୪ ଦଶନ୍ଧିରୁ ଅଧିକ ଭାରତୀୟ ସିପିଂ ଓ ସାମୁଦ୍ରିକ ଶିଳ୍ପ ଏବଂ ଓଡ଼ିଶା ରାଜ୍ୟର ଅଭିବୃଦ୍ଧି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଦକ୍ଷ ଶିଳ୍ପପତି ତଥା ଓଡ଼ିଶା ଷ୍ଟିଭେଡର୍ସ ଲିମିଟେଡ (ଓଏସଏଲ)ର ପ୍ରତିଷ୍ଠାତା ଶ୍ରୀ ମହିମାନନ୍ଦ ମିଶ୍ରଙ୍କୁ ସମ୍ମାନଜନକ ‘ଲାଇଫଟାଇମ ଆଚିଭମେଣ୍ଟ ଆୱାର୍ଡ ୨୦୨୩’ ପ୍ରଦାନ କରାଯାଇଛି । ୨୪ ଫେବ୍ରୁଆରୀ ୨୦୨୩ରେ ଦ ଲଳିତ ଗ୍ରେଟ ଇଷ୍ଟର୍ଣ୍ଣ, କୋଲକାତାରେ ଏକଜିମ ଇଣ୍ଡିଆ ସିପିଂ ଟାଇମ୍ସ ଦ୍ୱାରା ଆୟୋଜିତ ଇଷ୍ଟର୍ଣ୍ଣ ଷ୍ଟାର ଆୱାର୍ଡସ ୨୦୨୩ ଅବସରରେ ଅନୁଷ୍ଠିତ ଇଷ୍ଟ କୋଷ୍ଟ ମାରିଟାଇମ ଫୋରମ ୨୦୨୩ର ଅଷ୍ଟମ ସଂସ୍କରଣ କାର୍ଯ୍ୟକ୍ରମରେ ଶ୍ରୀ ଗୋପାଳ କ୍ରିଷ୍ଣା, ପୂର୍ବତନ ସଚିବ, ଜାହାଜ ଚଳାଚଳ ମନ୍ତ୍ରଣାଳୟ, ଭାରତ ସରକାରଙ୍କ ଦ୍ୱାରା ଏହି ସ୍ୱତନ୍ତ୍ର ପୁରସ୍କାର ପ୍ରଦାନ କରାଯାଇଛି ।
ଓଏସଏଲ୍ ଗ୍ରୁପ 2023 ପାଇଁ ପୁଣିଥରେ ଷ୍ଟିଭେଡର୍ସ କମ୍ପାନୀ ଅଫ ଦ ଇୟର ପୁରସ୍କାର ହାସଲ କରିଛି । ଏହି ଅବସରରେ ଶ୍ରୀ ଚନ୍ଦନ ମିଶ୍ର, ନିର୍ଦ୍ଦେଶକ, ଓଏସଏଲ୍ ଗ୍ରୁପ ଏବଂ ଟିମ୍ ପୁରସ୍କାର ଗ୍ରହଣ କରିଛନ୍ତି । କାର୍ଯ୍ୟକ୍ରମରେ ଓଏସଏଲ୍ ଗ୍ରୁପର ଅନେକ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। ସମାଜରେ ପରିବର୍ତ୍ତନ ଆଣିଥିବା, ସମାଜର ଉନ୍ନତି ଲାଗି ଉଲ୍ଲେଖନୀୟ ଅବଦାନ ରଖିଥିବା, ଔଦ୍ୟୋଗିକତାରେ ସ୍ୱତନ୍ତ୍ର କୀର୍ତ୍ତିମାନ ସ୍ଥାପନ କରିଥିବା, ଏବଂ ଦୃଷ୍ଟାନ୍ତମୂଳକ ନେତୃତ୍ୱ ଗୁଣାବଳି ପ୍ରଦର୍ଶନ କରିଥିବା ଶିଳ୍ପ ଧରୋହରମାନଙ୍କୁ ଏହି କାର୍ଯ୍ୟକ୍ରମରେ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏହା