ତେବେ କିପରି ଏହି ‘ଥଣ୍ଡାଇ’ ପ୍ରସ୍ତୁତ କରିବେ ଆଉ ଏହାର କଣ ଉପକାରିତା ରହିଛି ଆସନ୍ତୁ ଜାଣିବା...
‘ଥଣ୍ଡାଇ’ ପ୍ରସ୍ତୁତ କରିବା ପାଇଁ ଆପଣଙ୍କୁ ସାଧାରଣତଃ ଦରକାର କ୍ଷୀର, ଆଲମଣ୍ଡ,କାଜୁ ,ପିସ୍ତା, ମଗଜ, ଖସଖସ,ଗୋଲମରିଚ, ଅଳେଇଚ,ଡାଲଚିନି, କେଶର, ଚିନି,ଗୋଲାପ ଫୁଲ ପାଖୁଡା ।
ପ୍ରସ୍ତୁତି ପ୍ରଣାଳୀ-
- ପ୍ରଥମେ ଏକ ପାତ୍ରରେ କ୍ଷୀର ନେଇ ଗ୍ୟାସରେ ବସାନ୍ତୁ । କିଛି ସମୟ କ୍ଷୀରକୁ ଫୁଟିବାକୁ ଛାଡି ଦିଅନ୍ତୁ । କ୍ଷୀର ଭଲ ଭାବରେ ଫୁଟି ଆସିଲେ ସେଥିରେ କେଶର ପକାନ୍ତୁ । ଅନ୍ୟପଟେ ଗ୍ରାଇଣ୍ଡର ଜାର୍ ରେ କାଜୁ, ପିସ୍ତା, ମଗଜ, ଖସଖସନେଇ ଏକ ପେସ୍ଟ ବନାନ୍ତୁ । ଏହାପରେ ଫ୍ଲେବର ପାଇଁ ଡାଲଚିନି, ଅଳେଇଚ, ଗୋଲମରିଚ ଓ ଗୋଲାପ ଫୁଲ ପାଖୁଡାକୁ ଗ୍ରାଇଣ୍ଡିଂ କରନ୍ତୁ । ଏହାକୁ ଏକ ପାତ୍ରରେ କାଢି ରଖନ୍ତୁ । କ୍ଷୀର ଭଲ ଭାବରେ ଫୁଟି ଆସିଲେ ସେଥିରେ ପ୍ରଥମେ ପ୍ରସ୍ତୁତ କରି ରଖିଥିବା ପେସ୍ଟକୁ ମିଶାନ୍ତୁ । ସ୍ୱାଦ ଅନୁଯାୟୀ ଚିନି ମିଶାନ୍ତୁ । ଏହାର କିଛି ସମୟ ପରେ ଡାଲିଚିନର ମିଶ୍ରଣକୁ ସେଥିରେ ମିଶାନ୍ତୁ ।
ଗ୍ୟାସ ବନ୍ଦ କରି ଏହାକୁ ରୁମ୍ ଟେମ୍ପେଚେରରେ ଛାଡି ଦିଅନ୍ତୁ । ଏହାପରେ ଏକ ପାତ୍ରରେ ନେଇ ଫ୍ରିଜରେ ରଖନ୍ତୁ । ତା ପରେ ଥଣ୍ଡା ଥଣ୍ଡା ଥଣ୍ଡାଇ ଆଣି ଘରେ ଥିବା ସୁନ୍ଦର ସୁନ୍ଦର ପାତ୍ରରେ କାଢି, ସାଜସଜ୍ଜା ପାଇଁ କେଶର ହେଉ କିମ୍ବା ଗୋଲାପ ପାଖୁଡା ପକାଇ ପିଇବାକୁ ଦିଅନ୍ତୁ । ଆଉ ଥଣ୍ଡାଇର ମଜା ନିଅନ୍ତୁ ।
ତେବେ ଥଣ୍ଡାଇର କଣ ରହିଛି ସ୍ୱାସ୍ଥ୍ୟ ଉପକାରିତା ଆସନ୍ତୁ ଜାଣିବା...
