ଯଦିଓ ଏହା ଏକ ଶାସ୍ବତ ଶବ୍ଦ, କିନ୍ତୁ ଆଧୁନିକ ଯୁଗରେ ଅଭିଶାପ ପାଲଟିଛି ଅନେକଙ୍କ ପାଇଁ । ତ୍ରିକୋଣୀୟ ପ୍ରେମ, ଧୋକା ଆଉ ମାନସିକ ଦୁଶ୍ଚିନ୍ତାରେ କିଏ ଲଗାଉଛି ରଶି ତ କିଏ ପିଉଛି ବିଷ। ପୁଣି କିଏ ଚଳନ୍ତା ଟ୍ରେନ୍ ଆଗକୁ ନ ହେଲେ ପାଣିକୁ ଡେଇଁ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେଉଛି।
ଏଠି ପ୍ରଶ୍ନ ଉଠୁଛି ଯୁବପିଢି ଏତେ ଅସହିଷ୍ଣୁ କାହିଁକି ? ମାନସିକ ସ୍ତରରେ ଦୃଢ ନୁହନ୍ତି କି ? ଏମିତି କ’ଣ ଅଭାବ ରହୁଛି ଯେ ପ୍ରେମ ପାଇଁ ଘର ପରିବାର, ସାଙ୍ଗସାଥୀ ସବୁକିଛି ନିମିଷକେ ପର କରିଦେଉଛନ୍ତି ।
ପ୍ରେମ ଜନିତ ଆତ୍ମହତ୍ୟା ହାର ଗତ କିଛିବର୍ଷ ହେବ ଭୁବନେଶ୍ୱରରେ ବୃଦ୍ଧି ପାଇବାରେ ଲାଗିଛି । ଗତକାଲି ନୂଆପଲ୍ଲୀ ଥାନା ଅଧୀନ ଗଡସାହିରେ ଟେଲି ଅଭିନେତ୍ରୀ ରଶ୍ମିରେଖା ଓଝା ଆତ୍ମହତ୍ୟା କରିଛନ୍ତି । ତ୍ରିକୋଣୀୟ ପ୍ରେକୁ ନେଇ ସେ ଆତ୍ମହତ୍ୟା କରିଥିବା କଥା ପୁଲିସ କହିଛି । ହେଲେ ଘଟଣାଟି ସମ୍ବେଦନଶୀଳ ହୋଇଥିବାର ପୁଲିସ ତନାଘନା କରୁଛି । ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ତାହା ହତ୍ୟା ନା ଆତ୍ମହତ୍ୟା ତାକୁ ନେଇ ଖୋଳତାଡ କରୁଛି ପୋଲିସ ।
ପୁଲିସର ତଥ୍ୟ ଅନୁସାରେ
2016 ମସିହାରେ କେବଳ ରାଜଧାନୀରେ
165 ଜଣ ଆତ୍ମହତ୍ୟା କରିବା ବେଳେ
2017ରେ 286
2018ରେ 224
2019ରେ 290
2020ରେ 310ଟି ଆତ୍ମହତ୍ୟା କରିଛନ୍ତି ।
- ଶିଖରଚଣ୍ଡୀ ପାହାଡ ଉପରେ ଅବିନାଶ ପ୍ରଧାନଙ୍କ ମୃତଦେହ ମିଳିଥିଲା । ତେବେ ସେ ପ୍ରେମ ବେପାରକୁ ନେଇ ଆତ୍ମହତ୍ୟା କରିଥିବା କଥା ପୁଲିସ କହିଥିଲା । ହେଲେ ତାଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଥିଲେ । ତେବେ ଆଜି ଯାଏଁ ଏହି ଘଟଣା ଉପରୁ ପରଦା ହଟିନି ।
- ଇନଫୋସିଟି ଥାନା ଅଞ୍ଚଳର ଯୁବ ମଡେଲ୍ ସୌମ୍ୟରଞ୍ଜନ ପାଣିଗ୍ରାହୀ ଆତ୍ମହତ୍ୟା କରିଥିଲେ । ସେ ତାଙ୍କ ପ୍ରେମିକା ସୋନାଲୀ ନନ୍ଦଙ୍କ ଲାଗି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଥିଲା । ପରେ ପୁଲିସ ସୋନାଲୀଙ୍କ ନାମରେ ମାମଲା ରୁଜୁ କରି ତଦନ୍ତ କରୁଥିଲା ।
- ଭରତପୁର ଥାନା ଅଞ୍ଚଳରେ ସୁରେଖା ପଲେଇ ନାମ୍ନୀ ଜଣେ ଯୁବତୀ ଉକ୍ତ ବସ୍ତିର ଜଣେ ଯୁବକଙ୍କୁ ପ୍ରେମ କରୁଥିଲେ । କିନ୍ତୁ ଯୁବକ ଜଣଙ୍କ ସୁରେଖା ଠାରୁ ବୟସରେ କମ୍ ହୋଇଥିବାରୁ ରାଜି ନହେବାରୁ ସୁରେଖା ଆତ୍ମହତ୍ୟା କରିଥିଲେ ।
- ଶ୍ରୀଲିଙ୍ଗରାଜ ଥାନା ସାମନ୍ତରାପୁର ଏକ ଭଡା ଘରେ ବିଷ ପିଇ ଭଦ୍ରକ ତିହିଡିର ନୀଳାମ୍ବର ସ୍ୱାଇଁ ଆତ୍ମହତ୍ୟା କରିଥିଲେ । ନୀଳାମ୍ବର ଜମେ ଯୁବତୀଙ୍କୁ ପ୍ରେମ କରୁଥିଲେ । କୌଣସି କାରଣରୁ ତାଙ୍କ ପ୍ରେମିକା ଆତ୍ମହତ୍ୟା କରିବା ପରେ ସେ ମଧ୍ୟ ଆତ୍ମହତ୍ୟା କରିଥିଲେ ।
- ଖଣ୍ଡିଗିର ଥାନା ଅଞ୍ଚଳରେ ଅଧ୍ୟାପିକା ସବନମ୍ ବର୍ମା ତାଙ୍କ ଠାରୁ କମ୍ ବୟସର ଜଣେ ଯୁବକଙ୍କୁ ପ୍ରେମ କରୁଥିଲେ । କିନ୍ତୁ ଯୁବକ ଜଣଙ୍କ ତାଙ୍କୁ ବିବାହ ପାଇଁ ରାଜି ନହେବାରୁ ସବନମ୍ ରଶି ଲଗାଇ ଆତ୍ମହତ୍ୟା କରିଥିଲେ ।
- ମଞ୍ଚେଶ୍ୱର ଥାନା ଅଞ୍ଚଳରେ ଜଣେ ଯୁବକଙ୍କ ଠାରୁ ବୟସରେ ବଡ ଜଣେ ଯୁବତୀଙ୍କୁ ପ୍ରେମ କରୁଥିଲେ । ସେ ପ୍ରେମରେ ବିଫଳ ହେବାରୁ ଲାଇଭ୍ ସୁଇସାଇଡ୍ କରିଥିଲେ ।
- ସହିଦ ନଗର ଥାନା ଅଧୀନ ମହର୍ଷି କଲେଜରେ ଯୁକ୍ତଦୁଇ ପାଠ ପଢୁଥିବା ଜଣେ ଛାତ୍ର ପ୍ରେମରେ ବିଫଳ ହେବାରୁ ଆତ୍ମହତ୍ୟା କରିଛନ୍ତି ।