ତାଙ୍କ ନେତୃତ୍ୱରେ ଥିଲା ଯେ ସେ ପ୍ରମୁଖ ବନ୍ଦର ସହର ପାରାଦୀପରେ ଓଡ଼ିଶାର ପ୍ରଥମ ରିଭରାଇନ ଜେଟିର ମାର୍ଗଦର୍ଶକ ସାଜିଥିଲେ, ଯାହା କି ବହୁବିଧ ପରିବହନ ବ୍ୟବସ୍ଥା ବ୍ୟବହାର ସହ ପରିବହନ କ୍ଷେତ୍ର ପାଇଁ ଏକ ନୂଆ ପରିମାପ ସାଜିଥିଲା ।
ଏହି ସମ୍ମାନ ପାଇବା ଅବସରରେ, ଶ୍ରୀ ମହିମାନନ୍ଦ ମିଶ୍ର, ପ୍ରତିଷ୍ଠାତା, ଓଡ଼ିଶା ଷ୍ଟିଭେଡର୍ସ ଲିମିଟେଡ (ଓଏସଏଲ) କହିଛନ୍ତି, ‘‘ମୁଁ ହୃଦୟପୂର୍ଣ୍ଣ ସହକାରେ ଏହି ପୁରସ୍କାରକୁ ମୋ ସହକର୍ମୀ, କର୍ମଚାରୀ, ଶ୍ରମିକ ଏବଂ ସେମାନଙ୍କ ପରିବାର ସଦସ୍ୟମାନଙ୍କୁ ଉତ୍ସର୍ଗ କରୁଛି । ସେମାନଙ୍କର କଠିନ ପରିଶ୍ରମ, ସମର୍ପଣ, ନିଷ୍ଠା ଏବଂ ସର୍ବୋପରି ସଂଗଠନର ସ୍ୱାର୍ଥ ପାଇଁ ସମସ୍ତ ବ୍ୟକ୍ତିଗତ ଉତ୍ସର୍ଗ ପାଇଁ ହିଁ ଏହି ପୁରସ୍କାର ହାସଲ କରିବା ସମ୍ଭବ ହୋଇପାରିଛି ।’’
ଓଡ଼ିଶାରେ ମହିମା ମିଶ୍ର ନାମରେ ସର୍ବତ୍ର ପରିଚିତ ଏହି ବିଶିଷ୍ଟ ଉଦ୍ୟୋଗପତି ସୁନେଲି ହୃଦୟ ବହନ କରିଥିବା ଜଣେ ପ୍ରଥମ ପିଢ଼ିର ଉଦ୍ୟୋଗୀ । ଭାରତର ସମଗ୍ର ପୂର୍ବତଟରେ ଥିବା ସର୍ବବୃହତ କର୍ପୋରେଟ ସଂସ୍ଥା ମଧ୍ୟରେ ଓଏସଏଲ ଗ୍ରୁପ ଅନ୍ତର୍ଭୁକ୍ତ । ଏହା କେବଳ ନିଜର କଲ୍ୟାଣମୂଳକ ପଦକ୍ଷେପ, ଆତିଥେୟତା ଏବଂ ଏହାର କର୍ମଚାରୀଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ସୁପରିଚିତ ହୋଇନାହିଁ, ବରଂ ଓଡ଼ିଶାର ଗରିବ ଓ ଅବହେଳିତ ଲୋକଙ୍କ ପାଇଁ ମଧ୍ୟ କାମ କରି ପ୍ରଶଂସିତ ହୋଇଛି ।
