ସେମିତି ମହାପ୍ରଭୁଙ୍କ ସେବା ଆଉ ସେବକ ପ୍ରସଙ୍ଗରେ ଆସନ୍ତୁ ଶୁଣିବା ଭିତରଚ୍ଛୁ ମହାପାତ୍ରଙ୍କ କଥା। ସିଏ ନ ଆସିଲେ ଫିଟେନି ବଡ଼ ଦେଉଳର ସିଂହ ଦରଜା ।
ପ୍ରତ୍ୟେହ ଭୋରରୁ ସେ ସିଂହଦ୍ୱାରରେ ଉପସ୍ଥିତ ହେଲେ ଦେଉଳର ଦୁଆର ଫିଟେ। ଜୟବିଜୟ ଦ୍ୱାରକୁ ଯାଇ ସେଠାରେ ପ୍ରତିହାରୀ, ମୁଦୁଲି, ମେକାପ ଓ ଅଖଣ୍ଡ ମେକାପଙ୍କ ଉପସ୍ଥିତିରେ ମୁଦ ପରଖନ୍ତି। ଜାଣିଛନ୍ତି, ମହାପ୍ରଭୁଙ୍କ ଗର୍ଭଗୃହରେ ପ୍ରତିଦିନ ରାତି ପହୁଡ ପରେ ତାଲାରେ ତଳିଚ୍ଛ ମହାପାତ୍ର ମୁଦ ଦିଅନ୍ତି। ମାଟିରେ ଶ୍ରୀ ମଦନମୋହନଙ୍କ ରେଖାଙ୍କିତ ଷ୍ଟାମ୍ପ୍ ଦେଇ ମନ୍ଦିର ବନ୍ଦ ହୁଏ।
ପରଦିନ ସକାଳେ ଭିତରଚ୍ଛୁଙ୍କ ଉପସ୍ଥିତିରେ ଏହି ମୁଦ ପରଖିବା ପରେ ଦୁଆର ଫିଟେ ଓ ମଙ୍ଗଳଆଳତୀ ହୁଏ।
ସେହିପରି ବିଧି ମୁତାବକ ଜୟ ବିଜୟ, କଳାହାଟ ଦ୍ୱାରର ମୁଦ ମଧ୍ୟ ଭିତରଚ୍ଛୁ ଖୋଲାନ୍ତି । ସକାଳେ ମଙ୍ଗଳ ଆଳତିରେ ଏହି ସେବକ ମହାପ୍ରଭୁଙ୍କ ବାଡ଼ ବା ଜଗନ୍ନାଥଙ୍କର ମଙ୍ଗଳଆଳତି କରନ୍ତି ।
ପ୍ରତ୍ୟେକ ଗୁରୁବାର ‘ମାଜଣା’ ନୀତିରେ ବନ୍ଦାପନା ଓ ପ୍ରସାଦ ଲାଗି କରନ୍ତି । 'ଦଣ୍ଡଛତ୍ର ଲାଗି ନୀତି'ରେ ମହାପ୍ରଭୁଙ୍କ ବାଡ଼ରେ ଦଣ୍ଡଛତ୍ର ଧରନ୍ତି ।