ଜୀବନ ମଞ୍ଚରୁ ବାହୁଡିଯାଇଛନ୍ତି ଓଲିଉଡର ଏହି ଖଳନାୟକ । ଆଉ ଶୁଣିବାକୁ ମିଳୁନି ଏଭଳି ଖଳନାୟକଙ୍କର ଚରିତ୍ରର ସଂଳାପ । ଦେଖିବାକୁ ମିଳୁନି ଦମଦାର ଡାଇଲଗ୍ । ଲାଗୁଛି ଖଳନାୟକ ଅଭିନେତାଙ୍କ ଶୂନ୍ୟତା ଛାଇ ଯାଇଛି ସାରା ଓଲିଉଡ୍ରେ । ଗତ କିଛିଟା ଦିନରେ ଓଡିଆ ସିନେ ଜଗତ ହରାଇଛି ଏଭଳି ଖଳନାୟକମାନଙ୍କୁ ।
ସେ ହରପଟ୍ଟନାୟକ ହୁଅନ୍ତୁ...କି ମୀନକେତନ..କି ରାଇମୋହନ.. ଅବା ଦୁଃଖିରାମ । ଆଜି ବି କାନରେ ଗୁଞ୍ଜରିତ ହୁଏ ଏମାନଙ୍କ ଦମଦାର୍ ଡାଇଲଗ୍ । ନୂଆ କଳାକାର ଥିଲେ ସୁଦ୍ଧା ଆଜି ଅତୀତ ହୋଇଯାଇଥିବା ଏହି କଳାକାରଙ୍କ ଶୂନ୍ୟସ୍ଥାନ ସବୁଦିନ ପାଇଁ ଅପୂରଣୀୟ ହୋଇରହିବ । ଯେଉଁମାନଙ୍କ ଉପରେ ଚଳଚ୍ଚିତ୍ର ଏକ ପ୍ରକାର ନିର୍ଭର କରୁଥିଲା । ତାଙ୍କ ଆବର୍ତ୍ତମାନରେ ଏକ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି।
ଓଡିଆ ସିନେମା ଜଗତର ଅପ୍ରତିଦ୍ୱନ୍ଦି ଖଳନାୟକ ହର ପଟ୍ଟନାୟକ । ସେ ହସୁଥିଲେ ସମସ୍ତଙ୍କୁ ଡର ଲାଗୁଥିଲା । ଏବେ ବି ତାଙ୍କ ଡାଇଲଗ ମା ରାଣ, ଫୁଲ୍ ବୋବାଲ, ନାଇଁ ନାଇଁ ନାଇଁ ମ, ଚକମା ଚୁର, କଟକଟ କଟରା ଡାଇଲଗକୁ ଝୁରୁଛନ୍ତି ଦର୍ଶକ । ସମସ୍ତଙ୍କ ପ୍ରିୟ ହର ଭାଇ । ପରଦା ଉପରେ ଯେମିତ ଦମଦାର୍ ଖଳନାୟିକୀ ଦେଖାଇଥିଲେ, ପରଦା ପଛରେ ରହି ଅନେକ ହିଟ୍ ଫିଲ୍ମର ମଧ୍ୟ ନିର୍ଦ୍ଦେଶନା ଦେଇଥିଲେ । 2015 ଜାନୁଆରୀ 13ରେ କ୍ୟାନ୍ସରରେ ପୀଡିତ ହୋଇ ଆଖିବୁଜିଥିଲେ ହରପଟ୍ଟନାୟକ । ତାଙ୍କ ଆବର୍ତ୍ତମାନ ପରେ ଓଲିଉଡ ଜଗତରେ ଏକ ବିରାଟ ଶୂନ୍ୟତା ସୃଷ୍ଟି ହୋଇଛି।
ସେହିପରି ଓଲିଉଡ ଓ ଯଲିଉଡର ଜଣେ ଚର୍ଚ୍ଚିତ ଖଳନାୟକ ରାଇମୋହନ ପରିଡା । ପକା କମ୍ବଳ ପୋତ ଛତା ଫିଲ୍ମ ଜରିଆରେ ଜଣେ ଗୁଣ୍ଡା ଚରିତ୍ରରେ ଅଭିନୟ କରିଥିଲେ ରାଇମୋହନ । ଆଉ ତା ପରେ 50 ରୁ ଉର୍ଦ୍ଧ୍ୱ ସିନେମାରେ ସେ ଅଭିନୟ କରି ଦର୍ଶକଙ୍କ ହୃଦୟରେ ରାଜ୍ କରୁଥିଲେ ।
ସେହିପରି ମୀନକେତନ ହୁଅନ୍ତୁ କି ଦୁଃଖିରାମ କିମ୍ବା ଏବେ ଏବେ ଖଳନାୟକ ଭୂମିକାରେ ଅଭିନୟ କରିଥିବା ପିଣ୍ଟୁ ନନ୍ଦ । ଏହି ସମସ୍ତଙ୍କ ଅଭିନୟ ଅତି ଜୀବନ୍ତ ଥିଲା ।
ବିଜୟ ମହାନ୍ତି, ଦେବୁ ବୋଷ, ରବି ମିଶ୍ର, ସଳିଳ ମିତ୍ର, ଅଜିତ ଦାସ, ରାନୁ ପରିଜା, ଅନୀତା ଦାସ ଭଳି ଅନେକ ବରିଷ୍ଠ ଅଭିନେତା, ଅଭିନେତ୍ରୀ ଆଜି ଆଉ ଆମ ଗହଣରେ ନାହାନ୍ତି । କିଏ ଚରିତ୍ର ଅଭିନୟ କରି ତ କିଏ ଖଳନାୟକ ଭୂମିକାରେ ଦର୍ଶକଙ୍କୁ ବାନ୍ଧିରଖୁଥିଲେ । ଆଜି ସେମାନେ ଅତୀତ । ଯେଉଁମାନେ ନିଜ ଅଭିନୟ ସାରି ଫେରି ଯାଇଛନ୍ତି ଅଫେରା ରାଇଜକୁ । ହେଲେ ଆଜି ବି ତାଙ୍କୁ ଝୁରୁଛି ଓଲିଉଡ..ଝୁରୁଛନ୍ତି କୋଟି କୋଟି ଓଡିଆ ।