କଣ୍ଟାବାଞ୍ଜି ଜେଲରେ ଆତ୍ମହତ୍ୟା କରିଛନ୍ତି ମମିତା ମେହେର ମୃତ୍ୟୁ ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ । ଆଜି କୋର୍ଟରେ ହାଜର ହୋଇଥାନ୍ତେ ସେ । ଏଭଳି ସ୍ଥିତିରେ ଗୋବିନ୍ଦଙ୍କ ଆତ୍ମହତ୍ୟାକୁ ନେଇ ବଢୁଛି ସସପେନ୍ସ । ଆତ୍ମହତ୍ୟା ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । NHRC, ସୁପ୍ରିମକୋର୍ଟ ଓ ଜୁଡିସିଆଲ ଗାଇଡଲାଇନ୍ ଅନୁସାରେ ତଦନ୍ତ ହେବ ବୋଲି କହିଛନ୍ତି ଉତ୍ତରାଞ୍ଚଳ ପୋଲିସ ଆଇଜି ।
କଣ୍ଟାବାଞ୍ଜି ଜେଲରେ କଡା ସୁରକ୍ଷା ବଳୟ ଭିତରେ ଗୋବିନ୍ଦ କିଭଳି ଆତ୍ମହତ୍ୟା କଲେ ସମ୍ପୂର୍ଣ ଘଟଣାରେ ଜାତୀୟ ମାନବ ଅଧିକାର କମିଶନଙ୍କ ନିକଟରେ ମାମଲା ଦାୟର ହୋଇଛି । ସେପଟେ ଏହି ମାମଲାରେ ଆଉ ଏକ ନୂଆ ମୋଡ ସାମ୍ନାକୁ ଆସିଛି । ମମିତା ମେହେରଙ୍କ ମୃତ ଦେହର ଅବଶେଷାଂଶ ମମିତାଙ୍କର କି ନୁହେଁ ତାକୁ ନେଇ ଦ୍ଵନ୍ଦ୍ବ ସୃଷ୍ଟି ହୋଇଛି । ମମିତାଙ୍କ ମାତା ପିତାଙ୍କ ଡିଏନଏ ପ୍ରୋଫାଇଲିଙ୍ଗ ସହ ମିଳିଥିବା ଅବଶେଷର ଡିଏନଏ ପ୍ରୋଫାଇଲ ମ୍ୟାଚ୍ କରୁନାହିଁ ବୋଲି ରିପୋର୍ଟରୁ ସ୍ପଷ୍ଟ ହୋଇଛି । ଆଜି ହାଇକୋର୍ଟରେ ଗୋବିନ୍ଦଙ୍କ ଜାମିନ ଆବେଦନର ଶୁଣାଣି ହେବାର ଥିଲା । କିନ୍ତୁ ତାଙ୍କ ମୃତ୍ୟୁ ଯୋଗୁଁ ମାମଲାର ଶୁଣାଣି ବନ୍ଦ ରହିଥିଲା ।
ଗୋବିନ୍ଦ ସାହୁ ଆତ୍ମହତ୍ୟା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଘେରିଛନ୍ତି ଉଭୟ ବିଜେପି ଓ କଂଗ୍ରେସ । ପୂର୍ବତନ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ କ୍ଲିନ୍ ଚିଟ୍ ଦେବା ପାଇଁ ଏହା ଏକ ଷଡ଼ଯନ୍ତ୍ର ବୋଲି ଅଭିଯୋଗ କରିଛନ୍ତି ଦୁଇ ଦଳ। ବିଜେପି କହିଛି, ସିବିଆଇ ତଦନ୍ତ ହେଲେ ମାମଲାର ସତ୍ୟାସତ ସାମ୍ନାକୁ ଆସିବ । କଂଗ୍ରେସ ମଧ୍ୟ ମାମଲାର ସିବିଆଇ ତଦନ୍ତ ଦାବି କରିଛି ।
ମମିତା ମେହେର ମାମଲାରେ ବିବାଦ ଆସୁଥିଲେ ସେତେବେଳେର ଗୃହରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ୍ ଦିବ୍ୟ ଶଙ୍କର ମିଶ୍ର ଏବଂ ସନସାଇନ ସ୍କୁଲ ଓ ମହାଲିଙ୍ଗ କଲେଜ ମୁଖ୍ୟ ଗୋବିନ୍ଦ ସାହୁ । ଯିଏକି ଦିବ୍ୟଶଙ୍କର ମିଶ୍ରଙ୍କ ଖାସ୍ ଥିଲେ । ସନସାଇନ ସ୍କୁଲ ପ୍ରିନସପାଲ୍ ମମିତା ମେହେରଙ୍କ ନିଖୋଜ ପରେ ସାମ୍ନାକୁ ଆସିଥିଲା ଘଟଣା । ଏହାପରେ ମମିତାଙ୍କ ମୃତଦେହ ମିଳିଥିଲା ମହାଲିଙ୍ଗରୁ । ଗିରଫ ହୋଇଥିଲେ କଲେଜ ମାଲିକ ଗୋବିନ୍ଦ ସାହୁ । ଏହାପରେ ଟିଟଲାଗଡ଼ ଥାନାରୁ ଚମ୍ପଟ ମାରିଥିଲେ ଗୋବିନ୍ଦ । ପରେ ନାଟକୀୟ ଭାବେ ଧରାପଡିଥିଲେ।
ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।