ଅର୍ଗସ ବ୍ୟୁରୋ: କୋମାରେ ରାଜ୍ୟ ମହିଳା କମିଶନ। ସମାଧାନ ହୋଇପାରୁନି 93 ପ୍ରତିଶତ ମାମଲା। ରୁଜୁ ହେଉଥିବା ମାମଲାରୁ ସମାଧାନ ହୋଇପାରୁଛି ମାତ୍ର 7 ପ୍ରତିଶତ। ଗୋଟିଏ ପଟେ ରାଜ୍ୟ, ମହିଳାଙ୍କ ଉପରେ ହେଉଥିବା ନିର୍ଯ୍ୟାତନାରେ ଦେଶରେ ନମ୍ବର ଓ୍ବାନ ଥିବା ବେଳେ ମହିଳାଙ୍କୁ ନ୍ୟାୟ ଦେବା ପାଇଁ ଥିବା କମିଶନ କେମିତି କାର୍ଯ୍ୟକରୁଛି ତାହାର ଗୁମର ସରକାରୀ ତଥ୍ୟ ଖୋଲିଛି।
ବିଧାନସଭାରେ ବିଭାଗୀୟ ମନ୍ତ୍ରୀ ଟୁକୁନୀ ସାହୁ ରଖିଥିବା ଉତ୍ତର ଅନୁସାରେ 1993 ରୁ ଏପର୍ଯ୍ୟନ୍ତ ମୋଟ 74,176 ଟି ମାମଲା ରୁଜୁ ହୋଇଥିବା ବେଳେ 63,046 ଟି ମାମଲାର ସମାଧାନ ହୋଇସାରିଛି । ତେବେ ସମାଧାନ ନହୋଇ 11,130 ଟି ପଡି ରହିଛି। ତଥ୍ୟ କହୁଛି 2010 ପର୍ଯ୍ୟନ୍ତ ସମାଧାନ ହୋଇ ନଥିବା ମାମଲା ସଂଖ୍ୟା ନିଲ୍ ଥିବା ବେଳେ ଗତ 10 ବର୍ଷ ଭିତରେ ଏହା ବଢ଼ି ବଢ଼ି ଚାଲିଛି । ଏପରିକି 2017 ,2018 ଓ 2019ରେ ପେଣ୍ଡିଙ୍ଗ କେସ ସଂଖ୍ୟା 2 ହଜାର ଉପରକୁ ରହିଛି । ଏଭଳି ସ୍ଥିତିରେ ତ୍ବରିତ ସମାଧାନ ପାଇଁ ଜିଲ୍ଲାର ସଦର ମହକୁମା ଗୁଡିକରେ ଶିବିର ଅଦାଲତ ବସାଯାଉଥିବା ବିଭାଗୀୟ ମନ୍ତ୍ରୀ ଉତ୍ତର ରଖିଥିବା ବେଳେ ଉଚିତ ପ୍ରକ୍ରିୟାରେ ସମାଧାନ ହେଉଥିବାରୁ ମାମଲା ଫଇସଲାରେ ବିଳମ୍ବ ହେଉଥିବା ପୂର୍ବତନ ମହିଳା କମିଶନ ସଦସ୍ୟ କହିଛନ୍ତି ।
ନିୟମ ଅନୁସାରେ ମହିଳା କମିଶନରେ 5 ଜଣ ସଦସ୍ୟ ରହିବା କଥା । ହେଲେ ବର୍ତ୍ତମାନ 4 ଟି ସ୍ଥାନ ପୂରଣ ଥିବା ବେଳେ ଗୋଟିଏ ପଦବୀ ଦୀର୍ଘଦିନରୁ ଫାଙ୍କା ପଡିଛି । ଏହାରି ଭିତରେ ବହୁ ଚର୍ଚ୍ଚିତ ବର୍ଷା-ଅନୁଭବ ବିବାଦ , ରାଜଧାନୀରେ ନା ବାଳିକା ଗଣ ଦୁଷ୍କର୍ମ ଓ ଝରାଫୁଲ ହତ୍ୟାକାଣ୍ଡରେ ମହିଳା କମିଶନ ତଦନ୍ତ କରୁଛନ୍ତି। ହେଲେ ଏହି ମାମଲା ଗୁଡିକରେ କେବେ ତଦନ୍ତ ସରିବ ତାକୁ ନେଇ ପ୍ରଶ୍ନ ଉଠିଛି। ସେପଟେ କ୍ୟାମ୍ପକୋର୍ଟ ହେଉନଥିବାରୁ କମିଶନଙ୍କ ପାଖରେ ମାମଲା ବଢ଼ୁଥିବାର ସମାଜସେବୀ କହିଛନ୍ତି।
ବିଭିନ୍ନ ମାମଲାରେ, ଥାନା କିମ୍ବା କୋର୍ଟରେ ସମାଧାନ ହୋଇପାରୁନଥିବା ମାମଲା ଗୁଡିକରେ ସମାଧାନର ବାଟ ମହିଳା କମିଶନ ବାହାର କରିଥାନ୍ତି । ହେଲେ ତ୍ବରିତ ସମାଧାନ ବଦଳରେ ହଜାର ହଜାର ମାମଲା ପଡି ରହିବା କମିଶନଙ୍କ କାର୍ଯ୍ୟକାରିତା ଉପରେ ପ୍ରଶ୍ନ ଉଠିଛି।