ମାତ୍ର ସରକାରଙ୍କ ପୂର୍ବ ଟ୍ରାକ ରେକର୍ଡକୁ ଦେଖିଲେ ତୃତୀୟ ସଂସ୍କରଣର ବାସ୍ତବତାକୁ ନେଇ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ । କାରଣ ୨ଟି ସଂସ୍କରଣରେ ଆସିଥିବା ମୋଟ ୨୮୬ଟି ଆଗ୍ରହ ପ୍ରସ୍ତାବ ମଧ୍ୟରୁ ୧୬୪ଟି ପ୍ରସ୍ତାବକୁ ସିଙ୍ଗିଲ ୱିଣ୍ଡୋ ଅନୁମୋଦନ ମିଳିଥିଲା। ହେଲେ ସେଥିରୁ ମାତ୍ର ୧୬ଟି ବୃହତ ଶିଳ୍ପ ସ୍ଥାପନ ହୋଇ ଆଂଶିକ ତଥା ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇଛି । ଆଉ ଏଥିରେ କୌଣସି ବି ବିଦେଶୀ ପୁଞ୍ଜିନେବଶକାରୀ ସଂସ୍ଥା ନାହାନ୍ତି । ଆଶ୍ଚର୍ଯ୍ୟର କଥା , କେବଳ ୫ ହଜାର ୬୭୫ କୋଟି ଟଙ୍କାର ପୁଞ୍ଜି ନିବେଶ ଆସିଥିବା ବେଳେ ୫ ହଜାର ୮୭୮ଟି ନିଯୁକ୍ତି ସୃଷ୍ଟିର ଆକଳନ କରାଯାଇଛି । ସେହିଭଳି ୪୮, ୬୪୯ ମଧ୍ୟମ, କ୍ଷୁଦ୍ର ଓ ଅଣୁ ଶିଳ୍ପ ୟୁନିଟରୁ ୧୧,୨୭୯ଟି ବନ୍ଦ ହୋଇଛି । ସାଙ୍ଘାତିକ କଥା ହେଲା, ଶିଳ୍ପସଂସ୍ଥା ଲାଗି ଦିଆଯାଇଥିବା ସରକାରୀ ଜମିକୁ ବନ୍ଧକ ରଖି ଅନେକ ଶିଳ୍ପସଂସ୍ଥା ଋଣ ନେଇ ଯାଇଥିବା ବି ସାମ୍ନାକୁ ଆସିଛି ।
ରାଜ୍ୟ ସରକାରଙ୍କ ଶିଳ୍ପାୟନ ସ୍ବପ୍ନକୁ ନେଇ ଜୋର ଧରିଛି ରାଜନୈତିକ ବୟାନବାଜି । ସରକାରଙ୍କ ଆଭିମୁଖ୍ୟକୁ ବିରୋଧୀ ଭର୍ସନା କରିଥିବା ବେଳେ ଜବାବ ରଖିଛି ବିଜେଡି । ରାଜ୍ୟରେ କୃଷି ଓ ଖାଦ୍ୟ ପ୍ରକିୟାକରଣ, ସମୁଦ୍ର ଆଧାରିତ ବ୍ଲୁ ଇକୋନମି, ବୟନ ଶିଳ୍ପ ଓ କପଡା, ପର୍ଯ୍ୟଟନ ପରି ଶିଳ୍ପର ଅପାର ସମ୍ଭାବନା ରହିଛି। ମାତ୍ର, କାହିଁକି ପୁଞ୍ଜିନିବେଶରେ ରାଜ୍ୟକୁ ସଫଳତା ମିଳୁନି ?