ଇତିହାସ, ଲୋକକଥା ଆଧାରରେ ଏ ମନ୍ଦିରର ପ୍ରବଳ ପ୍ରସିଦ୍ଧି ରହିଛି । ଇତିହାସ କୁହେ କାଞ୍ଚି ଅଭିଯାନରେ ଉତ୍କଳର ବିଜୟ ପରେ କାଞ୍ଚିରାଜା ସାଲ୍ଵ ନରସିଂହ ଦେବଙ୍କ ଦ୍ୱାରା ପୂଜିତ ଗୋପାଳ ପ୍ରତିମାଙ୍କୁ ଶ୍ରୀକ୍ଷେତ୍ର ଆଣିଥିଲେ ଗଜପତି ପୁରୁଷୋତ୍ତମ ଦେବ ।
ପରେ ଏହି ଗୋପାଳ ଠାକୁର ଶ୍ରୀକ୍ଷେତ୍ରରୁ ସ୍ଥାନାନ୍ତରିତ ହୋଇ ବାରବାଟୀ କଟକ(କଟକ), ରଥିପୁର କଟକ(ଜଟଣୀ), ଖୋର୍ଦ୍ଧା କଟକ(ଖୋର୍ଦ୍ଧା) ଓ ଗଡ କନ୍ତଳବାଈ(ଭୁଷଣ୍ଡପୁର, ଖୋର୍ଦ୍ଧା)ରେ ଆରାଧୀତ ହେଲେ । ଏବଂ ଶେଷରେ ପୁରୀ ଜିଲ୍ଲା ସାକ୍ଷୀଗୋପାଳଠାରେ ସ୍ଥାୟୀ ଭାବରେ ପ୍ରାଣ ପ୍ରତିଷ୍ଠିତ ହେଲେ । କିନ୍ତୁ ତାଙ୍କ ସହ କାଞ୍ଚିରୁ ରାଧା ପ୍ରତିମା ଶ୍ରୀକ୍ଷେତ୍ର ଆସି ନ ଥିଲେ ।
ମୂଳ କାହାଣୀ କୁହେ ଦାକ୍ଷିଣାତ୍ୟର ଜଣେ ଭକ୍ତ ନିଜ ବାଗଦତ୍ତାଙ୍କୁ ବିବାହ କରିବାକୁ ସାକ୍ଷୀ ଭାବରେ ଶ୍ରୀ ଗୋପାଳଙ୍କୁ ବୃନ୍ଦାବନରୁ ଆଣିଥିଲେ । କାହାଣୀ କ୍ରମରେ ଭକ୍ତ ଜଣକ ପଛକୁ ଚାହିଁବାରୁ ଗୋପାଳ ଦାକ୍ଷିଣାତ୍ୟରେ ପଥର ପାଲଟି ରହିଗଲେ । ପରେ ପଦ୍ମାବତୀଙ୍କୁ ପ୍ରାପ୍ତ କରିବାକୁ ଉତ୍କଳ ଗଜପତି କାଞ୍ଚି ଯୁଦ୍ଧରେ ବିଜୟ ଲାଭ କଲେ ଓ ସାକ୍ଷୀଗୋପାଳଙ୍କୁ ଶ୍ରୀକ୍ଷେତ୍ର ଆଣି ଭୋଗମଣ୍ଡପ ପାଖରେ ରଖାଇଲେ । କିନ୍ତୁ ଗୋପାଳ ମହାପ୍ରଭୁ ଜଗନ୍ନାଥଙ୍କ ଅମୁଣିହା ନୈବେଦ୍ୟ ଉଚିଷ୍ଟ କରିପକାଇବାରୁ ଗଜପତିଙ୍କୁ ମହାପ୍ରଭୁଙ୍କ ସ୍ୱପ୍ନାଦେଶ ହେଲା । ଯେଉଁଠାରେ ଗଜପତିଙ୍କ ନହର ରହିବ ସେହିଠାରେ ଗୋପାଳଙ୍କୁ ସ୍ଥାପନ କର ।
ସେ ସମୟରେ ରାଜଧାନୀ କଟକରେ ଥାଏ । ଏଣୁ ବାରବାଟୀରେ ସ୍ଥାପନ ହୁଅନ୍ତି ଗୋପାଳ ଜୀ । ପରେ ଖୋର୍ଦ୍ଧା କଟକକୁ ରାଜଧାନୀ ସ୍ଥାନାନ୍ତର ହେବାରୁ ଠାକୁରେ ଖୋର୍ଦ୍ଧା ଓ ରଥୀପୁର କଟକରେ ସ୍ଥାପନ ହୁଅନ୍ତି । ସମ୍ପ୍ରତି ଏହି ରଥୀପୁର କଟକ ସ୍ଥାନଟି ଖୋର୍ଦ୍ଧା ଜିଲ୍ଲା ଜଟଣୀଠାରେ ରଥୀପୁର ଗ୍ରାମ ଭାବେ ଚିହ୍ନିତ ହୁଏ । ପରେ ଏହି ଠାକୁରଙ୍କୁ ଶତ୍ରୁ ଆକ୍ରମଣରୁ ରକ୍ଷା କରିବାକୁ ବର୍ତ୍ତମାନର ଭୁଷଣ୍ଡପୁରଠାରେ ଥିବା ଗଡକନ୍ତଳବାଇରେ ସ୍ଥାପନ କରାଯାଏ ।
