ନିଜ ରୋଗର ନିରାକରଣ ପାଇଁ ରାଜ୍ୟର ଅନେକ ସ୍ଥାନରୁ ଏହି ହସ୍ପିଟାଲକୁ ରୋଗୀଙ୍କ ଲାଇନ ଲାଗିଥାଏ। କିନ୍ତୁ, ରୋଗୀଙ୍କ ଚିକିତ୍ସା କରିବା ବଦଳରେ, ଅନେକ ଯନ୍ତ୍ରଣାରେ ଜର୍ଜରିତ ହୋଇଥାନ୍ତି ରୋଗୀ। ଓପିଡି ପାଇଁ କାଉଣ୍ଟର ବା ପଞ୍ଜୀକରଣ କେନ୍ଦ୍ରର ଅଭାବ ରୋଗୀ ସମସ୍ୟାକୁ ଦ୍ଵିଗୁଣିତ କରିଛି। ବିଭିନ୍ନ ବିଭାଗ ପାଇଁ ମୋଟ ୯ଟି ପଞ୍ଜୀକରଣ କେନ୍ଦ୍ର ଥିଲେ ମଧ୍ୟ ଏହା ପର୍ଯ୍ୟାପ୍ତ ନୁହେଁ ବୋଲି ହସ୍ପିଟାଲକୁ ଆସୁଥିବା ରୋଗୀ ମାନେ ଅଭିଯୋଗ କରିଛନ୍ତି।
ବଡ଼ ହସ୍ପିଟାଲରେ, ବଡ଼ ଅବ୍ୟବସ୍ଥା। ଏଠାରେ ସମୟ ଯେତେ ବଦଳେ, ସମସ୍ୟା ଆହୁରି ବଢିଚାଲେ। ବିଭିନ୍ନ ବିକାଶ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପିନିଆଇ ମାନ୍ୟତା ମିଳିଥିବା ବେଳେ, ରୋଗୀଙ୍କ ସମସ୍ୟା ଏହାର ବାସ୍ତବ ଚିତ୍ରକୁ ପଦାରେ ପକାଇଛି। କ୍ୟାପିଟାଲ ହସ୍ପିଟାଲକୁ ଦୈନିକ ପ୍ରାୟ 5 ହଜାରରୁ ଅଧିକ ରୋଗୀ ଚିକିତ୍ସା ପାଇଁ ଆସିଥାନ୍ତି। ଓପିଡି ଚିକିତ୍ସା ପାଇଁ ମୋଟ ୯ଟି ପଞ୍ଜୀକରଣ କେନ୍ଦ୍ର ଥିବା ବେଳେ ୫ଟି ସାଧାରଣ ଏବଂ ଗୋଟିଏ ଜରୁରୀକାଳୀନ ପଞ୍ଜିକରଣ କେନ୍ଦ୍ର ରହିଛି। ସେହିପରି ଭିଡ କମ କରିବା ଲାଗି ହୃଦରୋଗ, ଚକ୍ଷୁ, ଶିଶୁ, ମହିଳା ଓ ପ୍ରସୂତି ବିଭାଗରେ ୪ଟି ପଞ୍ଜୀକରଣ କେନ୍ଦ୍ର ରହିଛି, ଯାହା କେବଳ ସକାଳ ବେଳା ହିଁ ଖୋଲା ରହୁଛି।
ଏହାଦ୍ଵାରା ରୋଗୀଙ୍କୁ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବାକୁ ପଡୁଥିବା ବେଳେ ରୋଗୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଅନ୍ୟପଟେ ଆଗକୁ ଖୁବଶୀଘ୍ର ଏହି ସମସ୍ୟାର ସମାଧାନ ଲାଗି ପଦକ୍ଷେପ ନିଆଯାଉଥିବା କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ କହିଛନ୍ତି।
ରାଜ୍ୟର ଅଧିକାଂଶ ସରକାରୀ ମେଡିକାଲରେ ରୋଗୀ ଭିଡ କମାଇବା ଲାଗି ଅନଲାଇନ ପଞ୍ଜିକରଣ ବ୍ୟବସ୍ଥା କରାଯାଇଛି। ହେଲେ ରାଜଧାନୀର କ୍ୟାପିଟାଲ ହସ୍ପିଟାଲରେ କେବେ ପଞ୍ଜୀକରଣ କେନ୍ଦ୍ର ସଂଖ୍ୟା ବୃଦ୍ଧି ସହିତ ଅନଲାଇନ ପଞ୍ଜୀକରଣ ବ୍ୟବସ୍ଥା ଲାଗୁ କରାଯିବ ତାକୁ ଅପେକ୍ଷା।