ସେପଟେ ଏହି ସବୁ ନିବେଶକାରୀମାନେ ଏମ୍ଓୟୁ ସ୍ବାକ୍ଷର କରିବା ପରେ ପ୍ରକଳ୍ପ କରିପାରିବେ କି ନାହିଁ ତାକୁ ନେଇ ସୃଷ୍ଟି ହୋଇଛି ବଡ଼ ପ୍ରଶ୍ନ । କାରଣ ଓଡ଼ିଶା ରେ ଇଜ୍ ଅଫ୍ ଡୁଇଙ୍ଗ୍ ବିଜିନେସ୍ ପାଇଁ ଶିଳ୍ପ ଏବଂ ଆଭ୍ୟନ୍ତରୀଣ ବାଣିଜ୍ୟ ପ୍ରୋତ୍ସାହନ ବିଭାଗ ପକ୍ଷରୁ ‘ବ୍ୟବସାୟ ସଂସ୍କାର ଯୋଜନା-୨୦୨୨’ ରେ ଯେଉଁ ସବୁ ସଂସ୍କାର ଆଣିବାକୁ କୁହାଯାଇଥିଲା ତାହାକୁ ସଂପୂର୍ଣ୍ଣ କାର୍ଯ୍ୟକ୍ଷମ କରିବାରେ ରାଜ୍ୟ ସରକାର ସଫଳ ହୋଇପାରିନାହାନ୍ତି । ରାଜ୍ୟ ସରକାରଙ୍କ ୧୪ଟି ବିଭାଗ ଇଜ୍ ଅଫ୍ ଡୁଇଙ୍ଗ୍ ବିଜିନେସ୍ ପାଇଁ ୨୭୬ଟି ସଂସ୍କାର ଆଣିଥିବା କହୁଥିଲେ ହେଁ କେବଳ ୧୭୪ଟିକୁ କାର୍ଯ୍ୟକ୍ଷମ କରିପାରିଛନ୍ତି । ବିଡମ୍ବନାର ବିଷୟ ଏଥିରୁ ଅଧିକାଂଶ ପୁରୁଣା ସଂସ୍କାରକୁ କାର୍ଯ୍ୟକ୍ଷମ କରିବାର ପ୍ରମାଣ ଦେଇଛନ୍ତି ରାଜ୍ୟ ସରକାର । ତେବେ ମେକଇନ୍ ଓଡିଶା କେବଳ ପ୍ରହସନ ବୋଲି କହି ସରକାରଙ୍କ ଉପରେ ବର୍ଷିଛନ୍ତି ବିରୋଧୀ ।
ଅନ୍ୟପଟେ ସରକାରଙ୍କ ପୂର୍ବ ଟ୍ରାକ ରେକର୍ଡ ବି ରାଜ୍ୟକୁ ନିବେଶକଙ୍କ ଆଗମନ ଦିଗରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । କାରଣ୨ଟି ସଂସ୍କରଣରେ ଆସିଥିବା ମୋଟ ୨୮୬ଟି ଆଗ୍ରହ ପ୍ରସ୍ତାବ ମଧ୍ୟରୁ ୧୬୪ଟି ପ୍ରସ୍ତାବକୁ ସିଙ୍ଗିଲ ୱିଣ୍ଡୋ ଅନୁମୋଦନ ମିଳିଥିଲା ବେଳେ ସେଥିରୁ ମାତ୍ର ୧୬ଟି ବୃହତ ଶିଳ୍ପ ସ୍ଥାପନ ହୋଇ ଆଂଶିକ ତଥା ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇଛି । ଆଉ ଏଥିରେ କୌଣସି କୌଣସି ବି ବିଦେଶୀ ପୁଞ୍ଜିନେବଶକାରୀ ସଂସ୍ଥା ନାହାନ୍ତି । ସେହିପରି ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ କେବଳ ୫ ହଜାର ୬୭୫ କୋଟି ଟଙ୍କାର ପୁଞ୍ଜି ନିବେଶ ଆସିଥିବା ବେଳେ କେବଳ ୫ ହଜାର ୮୭୮ଟି ନିଯୁକ୍ତି ସୃଷ୍ଟିର ଆକଳନ କରାଯାଇଛି । ଏହାବାଦ୍ ସବୁଠୁ ସାଙ୍ଘାତିକ କଥା ହେଉଛି ଶିଳ୍ପସଂସ୍ଥା ଲାଗି ଦିଆଯାଇଥିବା ସରକାରୀ ଜମିକୁ ବନ୍ଧକ ରଖି ଅନେକ ଶିଳ୍ପସଂସ୍ଥା ଋଣ ନେଇ ଯାଇଥିବା ବି ସାମ୍ନାକୁ ଆସିଛି ।