ପଖାଳ ଖାଇବାକୁ ଯେତିକି ଭଲ ଲାଗେ, ତା ସହ ହୋଇଥିବା ବିଭିନ୍ନ ପ୍ରକାରର ସ୍ୱାଦିଷ୍ଟ ବ୍ୟଞ୍ଜନ ଆହୁରି ଭଲ ଲାଗେ । ବା ପଖାଳର ସ୍ୱାଦକୁ ଆହୁରି ଦ୍ୱିଗୁଣିତ କରିଦିଏ । ସେ ବଡି ଚୁରା ହେଉ କି ଆଳୁ ପୋଡା ପଖାଳ ସହ ତାହା ଖାଇବାର ମଜା ଅଲଗା ପ୍ରକାରର । ମାର୍ଚ୍ଚ ମାସର ଏହି ଖରାରେ ନିମ୍ବ ଗଛରେ ଭର୍ତ୍ତି ହୁଏ କଢ । ଆଉ ପଖାଳ ସହ ନିମ୍ବ କଢ ଭଜା ଥିଲେ ପଖାଳ ଖାଇବାର ଉତ୍କଣ୍ଠା ଆହୁରି ବଢାଇ ଦିଏ ।
ତେବେ ଆସନ୍ତୁ ଜାଣିବା କେମିତି ପ୍ରସ୍ତୁତ ହୁଏ ନିମ୍ୱ କଢ ଭଜା...
ଆବଶ୍ୟକ ସାମଗ୍ରୀ- ନିମ୍ବ କଢ,ଆଳୁ, ବାଇଗଣ,ଟମାଟୋ,ପିଆଜ, ରସୁଣ, ପଞ୍ଚୁଫୁଟଣ, ଶୁଖିଲା ଲଙ୍କା, ଲୁଣ, ହଳଦୀ,ବଡି ।
ପ୍ରସ୍ତୁ ପ୍ରଣାଳୀ; ପ୍ରଥମେ କଡେଇ ରେ ତେଲ ପକାନ୍ତୁ । ପଞ୍ଚୁ ଫୁଟଣ, ଶୁଖିଲା ଲଙ୍କା ପକାନ୍ତୁ । ପିଆଜ ପକାନ୍ତୁ । ଚୁନ ଚୁନ କଟା ହୋଇଥିବା ଆଳୁ, ବାଇଗଣ ପକାଇ ଭାଜନ୍ତୁ । ସେଥିରେ ହଳଦୀ, ଲୁଣ ପକାନ୍ତୁ । ଟିକେ ଭାଜି ହୋଇ ଆସିଲେ ସେଥିରେ କଟା ଟାମୋଟୋ ପକାନ୍ତୁ । ଶେଷରେ ଅଳ୍ପ ମାତ୍ରା ନିମ୍ବ କଢକୁ ଭଲ ଭାବରେ ସଫା କରି ସେଥିରେ ପକାନ୍ତୁ । ଟିକେ ଭାଜି ହୋଇ ଆସିଲେ ରସୁଣ ଛେଚି ପକାନ୍ତୁ । ରସୁଣର ମାତ୍ରା ଟିକେ ଅଧିକ ନେଲେ ଭଲ ଲାଗେ । ଆଉ ଶେଷରେ ଭଜା ହୋଇଥିବା ବଡିକୁ ଟିକେ ଛେଚି ତା ଉପରେ ପକାଇ ଗରମ ଗରମ ଖାଇବାକୁ ଦିଅନ୍ତୁ ।
ଟିପ୍ସ- ନିମ୍ବ କଢକୁ ବେଶୀ ଦିନ ରଖିବା ପାଇଁ ଏହାକୁ ଖରାରେ ଶୁଖାଇ ବୋତଲରେ ରଖିପାରିବେ । ଆବଶ୍ୟକ ସ୍ଥଳେ ବ୍ୟବହାର କରିପାରିବେ ।