ନବରଙ୍ଗପୁର: ମାଟି ଖୋଳୁ ଖୋଳୁ ବାହାରିଲେ ମହାଦେବ । ବାରମ୍ବାର ସ୍ବପ୍ନାଦେଶ ପରେ କନ୍ଦା ଖୋଳିବା ସମୟରେ ବହାରିଲେ ମହାଦେବ । ଏହାପରେ ଘଞ୍ଚ ଜଙ୍ଗଲ ମଧ୍ୟରେ ଚାଲିଛି ପୂଜାର୍ଚ୍ଚନା । ଘଣ୍ଟ ଶଦ୍ଦରେ ପ୍ରକମ୍ପିତ ହେଉଛି ଅଞ୍ଚଳ । ହାତରେ ଫୁଲ ଆଉ ବେଲପତ୍ର ଧରି ପୂଜାର୍ଚ୍ଚନା ଲାଗି ଭକ୍ତଙ୍କ ଲାଗିଛି ଭିଡ । କାରଣ ମାଟି ଖୋଳୁ ଖୋଳୁ ବାହାରିଛନ୍ତି ମହାଦେବ । ଏହି ଚମତ୍କାର ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ବ୍ଲକ ଅନ୍ତର୍ଗତ ନଙ୍ଗରାଡଙ୍ଗରା ଗାଁ ନାଗାଭୈରବ ପାହାଡରେ ।
ଗାଁର ଦଶରୁ ପୂଜାରୀ କନ୍ଦା ଖୋଳିବାକୁ ପାହାଡକୁ ଯାଇଥିଲେ । ସେଠାରେ ଖୋଳିବା ସମୟରେ ପ୍ରଥମେ ଗୋଲାକାର ପଥରକୁ ଦେଖି ସମସ୍ତଙ୍କୁ ଡାକିଥିଲେ , ଖୋଳାଖୋଳି କଲା ପରେ ତିନିଫୁଟର ଗୋଲେଇ ଶିବ ଲିଙ୍ଗ ଆକୃତିର ଜଣାପଡିଲା । ଏହି ଖବର ଚାରିଆଡେ ପ୍ରସାର ହେବା ପରେ ଜଳାଭିଷେକ କରି ପୂଜାର୍ଚ୍ଚନା କରୁଛନ୍ତି ଅଞ୍ଚଳବାସୀ।
ନଙ୍ଗରାଡଙ୍ଗରା ଗାଁର ନାଗାର୍ଜୁନ କଳା ସଂସ୍କୃତିକ ଯୁବ ପରିଷଦ ମିଳିଥିବା ଶିବ ଲିଙ୍ଗର ସୁରକ୍ଷା ଦାୟିତ୍ୱ ଗ୍ରହଣ କରିଛନ୍ତି । ଏହା ସହ ଘଟଣାସ୍ଥଳରେ ଐତିହାସିକ ପାହାଡ଼ ଉପରେ ଗବେଷଣା କରୁଥିବା ଗବେଷକ ପହଞ୍ଚି ପଥରକୁ ଭଲଭାବେ ଅନୁଧ୍ୟାନ କରିଥିଲେ । ଗବେଷକଙ୍କ କହିବାନୁସାରେ ନଳବଂଶ ପୂର୍ବରୁ ଏଠାରେ ଶାସନ କରିଥିଲେ , ଶିବଲିଙ୍ଗ ବାଣାଶୁରଙ୍କ ସମୟର ଅର୍ଥାତ୍ 2000 ବର୍ଷ ତଳର ଅନୂମାନ କରାଯାଉଛି ।