ବାରମ୍ବାର ସ୍ଥାନାନ୍ତର ପରେ ଠାକୁରଙ୍କୁ ଏକ ନିର୍ଦ୍ଧିଷ୍ଟ ସ୍ଥାନରେ ବସାଇବାକୁ ବ୍ୟବସ୍ଥା ହୁଏ । ଯାହା ବର୍ତ୍ତମାନର ସାକ୍ଷୀଗୋପାଳ।
ରାଧା ମୂର୍ତ୍ତିର କାହାଣୀ
ସାକ୍ଷୀଗୋପାଳରେ ଠାକୁରଙ୍କ ସ୍ଥାପନା ହୁଏ । ଏକକ ଗୋପାଳ ମୂର୍ତ୍ତିଙ୍କୁ ଦର୍ଶନ କରନ୍ତି ସମସ୍ତେ । ହେଲେ ବିନା ରାଧାରେ କୃଷ୍ଣଙ୍କ ଅବସ୍ଥିତ ଅସମ୍ଭାଳ ହୁଏ । ଲୋକକଥା କୁହେ ଗୋପାଳଙ୍କ ବଡ଼ପଣ୍ଡା ବେଲେଶ୍ୱର ମହାପାତ୍ରଙ୍କ ଘରେ ଝିଅଟିଏ ହୁଏ । ନାଁ ରୁହେ ଲକ୍ଷ୍ମୀ । ପିଲାଟିବେଳୁ ଗୋପାଳଙ୍କୁ ଶ୍ରଦ୍ଧା କରୁଥାନ୍ତି ଲକ୍ଷ୍ମୀ । କଥାରେ ଅଛି ସେ କାଳେ ମା ରାଧାଙ୍କ ସ୍ୱରୂପେ ଜନ୍ମ ନେଇଥାନ୍ତି।
ଏଣୁ ପ୍ରତି ରାତି ବଡ ସିଂହାର ପରେ ଗୋପାଳେ ଲକ୍ଷ୍ମୀଙ୍କୁ ଭେଟିବାକୁ ତାଙ୍କ ଘରକୁ ଯାଆନ୍ତି । କେବେ ଲକ୍ଷ୍ମୀଙ୍କ ଶେଜରୁ ପ୍ରଭୁଙ୍କ ବଂଶୀ ମିଳେ ତ କେବେ ମୟୂର ଚନ୍ଦ୍ରିକା । ଲୋକ ଅପବାଦରେ ବଡ଼ପଣ୍ଡାଙ୍କୁ ଚୋର ବୋଲି ଅବିହିତ କରାଯାଏ ।
ମୁକ୍ତି ପାଇଁ ପ୍ରାର୍ଥନା କରିବା ପରେ ଠାକୁର ରାସ୍ତା ଦେଖାନ୍ତି । ଅବିକଳ ଲକ୍ଷ୍ମୀଙ୍କ ଭଳି ପ୍ରତିମାଟିଏ ଗଢି ରାଧା ଭାବରେ ତାଙ୍କ ପାଖରେ ରଖିବାକୁ ରାଜ ଆଦେଶ ହୁଏ । ନୟାଗଡରୁ ଆସିଥିବା କାରିଗର ରାଧାମୂର୍ତ୍ତି ଗଢନ୍ତି । ମୂର୍ତ୍ତିଗଠନ ଆରମ୍ଭ ହେବା କ୍ଷଣି ଲକ୍ଷ୍ମୀ ଅସୁସ୍ଥ ହୁଅନ୍ତି ଓ ପ୍ରାଣ ପ୍ରତିଷ୍ଠା ଦିନ ପ୍ରାଣ ତ୍ୟାଗ କରନ୍ତି ।
ସେବେ ଠାରୁ ମା’ ରାଧାଙ୍କ ପ୍ରତିମା ଗୋପାଳଙ୍କ ସହ ପୂଜିତ ହେଉଛନ୍ତି । ଗୋପାଳ ଓ ମା’ ରାଧା ଉତ୍ତରଭାରତୀୟ ଠାକୁର ହୋଇଥିବାରୁ ଏଠାରେ ଅନ୍ନପ୍ରସାଦ ଲାଗି ହୁଏନାହିଁ । କେବଳ ସୁଖିଲା ଭୋଗ ଲାଗି ହୁଏ । ଏବଂ ମା’ ରାଧାଙ୍କ ପ୍ରତିମା ବର୍ଷ ତମାମ ଉତ୍ତର ଭାରତୀୟ ବେଶରେ ରହିଥାନ୍ତି । କେବଳ ଅଁଳା ନବମୀ ଗୋଟିଏ ଦିନ ମା’ଙ୍କୁ ଓଡ଼ିଆଣୀ ବେଶରେ ସଜାଇ ରାଧାପାଦ ଦର୍ଶନ ପରମ୍ପରା ଆରମ୍ଭ ହୁଏ ।