କେନ୍ଦ୍ର ସରକାରଙ୍କ ଡାକ ବିଭାଗ କୋଟିଆକୁ ଓଡିଶାର ବୋଲି ସ୍ଵୀକୃତି ଦେଇଛି । ଏହାକୁ ପ୍ରମାଣ ରୂପେ ଉପସ୍ଥାପିତ କରିବା ପାଇଁ ଇଷ୍ଟର୍ଣ୍ଣ ଇଣ୍ଡିଆ ଫିଲାଟେଲିକ୍ ଆସୋସିଏସନ ଏବଂ ଇନଟାକ୍ ପକ୍ଷରୁ ୩୦୦ରୁ ଉର୍ଦ୍ଧ୍ଵ ଚିଠି ପୋଷ୍ଟ କରାଯାଇଛି । ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ଆନ୍ଧ୍ର ଏବଂ ଓଡିଶାର ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ସମେତ ଉଭୟ ରାଜ୍ୟର ସମସ୍ତ ସାଂସଦ ଓ ବିଧାୟକଙ୍କୁ ଓଡିଶାରେ କୋଟିଆ ବା କୋଟିଆ ବିଲଙ୍ଗସ୍ ଟୁ ଓଡିଶା ଶୀର୍ଷକ ଥିବା ଲଫାପା ପୋଷ୍ଟ କରିଛି ଇଷ୍ଟର୍ଣ୍ଣ ଇଣ୍ଡିଆ ଫିଲାଟେଲିକ୍ ଆସୋସିଏସନ । ଅବିଭକ୍ତ କୋରାପୁଟ ଜିଲ୍ଲାର ପୂର୍ବତନ ଜିଲ୍ଲାପାଳ ସଞ୍ଜୀବ ହୋତା, ଇନଟାକ୍ ବିଶ୍ଵଜିତ ମହାନ୍ତି ଏବଂ ଅନିଲ ଧୀର ଏହି ଉଦ୍ୟମ ଆରମ୍ଭ କରିଛନ୍ତି ।
କୋଟିଆ ପୋଷ୍ଟ ଅଫିସର ପୋଷ୍ଟାଲ ଇଣ୍ଡେକ୍ସ ନମ୍ବର ବା ପିନ୍ କୋଡ ୭୬୪୦୩୯ । ଓଡିଶା ପୋଷ୍ଟାଲ ଡିଭିଜନ ଅଧିକୃତ ହୋଇଥିବା ଯୋଗୁଁ କେନ୍ଦ୍ର ସରକାର ଏହି ନମ୍ବର ମାଧ୍ୟମରେ କୋଟିଆକୁ ଓଡ଼ିଶାର ବୋଲି ସ୍ୱୀକୃତି ପ୍ରଦାନ କରିଛନ୍ତି । ସୁପ୍ରିମକୋର୍ଟରେ ମଧ୍ୟ ତଥ୍ୟ ଉପସ୍ଥାପନ କଲା ବେଳେ ଓଡିଶା ପକ୍ଷରୁ ଡାକ ଘର ସଂପର୍କିତ ପ୍ରମାଣ ସହାୟକ ହୋଇପାରିବ ବୋଲି ଅଭି ପୂର୍ବତନ ଜିଲ୍ଲାପାଳ ସଞ୍ଜୀବ ହୋତା କହିଛନ୍ତି ।
ଏଇ କିଛି ଦିନ ତଳେ କୋଟିଆ ମାଟିକୁ ଯାଇ ଆନ୍ଧ୍ର ଗୋ ବ୍ୟାକ୍ ନାରା ଦେଇଥିଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଦାନ । ଯାହାଦ୍ଵାରା ଓଡିଶା ସୀମା ସୁରକ୍ଷାର ପାଇଁ ଓଡିଆ କେବେ ଚୁପ୍ ବସିବେ ନାହିଁ ବୋଲି ସ୍ପଷ୍ଟ ହୋଇଛି । ତେବେ କୋଟିଆରେ ଥିବା ପୋଷ୍ଟ ଅଫିସ ଭଳି ବଳିଷ୍ଠ ପ୍ରମାଣ ଗୁଡିକୁ ଓଡିଶା ସରକାର କେତେ ତପ୍ତରତାର ସହ ଉପସ୍ଥାପନ କରୁଛନ୍ତି କେବଳ ତାକୁ ହିଁ ଅପେକ୍ଷା ।
ଅଧିକ ପଢ଼ନ୍ତୁ ଓଡିଶା ଖବର: