ପାର୍ବଣରେ ଦେବୀ ଦୂର୍ଗାଙ୍କ ଜଳଛାୟାର ୫ ଦିନ ପରେ ଆରମ୍ଭ ହୁଏ କେନ୍ଦ୍ରାପଡା ଜିଲ୍ଲାର ଗଣପର୍ବ ଗଜଲକ୍ଷ୍ମୀ ପୂଜା। ମା ଲକ୍ଷ୍ମୀଙ୍କ ଆରାଧନା ପାଇଁ ସତେ ଯେମିତି ଚାତକ ଭଳି ଚାହିଁ ବସିଥାନ୍ତି ପୂଜା କମିଟି କର୍ମକର୍ତ୍ତା। ଭଳିକି ଭଳି ତୋରଣ ଆଉ ଆଲୋକମାଳାରେ ସଜା ହୋଇଥିବା ପୂଜା କମିଟି ଗୁଡିକ ମଧ୍ୟରେ ଚଳିତବର୍ଷ ମା'ଙ୍କ ଚାନ୍ଦି ବା ରୁପା ଓ ସୁନା ଅଳଙ୍କାର ନେଇ ଆରମ୍ଭ ହୋଇଛି ସୌହାର୍ଦ୍ଦ୍ୟପୂର୍ଣ୍ଣ ପ୍ରତିଯୋଗିତା। ସହରରେ ପୂଜା ପାଉଥିବା ଖଡିଅଙ୍ଗ ପୂଜା କମିଟି ୨୦୦୦ ମସିହାରେ ସ୍ୱଳ୍ପ ପରିମାଣରେ ପ୍ରଥମ ଚାନ୍ଦି ମା' ଲକ୍ଷ୍ମୀ ମୃଣ୍ମୟୀ ମୂର୍ତ୍ତିରେ ଲାଗି କରିଥିବା ବେଳେ ଆଜକୁ ୨୨ ବର୍ଷ ହେବ ଏହି କମିଟି ମା'ଙ୍କ ପାଇଁ ଚାନ୍ଦି ଗହଣା ସମେତ ସୁନା ଅଳଙ୍କାର କରି କୃତାର୍ଥ ମଣିଛି। ଏହି ଅଳଙ୍କାର ପାଇଁ ଖଡ଼ିଅଙ୍ଗ ଗାଁ ଲୋକେ,ବ୍ୟବସାୟୀ ମାନେ ସହାୟତା ପ୍ରଦାନ କରିଥିବା କୁହନ୍ତି କମିଟି ସଭାପତି।କେବଳ ସେତିକି ନୁହେଁ ସହରର ସାନ ମଙ୍ଗଳା ପୂଜା କମିଟି ଚଳିତବର୍ଷ ମା'ଙ୍କ ପାଇଁ ରୁପାରେ ଏକ "ଓଁ" ଆକୃତି କରି ସେଥିରେ ମା'ଙ୍କ ମୃଣ୍ମୟୀ ମୂର୍ତ୍ତିକୁ ସ୍ଥାପିତ କରି ଭକ୍ତମାନଙ୍କୁ ଆକୃଷ୍ଟ କରିଛି। ଏହି ଓଁ ଆକୃତି ପାଇଁ ପାଖାପାଖି ୯୦କିଲୋ ରୁପା ଲାଗିଥିବା ଖଡ଼ିଅଙ୍ଗ ପୂଜା କମିଟି ସଭାପତି ଭାବଗ୍ରାହୀ ସିଂ କହିଛନ୍ତି।
ସବୁଠାରୁ ସୁଉଚ୍ଚ ବିଶିଷ୍ଟ ଚାନ୍ଦି ମେଢ଼ ହୋଇଥିବା କାକଟ ମଙ୍ଗଳା କ୍ଲବରେ ମୋଟ ୧କୁଇଣ୍ଟାଲ ୫୦କିଲୋ ରୁପା ସାଙ୍ଗକୁ ସୁନାର ବେକ ହାର ଓ ମଥା ମଣି ଦର୍ଶକଙ୍କୁ ଆକୃଷ୍ଟ କରୁଛି। ସହରର ଅନ୍ୟତମ ଗଙ୍ଗା ଭାଗିରଥି କ୍ଲବରେ ପୂଜା ପାଉଥିବା ଗଙ୍ଗା ମାତାଙ୍କ ମୃଣ୍ମୟୀ ମୂର୍ତ୍ତିର ମୁକୁଟ ଠାରୁ ଆରମ୍ଭ କରି ମେଢ଼ ପର୍ଯ୍ୟନ୍ତ ଚାନ୍ଦିରେ ହୋଇଥିବା ବେଳେ ଏଠାରେ ୧ କୁଇଣ୍ଟାଲ ୭୦ କିଲୋଗ୍ରାମ ଚାନ୍ଦି ବ୍ୟବହାର ହୋଇଥିବା ପୂଜା କମିଟି ମୁଖ୍ୟ କହିଛନ୍ତି। ଏହି ସ୍ୱର୍ଣ୍ଣ ଓ ଚାନ୍ଦି ଅଳଙ୍କାରର ସୁରକ୍ଷା ପାଇଁ ୨୪ ଘଣ୍ଟିଆ ପୋଲିସ ବ୍ୟବସ୍ଥା କରାଯାଇଥିବା ଲକ୍ଷ୍ୟ କରାଯାଇଛି। ସେହିପରି ପୋଲିସ ସହ ପୂଜା କମିଟି ଗୁଡିକ ସିସିଟିଭି ଲଗାଇଛନ୍ତି।