ରତ୍ନବେଦୀ ଛାଡ଼ି ସ୍ନାନବେଦୀକୁ ଆସିବେ ମହାବାହୁ । ରାତି ପାହିଲେ ଭାଇ ଭଉଣୀଙ୍କ ସହ ସ୍ନାନବେଦୀରେ 108 ଗରା ସୁବାସିତ ଜଳରେ ସ୍ନାନ କରିବେ ଚତୁର୍ଦ୍ଧାବିଗ୍ରହ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ସ୍ନାନ ପୂର୍ଣ୍ଣିମାରେ ଭକ୍ତଙ୍କ ପ୍ରବଳ ସମାଗମକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଚଳିତ ବର୍ଷ ପଞ୍ଚସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବା ସହ ସମୁଦାୟ 3 ହଜାର 5 ଶହ ସୁରକ୍ଷାକର୍ମୀ ଓ 60 ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ।
ସେପଟେ ସ୍ନାନ ପୂର୍ଣ୍ଣିମା ସ୍ବତନ୍ତ୍ର ନୀତିକାନ୍ତି କରାଯାଇଛି । ଆଜି ରାତି 3 ଟା 30ରେ ମହାପ୍ରଭୁଙ୍କ ମଙ୍ଗଳାର୍ପଣ କରାଯାଇ ଧାଡି ପହଣ୍ଡିରେ ଚତୁର୍ଦ୍ଧା ବିଗ୍ରହଙ୍କୁ ସ୍ନାନବେଦୀ ଉପରକୁ ବିଜେ କରାଯିବ । ଭୋର 4ଟାରୁ ପହଣ୍ଡି ଆରମ୍ଭ ହୋଇ ସକାଳ 6ଟା ସୁଦ୍ଧା ଶେଷ ହେବା ପରେ ମଙ୍ଗଳଆଳତୀ, ମଇଲମ ଓ ଅନ୍ୟାନ୍ୟ ନୀତି କରାଯାଇ ସକାଳ 9ଟା 30ରୁ ସାଢେ 11ଟା ମଧ୍ୟରେ ଜଳଲାଗି ନୀତି ଅନୁଷ୍ଠିତ ହେବ | ସୁନା ଗୋସେଇଁଙ୍କ ଦ୍ବାରା ସୁନାକୂଅରୁ ସଂଗୃହିତ ସୁବାସିତ ଜଳକୁ ସ୍ନାନବେଦୀକୁ ଆଣିବା ପରେ ପଞ୍ଚଉପଚାର ଵିଧିରେ ମେକାପଙ୍କ ସହାୟତାରେ ଜଳଲାଗି କରାଯିବ ।
ପରେ ମହାପ୍ରଭୁଙ୍କ ଛେରାପହଁରା ନୀତି ବଢିବା ପରେ ମଧ୍ୟାହ୍ନ 12.45ରୁ 2.30 ମଧ୍ୟରେ ହାତୀବେଶ କରାଯାଇ ଭୋଗ ଅନୁଷ୍ଠିତ ହେବ | ସଂଧ୍ୟା ୬ଟାରୁ ୯ଟା ୩୦ ଯାଏ ମହାପ୍ରଭୁଙ୍କ ଏ ଦୁର୍ଲଭ ବେଶ ଦେଖିବେ ଭକ୍ତଗଣ । ରାତି 10ଟାରୁ ରାତି ଗୋଟାଏ ମଧ୍ୟରେ ବାହୁଡା ପହଣ୍ଡି ଅନୁଷ୍ଠିତ ହେବ। ସ୍ନାନ ପୂର୍ଣ୍ଣିମାରେ ମହାପ୍ରଭୁଙ୍କ ଏ ଦୁର୍ଲଭ ବେଶ ଦର୍ଶନ ପାଇଁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବ ।
ଅଧିକ ପଢନ୍ତୁ ଓଡ଼ିଶା ଖବର