ଅର୍ଗସ ବ୍ୟୁରୋ: ନାରୀଶକ୍ତି ବନ୍ଦନ ବିଧେୟକ ପ୍ରଧାନମନ୍ତ୍ରୀ ମୋଦିଙ୍କର ଏପରି ମାଷ୍ଟରଷ୍ଟ୍ରୋକ୍ ଯାହା ଦେଶର ମହିଳାଙ୍କୁ ରାଜନୀତିର ସର୍ବୋଚ୍ଚ ସ୍ତରରେ ନିଷ୍ପତ୍ତି ନେବାର ଅଧିକାର ଦେବ । ଆଉ ଏଥିପାଇଁ ବିଲକୁ ବିରୋଧୀ ବି ଅଟକାଇ ପାରୁନାହାଁନ୍ତି । ବୁଧବାର ଦିନ ମହିଳା ସଂରକ୍ଷଣ ବିଲ୍ ଦୁଇ ତୃତୀୟାଂଶ ସଂଖ୍ୟାଗରିଷ୍ଠତା ସହ ଲୋକସଭାରେ ପାରିତ ହୋଇଥିଲା । ଏହାର ସପକ୍ଷରେ ୪୫୪ ଭୋଟ୍ ଦିଆଯାଇଥିଲା ଏବଂ ଏହା ବିରୋଧରେ ୨ ଭୋଟ୍ ଦିଆଯାଇଥିଲା । ଏପଟେ ରାଜ୍ୟସଭାରେ ଏବେ ହୋଇଛି ଏହି ବିଲକୁ ନେଇ ଆଲୋଚନା । ପ୍ରଧାନମନ୍ତ୍ରୀ ଉଦବୋଧନ ଦେଇ କହିଛନ୍ତି , ଦେଶର ଏହି ସ୍ବର୍ଣ୍ଣିମ କ୍ଷଣର ସାଖୀ ସମସ୍ତ ଦଳର ସଦସ୍ୟ ରହିଛନ୍ତି, ଏହି ବିଲ୍ କାର୍ଯ୍ୟକାରୀ ହେବାପରେ ଦେଶର ମାତୃଶକ୍ତିଙ୍କ ଭୂମିକା ବଦଳିବ, ଯାହା ଦେଶକୁ ନୂତନ ଶିଖରରେ ପହଞ୍ଚାଇବ ।
ସେପଟେ ଏହି ବିଲକୁ ବିରୋଧ କରିପାରୁନାହାନ୍ତି କି ସବୁଶ୍ରେୟ ବିଜେପି ଓ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଯାଉଥିବା ଦେଖି ସହି ପାରୁନାହନ୍ତି। ବାଧ୍ୟବାଧକତାରେ ସବୁ ଦଳ କରିଛନ୍ତି ବିଲକୁ ସମର୍ଥନ। ମହିଳା ସଂରକ୍ଷଣ ବିଲ୍’ ମହିଳାମାନଙ୍କ ପ୍ରତି ସମାନତା ଆଣିବ ବୋଲି ଗୁରବାର ରାଜ୍ୟସଭାରେ ଏହି ବିଲ୍ ଆଗତ କରି ଉଦ୍ବୋଧନ ଦେବା ବେଳେ କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ୍ କହିଛନ୍ତି।
ସେପଟେ ରାଜ୍ୟସଭାରେ ଏହା ଉପରେ ହୋଇଛି ମାରାଥନ ବିତର୍କ । ରାଜ୍ୟସଭାରେ ବିତର୍କ ବେଳେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା କହିଛନ୍ତି, ପ୍ରଧାନମନ୍ତ୍ରୀ ସଦାବେଳେ WOMEN LED DEVELOMENT କୁ ଗୁରୁତ୍ବ ଦେଇ ଆସିଛନ୍ତି । ଏଣୁ ଏହି ବିଲ ଦେଶର ନାରୀଶକ୍ତିଙ୍କୁ ରାଷ୍ଟ୍ରନିର୍ମାଣରେ ସର୍ବୋଚ୍ଚ ଅଧିକାର ଦେବାର ମାଧ୍ୟମ ପାଲଟିବ ଏବେ।