ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବ ବାସ୍ତବରେ ଏହା କ’ଣ। ଏହି ଘଣାଲାଗି ବେଳେ କ’ଣ ହୁଏ, ଆସନ୍ତୁ ଜାଣିବା।
ଘଣା ଅର୍ଥ ହେଉଛି କୌଣସି ଦ୍ରବ୍ୟକୁ ଚିପୁଡାଯିବା ପରେ ତାର ସାର ତତ୍ୱ । ଯାହା ଆମ ଦେହର ସ୍ନାୟୁ ତନ୍ତି। କାରଣ ଏହା ରକ୍ତ ପ୍ରବାହ କରିଥାଏ। ଘଣା ମଧ୍ୟ ମହାପ୍ରଭୁଙ୍କ ଦେହରେ ପ୍ରତିକାତ୍ମକ ଭାବେ ସେହି ସ୍ନାୟୁ ତନ୍ତି ବୋଲି କୁହାଯାଇପାରେ।
ଶ୍ରୀମନ୍ଦିର ଶବ୍ଦକୋଷ ମୁତାବକ ଘଣାଲାଗି ହେଉଛି ମହାପ୍ରଭୁଙ୍କ ଶ୍ରୀ ବିଗ୍ରହଙ୍କୁ ସୁସ୍ଥ ସୁନ୍ଦର ଆଉ ସୁରକ୍ଷିତ କରିବାକୁ ଲାଗି ହେଉଥିବା ପାଟଡୋର। ଅଣସର ତ୍ରୟୋଦଶୀଠାରୁ ଠାକୁରଙ୍କ ଶ୍ରୀଅଙ୍ଗରେ ମୋଟା ପାଟଡୋରମାନ ଭିଡାଯାଇ ବନ୍ଧନ କରାଯାଇଥାଏ। ଘଣା ବୁଲାଇଲା ପରି ଏହାକୁ ଛନ୍ଧ ଦେଇ ଶ୍ରୀଅଙ୍ଗ ବନ୍ଧନ କରାଯାଏ।
ମହାପ୍ରଭୁ ଜଗନ୍ନାଥ ହେଉଛନ୍ତି ବ୍ରହ୍ମମୟ ମୂର୍ତ୍ତି। ସମସ୍ତ ଗୁଢ ତତ୍ବର ସେ ସାର ଅଟନ୍ତି। ତାଙ୍କ ଶ୍ରୀଅଙ୍ଗରେ ସପ୍ତାଭରଣ ରହିଛନ୍ତି। ତେଣୁ ତଶ୍ରୀଅଙ୍ଗକୁ ସୁଦୃଢ କରିବାକୁ ଏହି ଘଣାଲାଗି ବ୍ୟବସ୍ଥା କରାଯାଇଛି।
ମା’ ସୁଭଦ୍ରାଙ୍କ ଘଣାଲାଗି ପ୍ରତିବର୍ଷ ହେଉଥିବା ବେଳେ ଶ୍ରୀ ଜଗନ୍ନାଥ ଓ ବଳଭଦ୍ର ବିଗ୍ରହଙ୍କ ପାଇଁ ଏହା ବର୍ଷଟିଏ ଅନ୍ତରରେ ଲାଗି କରାଯାଇଥାଏ। ଗୋଟିଏ ବର୍ଷ ବଳଭଦ୍ରଙ୍କୁ ଘଣାଲାଗି କରାଯାଉଥିବା ବେଳେ ତହିଁ ପରବର୍ଷ ଶ୍ରୀ ଜଗନ୍ନାଥଙ୍କୁ ଘଣାଲାଗି କରାଯାଇଥାଏ। ପଚିସ ହାତ ଲମ୍ବର ମୋଟା ପାଟଡୋର ଏହି ଘଣାଲାଗି ପାଇଁ ବ୍ୟବହାର କରାଯାଇଥାଏ।
ଯାହାକୁ ଦଇତାପତି ସେବକମାନେ ନାଗ ନାଗୁଡି ଡୋର ମଧ୍ୟ କହିଥାନ୍ତି। ଆଜି ଅଣସର ତ୍ରୟୋଦଶୀରେ ଶ୍ରୀଜୀଉଙ୍କ ଘଣାଲାଗି ନୀତି ଅନୁଷ୍ଠିତ ହେବ । ଏହା ପରେ ଶ୍ରୀମୁଖ ଓତା ପଡିବା ପରେ ଶ୍ରୀପୟର ମୁଦ ଉପଲକ୍ଷେ ଘଣା ଏବଂ ଖଳି ପ୍ରସାଦ ଲାଗି ହେବ। ତା ପରେ ବନକଲାଗି ବା ମହାପ୍ରଭୁଙ୍କୁ ରଙ୍ଗ କରିବାର କ୍ରିୟା ଆରମ୍ଭ ହେବ।