ଦିନିକିଆ ଓଡ଼ିଶା ଗସ୍ତରେ ଆସି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି କେନ୍ଦ୍ର ରେଳ ରାଷ୍ଟ୍ରମନ୍ତ୍ରୀ ମନୋଜ ସିହ୍ନା । ସେ କହିଛନ୍ତି ଓଡ଼ିଶାରେ ରେଳ ପ୍ରକଳ୍ପର ବିକାଶ ପାଇଁ କେନ୍ଦ୍ରସରକାର ଏବେ ସୁଦ୍ଧା ୨୭ ହଜାର କୋଟି ଟଙ୍କା ଦେଇସାରିଛନ୍ତି । ହେଲେ ରାଜ୍ୟ ସରକାର ସେହି ଟଙ୍କାକୁ ଖର୍ଚ୍ଚ କରିପାରୁ ନାହାନ୍ତି । ସେହି ଟଙ୍କା ଏବେ ମଧ୍ୟ ଓଡ଼ିଶା ସରକାରଙ୍କ ନିକଟରେ ପଡ଼ିରହିଛି । ନବୀନ ବାବୁଙ୍କ ବିଜେଡି ସରକାର ରାଜ୍ୟର ବିକାଶ ପାଇଁ ବୈମାତୃକ ମନୋଭାବ ପୋଷଣ କରୁଛି । ଦୀର୍ଘ ଦିନରୁ ପଡ଼ିରହିଥିବା ଖୋର୍ଦ୍ଧ-ବଲାଙ୍ଗିର ରେଳ ପଥ କଥା ମଧ୍ୟ ଉଠାଇଛନ୍ତି ମନୋଜ ସିହ୍ନା । ସେ କହିଛନ୍ତି ଏହି ରେଳ ପ୍ରକଳ୍ପ ପାଇଁ ରାଜ୍ୟ ସରକାର ଏପର୍ଯ୍ୟନ୍ତ ଜମି ଯୋଗାଇ ପାରୁ ନାହାନ୍ତି ।
ମନୋଜ ସିହ୍ନା ଭୁବନେଶ୍ୱର ରେଳ ଅଡିଟୋରିୟମ୍ରେ ନିଜ ଉଦ୍ବୋଧନରେ ଏଭଳି କହିଛନ୍ତି । ଏହି ଅବସରରେ ସେ ଅନେକ ଜନ କଲ୍ୟାଣକାରୀ ଯୋଜନା ଏବଂ ନୂତନ ଟ୍ରେନର ଆରମ୍ଭ କରିବା କଥା ମଧ୍ୟ ଘୋଷଣା କରିଛନ୍ତି । ଅନ୍ୟପଟେ ୱାଲଟିୟର ଡିଭିଜନ ବିଭାଜନ ସମ୍ପର୍କରେ ମଧ୍ୟ ମନୋଜ ସିହ୍ନା ନିଜର ମତ ଦେଇଛନ୍ତି । ସେ କହିଛନ୍ତି, ୨୦୧୪ରେ ଆନ୍ଧ୍ର ବିଭାଜନ ସମୟରେ ସରକାର ନୂତନ ରେଳ ଡିଭିଜନ ନେଇ ପ୍ରତିଶ୍ରୁତି ଦେଇଥିଲେ । ୱାଲଟିୟର ଡିଭିଜନ ହେଲେ ମଧ୍ୟ ରାୟଗଡା ଡିଭିଜନ ହେଉଛି । ଓଡିଶାର ଇଂଚେ ମାତ୍ର ରେଲୱେ ଲାଇନ୍ ବାହାରକୁ ଯିବାକୁ ଦିଆଯିବ ନାହିଁ ବୋଲି କେନ୍ଦ୍ର ରେଳ ରାଷ୍ଟ୍ରମନ୍ତ୍ରୀ ମନୋଜ ସିହ୍ନା କହିଛନ୍ତି । ରେଲୱେ ମାମଲାରେ କେନ୍ଦ୍ର ସରକାର ବିଗତ ୫ ବର୍ଷ ମଧ୍ୟରେ ଓଡିଶାକୁ ୨୭ ହଜାର କୋଟି ଦେଇ ସାରିଛନ୍ତି । କିନ୍ତୁ ରାଜ୍ୟ ସରକାର ସେ ଅନୁସାରେ ବିକାଶ କରିବାରେ ବିଫଳ ହୋଇଛନ୍ତି । ଯଦି ରାଜ୍ୟ ସରକାର ଜମି ଅଧିଗ୍ରହଣ କରିବେ ତେବେ ଏଠାରେ ବିକାଶ ଦୌଡିବ ବୋଲି ସିହ୍ନା କହିଛନ୍ତି ।
