ମାନସ ସ୍ବାଇଁଙ୍କ ହତ୍ୟାକାଣ୍ଡ ପଛରେ ରହିଛନ୍ତି ରାଜନେତା, ମନ୍ତ୍ରୀ ଅଫିସରଙ୍କ ହାତ । ଶର୍ମିଷ୍ଠା ରାଉତ ମୁଖ୍ୟ ଆସାମୀ । ତାକୁ ଫାଶି ଦିଆଯାଉ । ମାନସଙ୍କ ପତ୍ନୀ ଆଜି ସିଧା ସିଧା ରାଜ୍ୟ ସରକାରଙ୍କ ନେତା ମନ୍ତ୍ରୀଙ୍କ ବିରୋଧରେ ଆଣିଛନ୍ତି ସଙ୍ଗୀନ ଅଭିଯୋଗ । ଏବେ ବଡ ପ୍ରଶ୍ନ କିଏ ସେ ଏହି ରାଜନେତା? କିଏ ସେ ଏହି ମନ୍ତ୍ରୀ ? କିଏ ସେ ଏହି ଅଫିସର ?
ମାନସ, ଶର୍ମିଷ୍ଠା, ରଂଜନ ଆଉ ନିରଞ୍ଜନ । ଶର୍ମିଷ୍ଠା, ୱେବପୋର୍ଟାଲର ମାଲିକଆଣି । ଯାହାଙ୍କର ଏବେ କୌଣସି ଖବର ମିଳୁନାହିଁ । ମାନସ ହତ୍ୟାକାଣ୍ଡରେ ଶର୍ମିଷ୍ଠାଙ୍କର ବଡ ଭୂମିକା ରହିଥିବା ନେଇ ସନ୍ଦେହ ବଢୁଛି । କୁଆଡେ ଗଲେ ଶର୍ମିଷ୍ଠା ? ଶର୍ମିଷ୍ଠାଙ୍କ ସହଯୋଗୀ ଝୁନୁ ଭୋଇ ମଧ୍ୟ ଫେରାର ।
ପୋଲିସର ସୂଚନା ଅନୁସାରେ ଏହି ମର୍ଡରରେ ରହିଛି ନିରଞ୍ଜନଙ୍କ ସକ୍ରିୟ ଭୂମିକା । ସୂଚନା ଅନୁସାରେ ନିରଞ୍ଜନ ସେଠୀଙ୍କ ନିର୍ଦ୍ଦେଶନାରେ ଏହି ହତ୍ୟାକାଣ୍ଡ ହୋଇଥିଲା। ଅର୍ଥାତ ହତ୍ୟାକାଣ୍ଡର ଷଡଯନ୍ତ୍ର ରଚିଥିଲେ ନିରଞ୍ଜନ। ଆଉ ଏହି ମର୍ଡର ପ୍ଲାନକୁ ବାସ୍ତବ ରୁପ ଦେଇଥିଲେ ରଂଜନ। ଏପରିକି ହତ୍ୟାକାଣ୍ଡ ପୂର୍ବରୁ ମାନସକୁ ମାରଣାସ୍ତ୍ରରେ ଶକ୍ତ ଆଘାତ ଦିଆଯାଇଥିଲା । ହତ୍ୟା କରିବା ପରେ ମୃତଦେହକୁ ଲୁଚାଇବାକୁ ହୋଇଥିବା ଷଡଯନ୍ତ୍ରରେ ମଧ୍ୟ ସାମିଲ ଥିଲେ ନିରଞ୍ଜନ। ଏବେ ପୋଲିସ ନିରଞ୍ଜନଙ୍କୁ ଗିରଫ କରିଛି । ରାଜ କମ୍ୟୁନିକେସନ ମାଲିକ ରଂଜନ ନାୟକଙ୍କୁ ମଧ୍ୟ ଗିରଫ କରିଛି ।
ନିରଞ୍ଜନ ସୂଚନା ଓ ଲୋକସମ୍ପର୍କ ବିଭାଗରେ ଟେକନିକାଲ ଡାଇରେକ୍ଟର ରହିଥିବା ବେଳେ ଶର୍ମିଷ୍ଠାଙ୍କ ପୋର୍ଟାଲକୁ ଅହେତୁକ ଅନୁକମ୍ପା ମିଳିଥିବା ନେଇ ସୂଚନା ମିଳିଛି । ଏପରିକି ଏହି ଦୁଇ ଜଣଙ୍କ ସମ୍ପର୍କକୁ ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଛି । ଆଶଙ୍କା କରାଯାଉଛି, ଏହି ସମ୍ପର୍କ ବିଷୟରେ ମାନସଙ୍କୁ କିଛି ସଂକେତ ବୋଧହୁଏ ମିଳିସାରିଥିଲା। କାଳେ କଥା ବାହାରେ ପ୍ରଘଟ ହୋଇଯିବ ସେଥିପାଇଁ ମାନସକୁ ସବୁ-ଦିନ ପାଇଁ ରାସ୍ତାରୁ ହଟାଇବାକୁ ନିରଞ୍ଜନ ଓ ଶର୍ମିଷ୍ଠା ମିଳିତ ଭାବେ ଷଡଯନ୍ତ୍ର ରଚିଥିବା ଅନୁମାନ କରାଯାଉଛି ।
ପୁରା ଘଟଣାରେ ଯେଉଁ ମେମୋରି ଚିପକୁ ନେଇ ତନାଘନା ଜାରି ରହିଛି, ସେ ସମ୍ପର୍କରେ ପୋଲିସ ପାଖରେ କୌଣସି ଖବର ନାହିଁ । ହତ୍ୟାକାଣ୍ଡରେ ଏକାଧିକ ଲୋକଙ୍କ ସମ୍ପୃକ୍ତି ରହିଛି । ଚାନ୍ଦବାଲି ପୋଲିସର ଏକାଧିକ ଟିମ ବିଭିନ୍ନ ସ୍ଥାନରେ ରେଡ ଡାରି ରଖିଛନ୍ତି । ମାନସ ମର୍ଡର ଘଟଣାରେ ପୋଲିସ ପୂର୍ବରୁ ୩ଜଣଙ୍କୁ ଗିରଫ କରିସାରିଥିବା ବେଳେ ଆଜି ଆଉ ୨ଜଣଙ୍କୁ ଗିରଫ କରିଛି । ଶର୍ମିଷ୍ଠା ପୋଲିସ କବଜାକୁ ଆସିବା ପରେ ମାନସ ହତ୍ୟାକାଣ୍ଡରେ ଅଧିକ ଖୁଲାସା ହୋଇପାରିବ ।