ତାମିଲନାଡୁରେ ଦାଦନ ଶ୍ରମିକ ଭାବରେ କାମ କରୁଥିଲେ ଚନ୍ଦ୍ରଭାନୂ । ଗତକାଲି ରାତିରେ ଦାଦନ ଶ୍ରମିକ ଜଣକ ବଲାଙ୍ଗୀର ରେଲୱେ ଷ୍ଟେସନରେ ପହଚିଂଥିଲେ । ତାକୁ ଦୁଇଜଣ ସଂପର୍କୀୟ ବାଇକରେ ଧରି ବୁର୍ଡା ଫାଟକ ଦେଇ ନିଜ ଗାଁକୁ ନେଉଥିଲେ । ଗତକାଲି ରାତି ପ୍ରାୟ ୧୦ ବୁର୍ଡା ଠାରେ ଫାଟକ ପଡିଥିବାରୁ ତିନି ଜଣ ଅଟକିଥିଲେ । ସେ ସମୟରେ ବଲାଙ୍ଗୀର ପଟୁ ଏକ ଏକ୍ସପ୍ରେସ ଟ୍ରେନ ଆସିଥିଲା । କେଜାଣି କାହିଁକି ହଠାତ ଚଳନ୍ତା ଟ୍ରେନ ସାମ୍ନାକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିଲେ ଦାଦନ ଶ୍ରମିକ । କିନ୍ତୁ ଟ୍ରେନରେ ପିଟି ହୋଇ ଛିଟିକି ଯାଇଥିଲେ । ଫଳରେ ତାଙ୍କର ମୁଣ୍ଡରେ ଗଭୀର ଆଘାତ ଲାଗିବା ସହ ଡାହାଣ ହାତ ସଂପୂର୍ଣ୍ଣ କଟିଯାଇଛି ।
ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପହଚିଂ ୧୦୮ ଆମ୍ୱୁଲାନସ ସହାୟତାରେ ଗୁରୁତର ଯୁବକଙ୍କୁ , ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସପିଟାଲକୁ ଅଣାଯାଇଥିଲା । ବିଲମ୍ୱିତ ରାତିରେ ଗୁରୁତର ଚନ୍ଦ୍ରଭାନୂଙ୍କୁ କଟାହାତ ସହିତ ବୁର୍ଲାକୁ ରେଫର କରିଥିଲେ ଡାକ୍ତର । ରାତିରେ ଗୁରୁତର ଦାଦନ ଶ୍ରମିକଙ୍କୁ ବୁର୍ଲାକୁ ପଠାଇ ଦିଆଯାଇଥିଲା । ଦାଦନ ଶ୍ରମିକ ଜଣକ କେଉଁ କାରଣରୁ ଆତ୍ମହତ୍ୟା ଉଦ୍ୟମ କରୁଥିଲେ ଜଣାପଡିନାହିଁ । ତାମିଲନାଡୁକୁ ଦାଦନ ଖଟିବାକୁ ଯାଇ ଦାଦନ ଶ୍ରମିକ ଜଣକ ମାନସିକ ଅବସାଦରେ ଥିବା ଚର୍ଚ୍ଚା ହେଉଛି । ବଲାଙ୍ଗୀର ଜିଲ୍ଲା ଜି.ଆର.ପି ପୋଲିସ ଘଟଣାର ତଦନ୍ତ ଆରମ୍ଭ କରୁଛି ।