ମନଭରି ଉପଭୋଗ କରନ୍ତୁ।