ଅଙ୍ଗନୱାଡି କେନ୍ଦ୍ରର ଭିତ୍ତିପ୍ରସ୍ତର ସ୍ଥାପନ ବେଳେ ବିରୋଧ କରିଥିଲା ଜିଲ୍ଲା ପ୍ରଶାସନ। ନିର୍ମାଣ କାମ ବନ୍ଦ କରିଥିଲା। ମାତ୍ର କିଛି ଦିନର ନିରବତା ପରେ ପୁଣି ଦାଦାଗିରି ଦେଖାଇ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଛି ଆନ୍ଧ୍ର। ବ୍ଲକ ପ୍ରଶାସନ ପାଖରେ ଖବର ପହଞ୍ଚିବା ପରେ ପଟାଙ୍ଗି ବିଡିଓ, କୋଟିଆ ପୋଲିସକୁ ନେଇ ଫଗୁଣସିନେରୀରେ ପହଞ୍ଚି ନିର୍ମାଣ କାର୍ଯ୍ୟ ବନ୍ଦ କରିଛନ୍ତି । ପୂର୍ବରୁ ଏଠାରେ ଓଡ଼ିଶା ସରକାରଙ୍କ ଅଙ୍ଗନୱାଡି କେନ୍ଦ୍ର ଥାଇବି ପୁଣି ଅଙ୍ଗନୱାଡି କେନ୍ଦ୍ର ନିର୍ମାଣ କରୁଛି ଆନ୍ଧ୍ର।
ବଡ କଥା ହେଉଛି, ମୁଖ୍ୟ ଶାସନ ସଚିବଙ୍କ ଗସ୍ତ ପୂର୍ବରୁ ଏହି ଅଙ୍ଗନୱାଡି କେନ୍ଦ୍ରର ଭିତ୍ତିପ୍ରସ୍ତର ସ୍ଥାପନ ବେଳେ ବିବାଦ ଦେଖା ଦେଇଥିଲା। ମୁଖ୍ୟ ଶାସନ ସଚିବଙ୍କ କୋଟିଆ ଗସ୍ତ ସମୟରେ ନା ବିବାଦୀୟ ଅଂଚଳ ବୁଲିଲେ ଯା କୋଟିଆ ପ୍ରସଙ୍ଗରେ କିଛି କହିବାକୁ ଉଚିତ୍ ମଣିଲେ।
କୋଟିଆକୁ ନିଜର ବୋଲି ନିଜର ନୂଆ ଜିଲ୍ଲାରେ ସ୍ଥାନ ଦେଇଛି ଆନ୍ଧ୍ର। ପଛୁଆ ଅଂଚଳର ନାଁ ଦେଇ ନିଜର ନୂଆ ଜିଲ୍ଲା ପାର୍ବତୀପୂରମ ମାନ୍ୟମରେ କୋଟିଆ ଗ୍ରାମପୁଞ୍ଜର ୨୮ଟି ଗାଁକୁ ନିଜ ମାନଚିତ୍ରରେ ସାମିଲ୍ କରିଛି। ତେଲୁଗୁରେ ମାନ୍ୟମର ଅର୍ଥ ପଛୁଆ ଅଞ୍ଚଳ। ଯାହାକୁ ନେଇ କେତେବେଳେ ଲୋଭନୀୟ ଯୋଜନା ତ ଆଉ କେତେବେଳେ ଦାଦାଗିରି ଦେଖାଇ କୋଟିଆରେ ଜବରଦସ୍ତି ପଶୁଛି ଆନ୍ଧ୍ର।
ଓଡ଼ିଶା ମାଟିରେ ଆନ୍ଧ୍ରର ଦାଦାଗିରି। କୋଟିଆ କବଜା କରିବାକୁ ଗୋଟିଏ ପରେ ଗୋଟିଏ ନୂଆ ଚାଲ୍ ଖେଳୁଛି ଆନ୍ଧ୍ର। ହେଲେ ଏପଟେ ଚୁପ୍ ରାଜ୍ୟ ସରକାର। ଗତବର୍ଷ ନଭେମ୍ବର ୯ ତାରିଖରେ ନବୀନ-ଜଗନ ଆଲୋଚନା ହୋଇଥିଲା ବେଳେ କିଛି ସୁଫଳ ମିଳିବ ବୋଲି ଆଶା ରଖିଥିଲେ ରାଜ୍ୟବାସୀ। ହେଲେ ସେମିତି ହେଲାନାହିଁ। ଏବେ ବଡ ପ୍ରଶ୍ନ, ଅସୁରକ୍ଷିତ ସୀମାକୁ ନେଇ କାହିଁକି ଚୁପ୍ ରାଜ୍ୟ ସରକାର ? କୋଟିଆ ଗସ୍ତବେଳେ କାହିଁକି ଚୁପ୍ ରହିଲେ ମୁଖ୍ୟ ଶାସନ ସଚିବ ?