ଏହାପରେ ହଡ଼ପ ନାୟକ ସେବକ ବିଡ଼ିଆ ପାନ ମଣୋହି କରାଇବା ସହ କିଛି ପାନବଟାରେ ମହାପ୍ରଭୂଙ୍କ ପଲଙ୍କ ନିକଟରେ ରଖିଥାନ୍ତି । କାଳେ ରାଗ ଲାଗିଲେ ନିଦ ଭାଙ୍ଗିଯିବ ସେଥିପାଇଁ ଏହି ପାନରେ ଲବଙ୍ଗ ଦିଆଯାଇଥାଏ । ଶେଷରେ ହୁଏ ପହୁଡ଼ ଆରତି । ଜୟ ବିଜୟ ଦ୍ୱାରଠାରେ ଡମ୍ବରୁ ପକାଯାଏ । ଶୟନ ପ୍ରତିମା ଏହି ଡମ୍ବରୁ ଉପରେ ବିଜେ କରନ୍ତି। ପଇଡ଼ ଓ ବିଡ଼ିଆ ମଣୋହି ପରେ କର୍ପୁର ଓ ସଞ୍ଜକାଳି ପିଠଉ ଆଳତି ହୋଇ ପୁଷ୍ପାଞ୍ଜଳି ଦିଆଯାଏ । ଏହି ଉତ୍ତାରେ ଶୟନ ଠାକୁରଙ୍କୁ ମହାପ୍ରଭୁଙ୍କ ପଲଙ୍କକୁ ବିଜେ କରାଯାଇ ଜୟ ବିଜୟ ଓ ଭିତର ଦକ୍ଷିଣ ଦ୍ୱାର ବନ୍ଦ କରି ଦିଆଯାଏ । ଲିଭାଇ ଦିଆଯାଏ ଛାମୁ ବଇଠା ଓ ଅଖଣ୍ଡ ବଇଠା । ସେବକେ ମଣିମା ମହାବାହୁଙ୍କୁ ପହୁଡ଼ିବାକୁ ନିବେଦନ କରି କଳାହାଟ ଛାମୁଦୁଆର ଓ ଜୟବିଜୟ ଦ୍ୱାର ବନ୍ଦ କରି ମୁଦ ଦିଅନ୍ତି । ପୂର୍ବରୁ ପହୁଡ଼ ନୀତି ସମୟରେ ଭିତର ଗାଆଣୀ ଦେବଦାସୀ ଗୀତଗୋବିନ୍ଦ ଗାନ କରୁଥିବା ବେଳେ ଦେବର୍ଷି ନାରଦ ସେବା ଭାବେ ଜଣେ ବୀଣାକାର ସେବକ ବୀଣା ବାଦନ କରୁଥିଲେ ବୋଲି ଜଣାଯାଏ। ମହାପ୍ରଭୁଙ୍କ ସୁଖନିଦ୍ରାରେ ବ୍ୟାଘାତ ନହେବାପାଇଁ ଜଣେ ତଳୁଛ ସେବକ ଗୁଡ଼ହାଣ୍ଡି ଯୋଗେ ଅସରପାମାନଙ୍କୁ ଧରୁଥିଲେ ।
କିନ୍ତୁ କାଳକ୍ରମେ ଏହିସବୁ ନୀତି ଅପସରି ଗଲାଣି।ବର୍ଷର କେତେକ ଯାନିଯାତ୍ରା ସମେତ ନୀତି ବିଶୃଙ୍ଖଳା ଘଟିଲେ ପ୍ରଭୁଙ୍କର ଦିବା ପହୁଡ଼ ଓ ରାତ୍ରି ପହୁଡ଼ ହୋଇପାରେନାହିଁ । ଏହି ଦିନମାନଙ୍କରେ ସ୍ୱତନ୍ତ୍ର ପହୁଡ଼ ନୀତି କରାଯାଏ । ଦ୍ୱାର ବନ୍ଦ କରାନଯାଇ ଶ୍ରୀବିଗ୍ରହମାନଙ୍କ ସମ୍ମୁଖରେ ଖଣ୍ଡୁଆ ଲାଗି କରାଯାଏ । ଏହାକୁ ଠିଆ ପହୁଡ଼ ବୋଲି କହନ୍ତି । ଶ୍ରୀଜୀଉମାନଙ୍କ ପହୁଡ଼ ନୀତି ସମ୍ପୂର୍ଣ୍ଣ ରାଜକୀୟ ଉପଚାରରେ କରାଯାଇଥାଏ । ସମୟ ଚକ୍ରରେ ଏଥିରେ କିଛିଟା ପରିବର୍ତ୍ତନ ଘଟିଥିଳେ ମଧ୍ୟ କିଛିଟା ଏବେ ବି ଅନୁସୃତ ହୋଇଆସୁଛି । ବଡ଼ସିଂହାର ବେଶ ପରେ ନିଦ୍ରା ଯାଆନ୍ତି କଳାଠାକୁର। ଚଉରାଶି ମାଳା, ନାନାଦି ପୁଷ୍ପରେ ସଜେଇ ହୋଇଥାନ୍ତି ।
ଅଧିକ ପଢନ୍ତୁ ଓଡ଼ିଶା ଖବର