ବଙ୍ଗୋପସାଗରରେ କଲିକତା ଯାଉଥିବା ଜାହାଜମାନେ ଭୁଲବଶତଃ ମହାନଦୀ ଅବବାହିକାକୁ ପଶିଆସୁଥିଲେ। ତେଣୁ ଏହାର ବିକଳ୍ପ ସ୍ୱରୂପ 1836 ମସିହାରେ କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ାର ଏହି ବତୀଘର ଅଞ୍ଚଳରେ ନିର୍ମାଣ ହେଲା "ଫଲସ ପଏଣ୍ଟ"ଲାଇଟ ହାଉସ। ମାତ୍ର ଗୋଟେ ବର୍ଷ ଭିତରେ କଟକର ବାରବାଟୀ ଦୁର୍ଗରୁ ପଥର ଅଣାଯାଇ ଏହାକୁ ତିଆରି କରିଥିଲେ ବ୍ରିଟିଶରମାନେ। ଆଜି ବି ଏହି ବତୀଘର ଅଞ୍ଚଳଟି ଅନେକ ଇତିହାସ ଓ ଐତିହ୍ୟ ବହନ କରୁଛି। ପାଖଆଖର ଅନେକ ପର୍ଯ୍ୟଟକ ମଧ୍ୟ ଏହି ବ୍ରିଟିଶ କୀର୍ତ୍ତିରାଜିକୁ ଦେଖିବା ପାଇଁ ଏଠାକୁ ଆସିଥାନ୍ତି। ଅନେକ ସ୍ମୃତି ସଜଡା ଯାଇ ରଖାଯାଇଛି ଏହି ବତୀଘର ଅଞ୍ଚଳରେ।
ଏବେ ଏହି ବତୀଘର ଅଞ୍ଚଳର ଲାଇଟ ହାଉସଟି କଲିକତା ସିପିଙ୍ଗ ଅଧୀନରେ କାର୍ଯ୍ୟକ୍ଷମ ଅଛି। ଆଉ ସମ୍ପୂର୍ଣ୍ଣ ଅଞ୍ଚଳଟି ପାଲଟି ଯାଇଛି କେନ୍ଦ୍ରାପଡ଼ା ଜିଲ୍ଲାର ଏକ ପର୍ଯ୍ୟଟନ ସ୍ଥଳୀ।
କିନ୍ତୁ ବିଡମ୍ବନାର ବିଷୟ ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିକାଶ ବିଭାଗ ପକ୍ଷରୁ ଏହି ପର୍ଯ୍ୟଟନସ୍ଥଳୀର ବିକାଶ ଲାଗି ସେମିତି କିଛି ଆଖିଦୃଶିଆ ପଦକ୍ଷେପ ନିଆ ଯାଇପାରିନାହିଁ । ବତୀଘର ଅଞ୍ଚଳକୁ ଯିବା ଲାଗି ପୋଲ ତ ଦୂରର କଥା, ଖରିନାସି ନଦୀରେ ବିପଦସଂକୁଳ ଅବସ୍ଥାରେ ବୁଲିବାକୁ ଆସୁଥିବା ପର୍ଯ୍ୟଟକଙ୍କ ସହ ସେଠାରେ ରହୁଥିବା ପ୍ରାୟ 4000 ଗ୍ରାମବାସୀ ଏମିତି ବିପଦଜନ୍ନକ ଭାବେ ନୌକା ପାରିହେଇ ୟାତାୟତ କରିଥାନ୍ତି।
ଦୀର୍ଘ ଦିନ ହେବ ରାଜ୍ୟର ଶାସନ ଗାଦିରେ ଥିବା ବିଜୁ ଜନତା ଦଳର ଜନପ୍ରତିନିଧିମାନଙ୍କୁ ମଧ୍ୟ ବତୀଘର ପଞ୍ଚାୟତର ଲୋକମାନେ ଜିତାଇ ଆସୁଛନ୍ତି। କିନ୍ତୁ ଏପର୍ଯ୍ୟନ୍ତ ବତୀଘର ପାଇଁ ସେମିତି କିଛି ଆଖିଦୃଶିଆ ପଦକ୍ଷେପ ନିଆଯାଇନାହିଁ।