ଅନ୍ୟପଟେ ରାଜ୍ୟସଭା ବିତର୍କରେ ବିରୋଧୀ ବିଲକୁ ସମର୍ଥନ ଜଣାଇଥିଲେ ବି ଜୋରଦାର ବିତର୍କ ଦେଖିବାକୁ ମିଳିଥିଲା । ନାରୀ ଶକ୍ତି ବନ୍ଦନ ଅଧିନିୟମ ଚିଠା’ ସଂକ୍ରାନ୍ତ ବିତର୍କରେ ‘ବିଜେପି’ର ୧୪ଜଣ ମହିଳା ସାଂସଦ ଓ ମନ୍ତ୍ରୀ ଭାଗ ନେଇଥିଲେ।
ରାଷ୍ଟ୍ରପତିଙ୍କ ମୋହର ସହ ନାରୀଶକ୍ତି ବନ୍ଦନ ବିଧେୟକ କାର୍ଯ୍ୟକାରୀ ହେଲେ ଲୋକସଭା ସମେତ ସବୁ ରାଜ୍ୟ ବିଧାନସଭାରେ ମହିଳାଙ୍କ ପାଇଁ 33 ପ୍ରତିଶତ ଆସନ ସଂରକ୍ଷିତ ରହିବ। ଅର୍ଥାତ ଲୋକସଭାରେ 543 ଆସନ ଆସନ ମଧ୍ୟରୁ 181 ଟି ଆସନ ମହିଳାଙ୍କ ପାଇଁ ସଂରକ୍ଷିତ ରହିବ। ସେହିପରି ଓଡ଼ିଶା ବିଧାନସଭାର 147 ଆସନ ମଧ୍ୟରୁ 49ଟି ଆସନ ରିଜର୍ଭ ରହିବ ମହିଳାଙ୍କ ପାଇଁ। ତେବେ ରାଜ୍ୟସଭା କିମ୍ବା ବିଧାନ ପରିଷଦ କ୍ଷେତ୍ରରେ ଏହା ଲାଗୁ ହେବ ନାହିଁ। ସେହିପରି ଏସସି ଏସଟି ମହିଳାଙ୍କ ପାଇଁ ବିଲରେ ଅଲଗା ସଂରକ୍ଷଣ ବ୍ୟବସ୍ଥା ନାହିଁ। ବର୍ତ୍ତମାନ ଏସସି ଏସଟି ବର୍ଗଙ୍କ ପାଇଁ ଥିବା ସଂରକ୍ଷିତ ଆସନ ମଧ୍ୟରୁ 33 ପ୍ରତିଶତ ସେହି ବର୍ଗର ମହିଳାଙ୍କ ପାଇଁ ସଂରକ୍ଷିତ ରହିବ। ବର୍ତ୍ତମାନ ଲୋକସଭାରେ ଏସସି ବର୍ଗ ପାଇଁ 84ଟି ଆସନ ସଂରକ୍ଷିତ ଥିବା ବେଳେ ବିଲ ଲାଗୁ ହେଲେ ସେଥିରୁ 28ଟି ଆସନ ଏସସି ମହିଳାଙ୍କ ପାଇଁ ସଂରକ୍ଷିତ ହେବ। ସେହିପରି ଏସଟି ବର୍ଗ ପାଇଁ ଏବେ 47ଟି ଆସନ ସଂରକ୍ଷିତ ରହିଛି। ନାରୀ ଶକ୍ତି ବିଧେୟକ କାର୍ଯ୍ୟକାରୀ ହେଲେ ସେଥିରୁ 16ଟି ଆସନ ସଂରକ୍ଷିତ ରହିବ ଏସଟି ମହିଳାଙ୍କ ପାଇଁ।
ଅଧିକ ପଢ଼ନ୍ତୁ ଦେଶ ଖବର: