ମହାନଦୀରେ ଅଘଟଣ । ବଣ ଭୋଗୀ ସାରି ଫେରିବା ବେଳେ ଡଙ୍ଗା ବୁଡ଼ି 9 ଜଣଙ୍କ ମୃତୁ୍ୟ ଘଟିଛି । ମୃତକଙ୍କ ମଧ୍ୟରେ 7 ଜଣ ଶିଶୁ ଥିବା ବେଳେ 2 ଜଣ ମହିଳା ରହିଛନ୍ତି । ଏହା ସହ ଡଙ୍ଗାରେ ଥିବା ଅନ୍ୟ 40 ଜଣ ଯାତ୍ରୀ ଉଦ୍ଧାର ହୋଇଛନ୍ତି ।
ଗତକାଲି ସନ୍ଧ୍ୟା 7ଟାରେ ମହାକାଳପଡ଼ାର ହୁକିଟୋଲା ଦ୍ୱୀପରୁ ବଣଭୋଜି ସାରି 19 ଟି ପରିବାରର ପ୍ରାୟ 50 ଜଣ ଯାତ୍ରୀ ଗୋଟିଏ ଡଙ୍ଗାରେ ଫେରୁଥିଲେ । ବତୀଘର ନିକଟ ସାନନିପାଣିଆ ଭାନୁଗିରିଘାଟରେ ଜଣେ ମହିଳା ସୌଚ ପାଇଁ କହିବାରୁ ସେହି ସ୍ଥାନରେ ଡଙ୍ଗାଚାଳକ କୂଳକୁ ଡଙ୍ଗା ନେଉଥିଲେ । ଅଚାନକ ଏକ ମାଛ ଧରା ବୋଟ୍ ଦ୍ରୁତ ଗତିରେ ଡଙ୍ଗା ଆଡ଼କୁ ଆସିଯିବାରୁ ଭୟରେ ଡଙ୍ଗାରେ ଥିବା ଯାତ୍ରୀମାନେ ଗୋଟିଏ ପଟକୁ ଆଉଜି ଯାଇଥିଲେ । ଫଳରେ ଡଙ୍ଗାଟି ସେଠାରେ ଭାରସାମ୍ୟ ହରାଇ ଲେଉଟି ପଡ଼ିଥିଲା । ସନ୍ଧ୍ୟା ସମୟରେ ଜୁଆର ଥିବାରୁ ଯାତ୍ରୀମାନେ ପାଣି ଭିତରକୁ ଟାଣି ହୋଇଯାଇଥିଲେ । ଜୁଆର ସ୍ରୋତରେ କେତେକ ପହଁରି ପହଁରି କୂଳକୁ ଆସିଥିଲେ ।
ଖବର ପାଇଁ ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚି 40 ଜଣଙ୍କୁ ଉଦ୍ଧାର କରି ଉଚ୍ଚ ସ୍ଥାନକୁ ନେଇଥିଲେ । ସନ୍ଧ୍ୟାରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଉଦ୍ଧାର କାର୍ଯ୍ୟ ଲାଗି ଯାରି ରହିଥିଲା । ଜିଲ୍ଲାପାଳ ଓ ଉପଜିଲ୍ଲାପାଳ, ତଟରକ୍ଷୀ ବାହିନୀ, ଓଡ୍ରାଫ୍, ଅଗ୍ନିଶମ କର୍ମଚାରୀ ମିଳିତ ଉଦ୍ଧାର କାର୍ଯ୍ୟରେ ଲାଗିଥିଲେ । 9ଟି ମୃତ ଦେହ ଉଦ୍ଧାର କରାଯାଇଥିବା ବେଳେ ଏବେ ସୁଦ୍ଧା ଜଣଙ୍କର ଖୋଜ୍ ଖବର ମିଳିନାହିଁ ।