ଆଲମଣ୍ଡ- ଆଲମଣ୍ଡରେ ଭିଟାମିନ ଇ ଓ ହେଲ୍ଥି ଫ୍ୟାଟ୍ସ ରହିଥାଏ । ଏହା ଆଂଟିଅକ୍ସିଡାଂଟ୍ସର ଏକ ସମୃଦ୍ଧ ଉତ୍ସ ।
କାଜୁ ବାଦାମ – ଏଥିରେ ପ୍ରୋଟିନ ବହୁ ପରିମାଣରେ ଥାଏ । ହେଲ୍ଥି ଫ୍ୟାଟ୍ସ ଓ ଆଂଟିଅକ୍ସିଡାଂଟ୍ସରେ ମଧ୍ୟ କାଜୁ ବାଦାମ ଭରପୂର । କପର, ମ୍ୟାଗ୍ନେଜିୟମ ଓ ମାଙ୍ଗାନିଜ୍ ମଧ୍ୟ ଏଥିରେ ଥାଏ ।
ଗୋଲମରିଚ – ଏହାକୁ ‘ମସାଲା କିଙ୍ଗ’ ବୋଲି ବି କୁହାଯାଏ । ସୁଗନ୍ଧ ବୃଦ୍ଧି ଉପାଦାନ ପାଇଁ ଲୋକପ୍ରିୟ ଗୋଲମରିଚ ଦ୍ୱାରା ଏକାଧିକ ସ୍ୱାସ୍ଥ୍ୟଗତ ଫାଇଦା ରହିଛି । ଏଥିରେ ଥିବା ମୁଖ୍ୟ ଉପାଦାନ ପିପ୍ରିନ୍ ଆଂଟିଅକ୍ସିଡାଂଟ ଭାବେ କାମ କରେ । ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ସହ ଅନ୍ତଃନଳୀକୁ ଭଲ ରଖେ । ସ୍ୱାସ୍ଥ୍ୟ ପାଇଁ ଉପାଦେୟ ମାଙ୍ଗାନିଜ, ଜିଙ୍କ୍, କ୍ୟାଲସିୟମ, ଆଇରନ ଓ ଭିଟାମିନ ଏ ମଧ୍ୟ ବହୁ ମାତ୍ରାରେ ରହିଛି ।
ଖସଖସ - ଏଥିରେ ଫାଇବର ପ୍ରଚୁର ପରିମାଣରେ ଥାଏ । ଆଇରନ, ମ୍ୟାଗ୍ନେଜିୟମ ଓ କ୍ୟାଲସିୟମରେ ବି ପପି ସିଡ୍ ଭରପୂର । ଏହା ହାଡ ଓ ମାଂସପେଶୀକୁ ଭଲ ରଖେ । ମସ୍ତିଷ୍କକୁ ସତେଜ ରଖିଥାଏ ।
ଅଳେଇଚ – ପୋଟାସିୟମ, କ୍ୟାଲସିୟମ, ମ୍ୟାଗ୍ନେଜିୟମ ଓ ଫସଫରସରେ ଅଳେଇଚ ସମୃଦ୍ଧ । ଏହା ହଜମ ସମସ୍ୟା ଦୂର କରେ । ଏହା ମଧ୍ୟ ଏକ ଆଂଟି ଡିପ୍ରେସାଂଟ୍ ।
କେଶର –ରେଡ୍ ଗୋଲ୍ଡ ଭାବେ ଏହା ପରିଚିତ । ଏଥିରେ ଅନେତ ଥେରାପଟିକ୍ ଆପ୍ଲିକେସନ ରହିଥାଏ । ଏହା ଅବସାଦ ଦୂର କରେ । ଏହା ମଧ୍ୟ ଆଣ୍ଟି ସେପଟିକ୍ ଓ ହଜମରେ ସହାୟକ ହୁଏ ।
ଖରାଦିନେ ଏହାର ଚାହିଦା କାହିଁରେ କଣ ହୋଇଥାଏ । ବିଶେଷ କରି ଉତ୍ତର ପ୍ରଦେଶ ଓ ପଞ୍ଜାବରେ ଏହାର ବେଶ୍ ଚାହିଦା ରହିଛି । ତେବେ ଆଉ ଡେରି କରନ୍ତୁନି ଥଣ୍ଡାଇ ବନାନ୍ତୁ । ନିଜେ ପିଅନ୍ତୁ ଓ ସମସ୍ତଙ୍କୁ ପିଇବାକୁ ଦିଅନ୍ତୁ ।