ମାଟି ପାତ୍ରରେ ଦେଶୀ ମୁଗେଇ ଚାଉଳକୁ ଭାଜିବା ପରେ ସେଥିରେ ପାଣି ମିଶାଇବା ସହ ଅଦା, ତେଜପତ୍ର, ଗୁଡ ,ଲୁଣ ,ଗୋଲମରିଚ, ଗୁଜୁରାତି, ଡାଲଚିନି ଇତ୍ୟାଦି ମିଶାଇ ୧୫ ମିନିଟ୍ ଫୁଟାଇବା ପରେ ପ୍ରସ୍ତୁତ ହେଉଛି ଏହି ‘ଚା’ । ଯାହାକୁ ପିଇବା ପାଇଁ ଲୋକମାନେ ବେଶ୍ ଉତ୍ସାହିତ ଥିବା ଦେଖିବାକୁ ମିଳିଛି । ଏହି 'ଚା' ରେ ନା ପଡିଛି କ୍ଷୀର ନା ଚିନି ।
ଏପରିକି ଏଥିରେ 'ଚା' ପତି ମଧ୍ୟ ପଡି ନାହିଁ । ଏହି 'ଚା' ଦେଶୀ ଚାଉଳରୁ ପ୍ରସ୍ତୁତ ହୋଇଥିବାବେଳେ ଏହା ସମ୍ପୂର୍ଣ୍ଣ ଆୟୂର୍ବେଦୀୟ ପ୍ରଣାଳୀରେ ପ୍ରସ୍ତୁତ ହୋଇଥିବା କାରଣରୁ ଶରୀର ପାଇଁ ଉତ୍ତମ ଅଟେ ବୋଲି କହିଛନ୍ତି ପ୍ରସ୍ତୁତକାରୀ ଆଦିବାସୀ ମହିଳା । ଏହି ଚା ପିଇବା ଦ୍ୱାରା ଶରୀରରେ କୌଣସି କ୍ଷତି ହେଉନଥିବା କାରଣରୁ ଏହାକୁ ପିଇବା ପାଇଁ ଜନସାଧାରଣ ଙ୍କୁ ନିବେଦନ କରିଛନ୍ତି ।
ଆଉ ଏପରିକା 'ଚା' ଆଗରୁ ଦେଖିନଥିବା ବେଳେ ପିଇବା ପରେ ଖୁବ ଆନନ୍ଦ ଓ ଫୂର୍ତ୍ତି ଲାଗୁଥିବା କଥା କହିଛନ୍ତି ଗ୍ରାହକ ।
ଏକଦା ଅର୍ଥାଭାବ କାରଣରୁ ଆଦିବାସୀମାନେ ବଜାରରେ ମିଳୁଥିବା 'ଚା' ପିଇବାରୁ ବଞ୍ଚିତ ରହୁଥିଲେ । ହେଲେ ଆଗ୍ରହ ଥିବାରୁ କାରଣରୁ ଚାଉଳ, ଗୁଡ, ତେଜପତ୍ର ଇତ୍ୟାଦିରୁ 'ଚା' ପ୍ରସ୍ତୁତ କରି ପିଉଥିଲେ । ଆଉ ଏବେର ଆଧୁନିକ ଯୁଗରେ ବଜାରରେ ଭଳିକି ଭଳି 'ଚା' ମିଳୁଥିବାବେଳେ ହଜି ଯାଉଥିବା ଆଦିବାସୀ ପରମ୍ପରାକୁ ଉଦଜିବିତ ରଖିବା ପାଇଁ କିଛି ଆଦିବାସୀ ମହିଳା ଏବେ ଅଣ୍ଟାଭିଡିଛନ୍ତି ।
ଆଦିବାସୀଙ୍କର ସାଂସ୍କୃତିକ ପରମ୍ପରା ଖୁବ୍ ଉନ୍ନତ ଏବଂ ସେମାନଙ୍କର ପରିଚୟ ମଧ୍ୟ ସଂସ୍କୃତି ଭିତ୍ତିରେ ସ୍ୱତନ୍ତ୍ର ଅଟେ । ଜୀବନ ଚର୍ଯ୍ୟାର ପ୍ରତିଟି ପାଦରେ ଏମାନେ କଳାତ୍ମକତା ଦେଖାଇଥାନ୍ତି । ଏହି କ୍ରମରେ ଖାଦ୍ୟ ପ୍ରସ୍ତୁତି ପ୍ରଣାଳୀ ଓ ପାନୀୟ ନିର୍ମାଣ ପ୍ରଣାଳୀ ସମ୍ପୂର୍ଣ୍ଣ ଅଲଗା ଦେଖିବାକୁ ମିଳିଥାଏ ।
