
କଟକ: ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜକୁ ସ୍ୱୟଂ ଶାସିତ ଘୋଷଣା ଦାବିରେ ମେଡିକାଲ କଲେଜ ଅଧକ୍ଷାଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣାରେ ବସିଲେ ମେଡିକାଲ ଛାତ୍ରଛାତ୍ରୀ ।
ପୂର୍ବ ଭାରତର ସର୍ବବୃହତ୍ତ ମେଡିକାଲ କଲେଜ ଏସସିବିକୁ ବିଭିନ୍ନ ସମୟରେ ସ୍ୱୟଂ ଶାସିତ କରିବା ପାଇଁ ଦାବି ଉଠି ଆସୁଥିଲେ ସୁଦ୍ଧା କେହି କର୍ଣ୍ଣପାତ କରିନଥିଲେ । କଟକ ଏସସିବି ମେଡିକାଲ କଲେଜ ଉତ୍କଳ ବିଶ୍ଵବିଦ୍ୟାଳୟ ଅଧୀନରେ ରହୁଥିଲେ ସୁଦ୍ଧା କୌଣସି ସଠିକ ପରିଚାଳନା କରିପାରୁନଥିବା ଅଭିଯୋଗ କରିଛନ୍ତି ଛାତ୍ରଛାତ୍ରୀ ।
ସବୁ ସମୟରେ ବିଶ୍ୱ ବିଦ୍ୟାଳୟ ବୈମାତୃକ ମନୋଭାବ ପୋଷଣ ମଧ୍ୟ କରୁଛି । ସେମିଷ୍ଟର ଗୁଡିକର ଆୟୁଧ ୬ ମାସ ଥିବା ବେଳେ ପରୀକ୍ଷା ଫଳ ବାହାର କରିବା ପାଇଁ ଚାରି ମାସ ସମୟ ନେଉଛନ୍ତି । ବିଭିନ୍ନ ଅଭିଯୋଗ ନେଇ ଗଲେ ବି ଶୁଣୁନାହାନ୍ତି ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ । ଏମିତିକି ପୁନଃ ଯାଞ୍ଚ ପାଇଁ ଯାଉଥିବା ଖାତା ବହୁ ଡେରିରେ ଆସୁଛି ଯାହାଫଳରେ ପାସ ହୋଇଥିବା ପିଲା ସପ୍ଲିମେଣ୍ଟାରୀରେ ପରୀକ୍ଷା ଦେଉଛନ୍ତି । ମେଡିକାଲ ପାଠ୍ୟକ୍ରମ ଗୋଟିଏ ପ୍ରଫେସନାଲ କୋର୍ସ ହୋଇଥିବାରୁ ଏହାକୁ ଏକ ସ୍ୱତନ୍ତ୍ର ମେଡିକାଲ ବିଶ୍ୱବିଦ୍ୟାଳୟ ଅଧୀନରେ ରଖିବା ପାଇଁ ଦାବି ଜୋର ଧରିଛି ।
କିଛିଦିନ ପୂର୍ବରୁ ସ୍ୱୟଂ ଶାସିତ ଘୋଷଣା ଦାବିରେ ଡାକ୍ତରୀ ଛାତ୍ରଛାତ୍ରୀ ପୂର୍ବରୁ ମେଡିକାଳ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ କିନ୍ତୁ ଶେଷରେ କୌଣସି ନିଷ୍କର୍ଶ ନମିଳିବାରୁ ଶେଷରେ ଧାରଣାରେ ବସିଲେ । ବର୍ତ୍ତମାନ ୟୁଜି ଡାକ୍ତରୀ ଛାତ୍ରଛାତ୍ରୀ ଧାରଣାରେ ବସିଥିବା ବେଳେ ପିଜି ଛାତ୍ରଛାତ୍ରୀ କଳା ବ୍ୟାଚ ପରିଧାନ କରି କାର୍ଯ୍ୟ କରୁଛନ୍ତି ।
