
ଅର୍ଗସ ବ୍ୟୁରୋ : ବିଶ୍ବ ପ୍ରସିଦ୍ଧ ଧନୁଯାତ୍ରା ମହୋତ୍ସବ ପାଇଁ ଚଳଚଞ୍ଚଳ ବରଗଡ଼ ମଥୁରାନଗରୀ ଓ ଗୋପପୁର ଅମ୍ବାପାଲି। ଆରମ୍ଭ ହୋଇଯାଇଛି ଧନୁଯାତ୍ରା କମିଟି ପକ୍ଷରୁ ଜୋରସୋରରେ ପ୍ରସ୍ତୁତି। ପରମ୍ପରା ଅନୁସାରେ ଆଜି ବରଗଡ଼ କଲ୍ୟାଣ ମଣ୍ଡପଠାରେ ମୁକ୍ତାକାଶ ରଙ୍ଗମଞ୍ଚରେ ଅଭିନୟ କରିବା ପାଇଁ ଆରମ୍ଭ ହୋଇଛି ମହାରାଜା କଂସ ଓ ପାତ୍ରମନ୍ତ୍ରୀଙ୍କ ଆଖଡ଼ା। ଅତିରିକ୍ତ ଜିଲ୍ଲାପାଳ ମିର୍ଦ୍ଧା ଟପ୍ପୋ ମାଁ ସରସ୍ବତୀଙ୍କ ଫଟୋଚିତ୍ରରେ ପୂଜାର୍ଚ୍ଚନା କରି ଏହି ଆଖଡ଼ା ଶାଳାକୁ କରିଛନ୍ତି ଉଦଘାଟନ। ଆସନ୍ତା ଡିସେମ୍ବର ୨୬ ତାରିଖରୁ ଜାନୁୟାରୀ ୬ ପର୍ଯ୍ୟନ୍ତ ବିଶ୍ବ ପ୍ରସିଦ୍ଧ ଧନୁଯାତ୍ରା ଅନୁଷ୍ଠିତ ହେବ। ଉଦଘାଟନୀ ଉତ୍ସବରେ ବାହାରିବ ବିଶାଳ ସାଂସ୍କୃତିକ ଶୋଭାଯାତ୍ରା। ପାରମ୍ପରୀକ ବେଶଭୂଷାରେ ସଜେଇ ହେବେ 3000 କଳାକାର। ଲୋକବାଜା, ଲୋକ ନୃତ୍ୟ ତାଳେ ତାଳେ ଝୁମିବେ ସମଗ୍ର ମଥୁରାବାସୀ। ମଥୁରାନଗରୀରେ ମହାରାଜା କଂସଙ୍କ ରାଜ ଦରବାର ଓ ଗୋପପୁରରେ ଶ୍ରୀକୃଷ୍ଣ ବାଲ୍ୟଲୀଳା ଓ ନନ୍ଦୋତ୍ସବ ପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି। କୃଷ୍ଣ, ବଳରାମ, ରାଧା, ସୁଦାମା ଆଦି ଗୋପୀ, ଗୋପାଙ୍ଗନାଙ୍କ ପ୍ରେମରେ ବିଭୋର ହେବେ ସମଗ୍ର ଗୋପପୁରବାସୀ। ପ୍ରଚ୍ଛଦ ପଟ୍ଟରେ ରହି ଧନୁଯାତ୍ରା ମହୋତ୍ସବକୁ ସରସ, ସୁନ୍ଦର ଏବଂ ସଫଳ କରିବା ପାଇଁ ମନପ୍ରାଣ ଦେଇ ଲାଗି ପଡ଼ିଛନ୍ତି ଧନୁଯାତ୍ରା କମିଟି ଓ ଜିଲ୍ଲା ପ୍ରଶାସନ।