ବାରିପଦା ଐତିହାସିକ ଛଉପଡିଆରେ ଗତ ୨୦ ନଭେମ୍ବର ଠାରୁ ଆରମ୍ଭ ହୋଇଛି "ମୟୂରଭଞ୍ଜ ମହୋତ୍ସବ" ମେଳା । ଏହି ମେଳାରେ ଆଦିବାସୀ ସମ୍ପ୍ରଦାୟର ଲୋକଙ୍କ ଚଳଣି ଓ ପରମ୍ପରାର ଝଲକ ଦେଖିବାକୁ ମିଳିଛି । ଚଳିତ ବର୍ଷ ଏହି ମେଳାରେ ଦେଖିବାକୁ ମିଳିଛି ନୂଆ ଆୟୋଜନ ।
ଆଦିବାସୀମାନଙ୍କ ଝାଟିମାଟିର ଘର ସହ ବଳଦ ଗାଡି ସୁନ୍ଦର ଭାବେ ସାଜ ସଜ୍ଜା ହୋଇଛି । ମେଳାରେ ୧୫୦ଟି ଷ୍ଟଲରେ ବିଭିନ୍ନ ସାମଗ୍ରୀ ବିକ୍ରି ହେଉଥିବା ବେଳେ ଏଠାରେ ମିଳୁଥିବା ଆଦିବାସୀଙ୍କ ପାରମ୍ପରିକ ଖାଦ୍ୟ ସବୁଠାରୁ ବେଶୀ ପ୍ରଶଂସା ସାଉଁଟୁଛି ।
"ଆଦିବାସୀ ହାଣ୍ଡିଶାଳ" ନାମରେ ନାମିତ ଦେଖନ୍ତୁ ଏହି ଷ୍ଟଲ ଟିକୁ । ଆଦିବାସୀ ମହିଳାମାନେ ପାରମ୍ପାରିକ ଶୈଳୀରେ ଭଳିକି ଭଳି ଖାଦ୍ୟ ପ୍ରସ୍ତୁତିରେ ଲାଗିପଡିଛନ୍ତି । ଆଉ ଏମାନଙ୍କ ଦ୍ବାରା ପ୍ରସ୍ତୁତ ହେଉଥିବା ଖାଦ୍ୟକୁ ଖାଇବା ପାଇଁ ଲୋକଙ୍କ ଲମ୍ବା ଭିଡ ଦେଖିବାକୁ ମିଳିଛି ।
ଏଠାରେ ମାଂସ ପିଠା , ମାଂସ ଲେଠ , ଡୁଙ୍ଗୁ ପିଠା , ମସଲା ପିଠା ଭଳି ଅନେକ ସୁସୁଆଦୁ ଖାଦ୍ୟ ମିଳୁଛି । ସାରାଦେଶରେ ମେଳାରେ ଅଂଶ ଗ୍ରହଣ କରି ଲୋକଙ୍କୁ ପରସୁଛନ୍ତି ନିଜ ପାରମ୍ପରିକ କଳା ଓ କୌଶଳରେ ପ୍ରସ୍ତୁତ ଖାଦ୍ୟ ସାମଗ୍ରୀ ।
ଆଦିବାସୀ ପରମ୍ପରା ଓ ସଂସ୍କୃତି ଏବେ ଦେଶବିଦେଶରେ ବେଶ୍ ନାଁ କମଉଥିବା ବେଳେ ଏମାନଙ୍କ ଦ୍ବାରା ପ୍ରସ୍ତୁତ ଖାଦ୍ୟ ଓ ପାନୀୟର ଚାହିଦା ଦେଶବ୍ୟାପୀ ଖାଦ୍ୟ ବଜାରରେ ଗ୍ରହଣୀୟ ହେଲାଣି । ଆୟୂର୍ବେଦୀକ୍ ଉପାଦାନ ରେ ପ୍ରସ୍ତୁତ ଏହି 'ଆଦିବାସୀ ଚା' ଯେ ଦିନେ ବେଶ୍ ଲୋକପ୍ରିୟ ହେବ ଏଥିରେ ସନ୍ଦେହ ନାହିଁ ।