ଆଉ ଏବେ ନଜର ପକାନ୍ତୁ ମହନଦୀ ତଳ ମୁଣ୍ଡରେ ବ୍ୟାରେଜ ନିର୍ମାଣ କରି ବର୍ଷା ଦିନେ ସମୁଦ୍ରକୁ ବୋହି ଯାଉଥିବା ୫୨ ପ୍ରତିଶତ ପାଣିକୁ ଅଟକାଇବା ପାଇଁ କିପରି ମାଷ୍ଟର ପ୍ଲାନ କରିଥିଲେ ରାଜ୍ୟ ସରକାର । ତଥ୍ୟ ଅନୁଯାୟୀ ୭ ଟି ବଡ ବ୍ୟାରେଜ ସହ ୩୦ ଟି ସ୍ଥାନରେ ନଦୀ ମଧ୍ୟରେ ଜଳାଶୟ କରିବାକୁ ୨୦୧୭ରୁ ଘୋଷଣା କରାଯାଇଛି । ଗୋଧନେଶ୍ବର, ଦେଓଙ୍ଗା, କପାସିରା, ଖଇରମାଳ,ସୁବଳୟା, ମଣିଭଦ୍ରା, ମୁଣ୍ଡଳୀ ଭଳି ୭ ଟି ସ୍ଥାନରେ ବ୍ୟାରେଜ ନିର୍ମାଣ କରିବାକୁ ଘୋଷଣା କରାଯାଇଥିଲା । ଏହାବାଦ୍ ନଦୀ ଭିତରେ ଜଳାଶୟ ଲାଗି ୧୮ ଟି ଛୋଟ ପ୍ରକଳ୍ପ ପାଇଁ ୧୦୦ କୋଟି, ୯ ଟି ବୃହତ ପ୍ରକଳ୍ପ ଲାଗି ୧୦୦ ରୁ ୫୦୦ କୋଟି ଏବଂ ଦୁଇଟି ଜମ୍ବୋ ପ୍ରକଳ୍ପ ପାଇଁ ୫୦୦ କୋଟିର ଘୋଷଣା କରାଯାଇଥିଲେ ବି ଗୋଟିଏ ବି ପ୍ରକଳ୍ପ ବାସ୍ତବ ରୂପ ନେଇ ପାରନି । ଏ ସବୁ ଭିତରେ ଓଡିଶାର ଜଳାଶୟକୁ ବଞ୍ଚାଇ ରଖିବା ସହ ନୂଆ ଜଳାଶୟ ନିର୍ମାଣ ଲାଗି କେନ୍ଦ୍ର ସରକାର ନେଇଛନ୍ତି ବଡ ପଦକ୍ଷେପ । ରାଜ୍ୟର ସବୁ ଜିଲ୍ଲାରେ ୭୫ଟି ଲେଖାଏଁ ଜଳାଶ୍ରୟ ନିର୍ମାଣ କରାଯିବା ସହ ୪୦ ଟି ଡ୍ୟାମ୍ ର ଉନ୍ନତିକରଣ ଲାଗି ୪୦୮ କୋଟି ବ୍ୟୟ ବରାଦ କରାଯାଇଥିବା କହିଛନ୍ତି କେନ୍ଦ୍ର ମନ୍ତ୍ରୀ । ସେପଟେ ବିଧାନସଭାର ଷ୍ଟାଣ୍ଡିଂ କମିଟି ବୈଠକରେ ଖୋଲିଛି ଜଳ ସମ୍ପଦ ବିଭାଗର ଗୁମର । ବିଭାଗରେ ଅନେକ ଗୁଡିଏ ଲାକୁନା ରହୁଥିବା ଧରିଛି ଷ୍ଟାଣ୍ଡିଂ କମିଟି ।
ମହାନଦୀର ଶାଖା ନଦୀ କହୁଯାଉଥିବା ତେଲ ନଦୀ ଉପରେ ଓଡ଼ିଶାର ଚନ୍ଦାହାଣ୍ଡି ସୀମାନ୍ତ ଖପରାଡିହି ନିକଟରେ ବ୍ୟାରେଜ ନିର୍ମାଣ କରୁଛି ଛତିଶଗଡ଼ । ସେହିପରି ସୀତାନଦୀ ନିକଟ ବ୍ୟାଘ୍ର ଅଭୟାରଣ୍ୟ ଠାରେ ଉଦନ୍ତି ନଦୀ ଉପରେ ବ୍ୟାରେଜ ନିର୍ମାଣ ପାଇଁ ପ୍ରସ୍ତାବ ରଖିଛି ଛତିଶଗଡ । ଯାହାଦ୍ବାରା କଳାହାଣ୍ଡି ନୂଆପଡ଼ା, ନବରଙ୍ଗପୁର, ବଲାଙ୍ଗୀର, ସୋନପୁର, ଢେଙ୍କାନାଳ, ଅନୁଗୁଳ, ବୈାଦ୍ଧ ଓ କଟକ ଜିଲ୍ଲା ପ୍ରଭାବିତ ହେବାର ଆଶଙ୍କା ପ୍ରକାଶ ପାଇଛି ।