ଭିତରକୁ ଯିବା ପୂର୍ବରୁ ହୋଟେଲର ବାହାର ଦୃଶ୍ୟ ପୁରା ମନ କିଣି ନେଉଛି । ସବୁ ସାଜ ସଜ୍ଜା ଦେଶୀ ଷ୍ଟାଇଲ୍ ରେ । କାଠ ଚୁଲି ରୋଷେଇକୁ ଶିଳ ବଟା ମସଲା । ପୁଣି ମଟନ ସାଙ୍ଗକୁ ଘିଅ ଅନ୍ନ । ଏସବୁ ଦେଖି ଆପଣଙ୍କ ମୁହଁରେ ପାଣି ଆସିଯିବଣି।
ସକାଳୁ ସକାଳୁ ପ୍ରସ୍ତୁତି ଆରମ୍ଭ କରିଦେଲେଣି ହୋଟେଲ କର୍ମଚାରୀ । ମସଲା ପ୍ରସ୍ତୁତ ହେଉଛି । ଜଣେ ପିଆଜ କାଟିଲା ବେଳକୁ ଆଉ ଜଣେ ଅଦା ଛେଚୁଛନ୍ତି । ଶିଳ ବଟା ମସଲା ଆଉ କାଠ ଚୁଲିରେ ରୋଷେଇ କଲେ ଖାଇବା ଆହୁରି ସ୍ୱାଦିଷ୍ଟ ଲାଗିଥାଏ । ସାଧାରଣତଃ ଘରମାନଙ୍କରେ ଏମିତି ପ୍ରସ୍ତୁତି ହୋଇଥାଏ । ହେଲେ ଏହି ହୋଟେଲରେ ସ୍ୱାଦକୁ ଦୃଷ୍ଟିରେ ରଖି ପାରମ୍ପରିକ ଶୈଳୀରେ ଖାଦ୍ୟ ପ୍ରସ୍ତୁତ କରାଯାଉଛି ।
କାଠ ଚୁଲିରେ ହଣ୍ଡା ବସିଲା । ପିଆଜ ଭଜା ହୋଇ ଶିଳରେ ବଟା ହୋଇଥିବା ଅଦା ରସୁଣ ପେଷ୍ଟ ପଡି କଷା ହେଉଛି । ଆଉ କଷା ଭଲ ଭାବରେ ହେଲା ପରେ ସେଥିରେ ପୋସ୍ତ ବଟା ପକାଯାଉଛି । ଆଉ ଶେଷରେ ଦେଶୀ ଖାସୀ ମାଂସକୁ ପକାଇ ଭଲ ଭାବରେ କଷା ଯାଉଛି । ଶେଷରେ ଡାଲଚିନି, ଗୁଜରାତି ଗୁଣ୍ଡ ପକାଇଲା ପରେ ପ୍ରସ୍ତୁତ ହୋଇଯିବ ଦେଶୀ ମଟନ ଝୋଳ ।
ଯାହାକୁ ଖାଇବାକୁ ଏଠି ଲୋକଙ୍କ ଗହଳି ଲାଗେ । ଲାଗିବନି ବା କାହିଁକି ବାହାରୁ ଯେମିତି ଚକା ଚକ ଭିତରୁ ମଧ୍ୟ ହୋଟେଲ ସେତିକି ପରିସ୍କାର ।
କଟକ ପାରାଦୀପ ମୁଖ୍ୟ ରାସ୍ତା ତିର୍ତ୍ତୋଲ ଛକ ନିକଟରେ ରହିଛି ହୋଟେଲ ମାଉସୀ ମା । ଏହାର ପ୍ରସ୍ତୁତିରୁ ଆପଣ ଜାଣିପାରୁଥିବେ ଏହି ହୋଟେଲର ଏମିତି ନାମକରଣ କାହିଁକି କରାଯାଇଛି । ଏହି ହୋଟେଲ ଅଳ୍ପ କିଛି ଦିନ ମଧ୍ୟରେ ବେସ ନା କରି ପାରିଛି । ଏଟାର ମଟନ ଅଳ୍ପ ମସଲାରେ ପ୍ରସ୍ତୁତ ଆଉ ସ୍ବାସ୍ଥ୍ୟ ପାଇଁ ହିତକର ବୋଲି ଦୋକାନ ମାଲିକ କୁହନ୍ତି । ମଟନ ଖାଇବା ପାଇଁ କାହିଁ ଦୂରରୁ ଲୋକ ମାନେ ଧାଇଁ ଆସନ୍ତି। କେବଳ ଯେ ମଟନ ନୁହେଁ ବେସର ବଟା ମାଛ, ବାଇଗଣ ଭର୍ତା ସହିତ ବିଭିନ୍ନ ପ୍ରକାର ସ୍ଵାଦିଷ୍ଟ ଖାଇବା ପ୍ରସ୍ତୁତ ହେଉଛି ।
ହୋଟେଲ ମାଲିକ କୁହନ୍ତି ଯାହା କିଛି ଲାଭ ବାହାରେ ତାହାର ୧୦ ଦଶ ପ୍ରତିଶତ ସାମାଜିକ କାର୍ଯ୍ୟକ୍ରମରେ ଖର୍ଚ୍ଚ କରନ୍ତି । ଗ୍ରାହକଙ୍କ ସ୍ବାସ୍ଥ୍ୟକୁ ଅଗ୍ରାଧିକାର ଦେଇ ଘରୋଇ ମସଲା ତେଲ ବ୍ୟବହାର କରନ୍ତି । ବିଭିନ୍ନ କୋଣ ଅନୁକୋଣରୁ ଲୋକେ ଏଠାକୁ ଆସିଲେ ହୋଟେଲ ମାଉସୀ ମା କୁ ପସନ୍ଦ କରନ୍ତି। କାରଣ ଖାଦ୍ୟର ମାନ ସ୍ୱଚ୍ଛ ପରିବେଶ ଓ ଉପଯୁକ୍ତ ମୂଲ୍ୟ କୁ ଦୋକାନୀ ସବୁବେଳେ ଠିକ୍ ଭାବରେ ତୁଲାଇ ଥାଆନ୍ତି। ପ୍ରାୟତ ଲୋକଙ୍କୁ ଭୟଥାଏ ହୋଟେଲ କିମ୍ବା ରେଷ୍ଟୁରାଣ୍ଟ ରେ ଖାଇଲେ ବିଭିନ୍ନ ପ୍ରକାର ପେଟ ଜନିତ ସମସ୍ୟା ଦେଖାଦିଏ କିନ୍ତୁ ଏଠାରେ ଏହି ଭୟ ନାହିଁ ବୋଲି ଦୋକାନ ମାଲିକ କହିଛନ୍ତି।
ରୋଷେଇ ଖବର ଆହୁରି ପଢ଼ନ୍ତୁ ।