ମହିମା ମିଶ୍ରଙ୍କ ପ୍ରଥମ ପିଢ଼ି ଉଦ୍ୟୋଗୀ ହେବାର ସ୍ପଷ୍ଟ ଦୃଷ୍ଟିକୋଣ ଏକ ବିଶାଳ ଶିଳ୍ପ ସାମ୍ରାଜ୍ୟର ନିର୍ମାଣ କରିଛି, ଯେଉଁଠି ତାଙ୍କର କର୍ମଚାରୀମାନଙ୍କୁ ନିଜ ପରିବାର ସଦସ୍ୟ ଭାବେ ବିବେଚନା କରାଯାଏ । ଓଏସଏଲ ଭାରତର ପୂର୍ବତଟ ବନ୍ଦରରେ ଏକ ପ୍ରମୁଖ ଷ୍ଟିଭେଡରିଂ ଓ କାର୍ଗୋ ପରିଚାଳନାକାରୀ କମ୍ପାନି ଏବଂ ବର୍ତ୍ତମାନ ବିଭିନ୍ନ କ୍ଷେତ୍ରରେ ୫୦ ନିୟୁତ ଟନରୁ ଅଧିକ କାର୍ଗୋ ପରିଚାଳନା କରୁଛି । ପ୍ରମୁଖ କାର୍ଯ୍ୟ କ୍ଷେତ୍ରଗୁଡ଼ିକ ମଧ୍ୟରେ ଷ୍ଟିଭେଡରିଂ, ପ୍ରକଳ୍ପ କାର୍ଗୋ ପରିଚାଳନା, ସି ଆଣ୍ଡ ଏଫ କାର୍ଯ୍ୟକଳାପ, କଷ୍ଟମ ହାଉସ ଏଜେନ୍ସି ଓ ଷ୍ଟିମର ଏଜେନ୍ସି, ଇତ୍ୟାଦି ସାମିଲ ରହିଛି ।
ଏହାବ୍ୟତୀତ, ଖଣି ଖନନ, ପରିବହନ, ଆତିଥେୟତା, ଡ୍ରେଜିଂ ତଥା ପଣ୍ୟାଗାର ପରିଚାଳନା ଆଦି କ୍ଷେତ୍ରରେ ମଧ୍ୟ ଏହି ଓଏସଏଲର ଆଗ୍ରହ ରହିଛି । ନିଜର ସୁଦୀର୍ଘ ସେବା ଯୋଗାଣ ଇତିହାସରେ, ଓଏସଏଲ ଗ୍ରୁପ ଭାରତ ଓ ବିଦେଶର ପ୍ରମୁଖ କର୍ପୋରେଟ ଯଥା ଇଫକୋ, ଷ୍ଟିଲ ଅଥରିଟି ଅଫ ଇଣ୍ଡିଆ ଲିମିଟେଡ (ସେଲ), ଟାଟା ଷ୍ଟିଲ ଲିମିଟେଡ, ରିଲାଏନ୍ସ, ଜେଏସଡବ୍ଲୁ୍ୟ, ଇମ୍ଫା, ବେଦାନ୍ତ, ନାଲକୋ, ଜିନ୍ଦଲ ଷ୍ଟେନଲେସ ଏବଂ ଆର୍ସେଲରମିତ୍ତଲ ନିପ୍ପନ ଷ୍ଟିଲ ଆଦିର କାର୍ଗୋ ପରିଚାଳନା କରୁଛି ତଥା ଏଣ୍ଡ-ଟୁ-ଏଣ୍ଡ ଲଜିଷ୍ଟିକ୍ସ ସମାଧାନ ପ୍ରଦାନ କରୁଛି । ଓଏସଏଲ ଗ୍ରୁପ ବିଗତ ଅନେକ ବର୍ଷ ଧରି ବିଭିନ୍ନ ଶ୍ରେଣୀ ଓ କ୍ଷେତ୍ରରେ ଅନେକ ପୁରସ୍କାର ପ୍ରାପ୍ତ କରିଆସୁଛି ଯାହା କି ଓଏସଏଲର ଦକ୍ଷତା, ସମ୍ଭାବନା, କ୍ଷମତା ଓ ଉପଲବ୍ଧିଗୁଡ଼ିକର ପ୍ରତିପାଦନ କରୁଛି । ଗତବର୍ଷ, ଔଦ୍ୟୋଗିକ ମହାଦ୍ରୁମ ଭାବେ ଓଏସଏଲକୁ କୋଲକାତାରେ ଆୟୋଜିତ ‘ଇଷ୍ଟ କୋଷ୍ଟ ମାରିଟାଇମ ଫୋରମ ୨୦୨୨’ର ସପ୍ତମ ସଂସ୍କରଣରେ ‘ବର୍ଷର ସର୍ବଶ୍ରେଷ୍ଠ ଲଜିଷ୍ଟିକ କମ୍ପାନି’ ଏବଂ ‘ବର୍ଷର ସର୍ବଶ୍ରେଷ୍ଠ ଷ୍ଟିଭେଡର୍ସ କମ୍ପାନି’ ଭାବେ ପୁରସ୍କୃତ କରାଯାଇଥିଲା