
ରାୟଗଡ଼ା: ରାୟଗଡ଼ାରେ କୋରୋନା ! କାଶୀପୁରର ଜଣେ କୋରୋନାରେ ଆକ୍ରାନ୍ତ ! କେରଳରୁ ଫେରିଥିଲା ଦାଦନ ଶ୍ରମିକ । ରାୟଗଡା ମୁଖ୍ୟ ଚିକିତ୍ସାଲୟରେ ଭର୍ତି । ଏପରି ଗୁଜବ ଖବର ସୋସିଆଲ୍ ମିଡିଆରେ ପୋଷ୍ଟ କରିବା ଅଭିଯୋଗରେ ଆଜି ମୁନିଗୁଡା ପୋଲିସ ଜଣକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣକ ସତ୍ୟନାରାୟଣ ସାମଲ ଓ ତା ଘର ଅମ୍ବାଦୋଳାରେ ବୋଲି ରାୟଗଡା ଏସପି ସୂଚନା ଦେଇଛନ୍ତି ।
ଗତକାଲି ରାତି ପ୍ରାୟ ୧୦.୧୨ ମିନିଟରେ ସତ୍ୟନାରାୟଣ କୋରୋନା ରୋଗିକୁ ନେଇ ସୋସିଆଲ୍ ମିଡିଆରେ ପୋଷ୍ଟ କରିଥିଲେ । ପରେ ଏହି ଘଟଣାକୁ ନେଇ ଜିଲ୍ଲାରେ ହଇଚଇ ସୃଷ୍ଟି ହୋଇଥିଲା । ଜିଲ୍ଲା ପ୍ରଶାସନ ଘଟଣାକୁ ଗୁରୁତ୍ୱର ଭାବେ ଗ୍ରହଣ କରିଥିଲା । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସହ ସମସ୍ତ ବ୍ଲକରେ ଥିବା ମେଡିକାଲର ରୋଗିଙ୍କୁ ଚିହ୍ନଟ କରିଥିଲା । ପରେ ଏହି ଖବର ଗୁଜବ ବୋଲି ଜଣାପଡିଥିଲା ।
ତେବେ ଏହି ଘଟଣାରେ ଏସପିଙ୍କ ନିର୍ଦେଶ କ୍ରମେ ସୋସିଆଲ୍ ମିଡିଆରେ ଗୁଜବ କରିଥିବା ସଂପୃକ୍ତ ବ୍ୟକ୍ତି ସତ୍ୟନାରାୟଣ ସାମଲକୁ ଗିରଫ କରିଛି । ଏନେଇ ମୁନିଗୁଡା ଥାନାରେ ଏକ ମାମଲା ରୁଜୁ କରାଯାଇ ପୋଲିସ ଘଟଣାର ଅଧିକ ତଦନ୍ତ କରୁଛି । ତେବେ ଯେଉଁଭଳି ଭାବରେ କୋରୋନା ଭାଇରସ ମହାମାରୀର ରୂପ ନେଉଛି । ତାହାକୁ ନେଇ ଭୟଭୀତ ଅବସ୍ଥାରେ ଲୋକେ । ଆଉ ଏହି ସମୟରେ କିଛି ଲୋକଙ୍କ ମିଚ ଗୁଜବ ଚିନ୍ତାର କାରଣ ପାଲଟୁଛି ।
