ଭୁବନେଶ୍ୱର: ପ୍ରକାଶ ପାଇଲା ଯୁକ୍ତ ୨ କଳା ଓ ବାଣିଜ୍ୟ ପରୀକ୍ଷା ଫଳ । ଏଥର ମଧ୍ୟ କଳାରେ ଛାତ୍ରୀଙ୍କ ପାସ୍ ହାର ଅଧିକ ରହିଥିବା ବେଳେ ବାଣିଜ୍ୟରେ ମଧ୍ୟ ଛାତ୍ରୀଙ୍କ ପାସ୍ ହାର ଅଧିକ ରହିଛି । ଗତ ଥର ଭଳି ଏଥର ମଧ୍ୟ ଛାତ୍ରୀମାନେ ଯୁକ୍ତ 2 କଳା ଓ ବାଣିଜ୍ୟ ପରୀକ୍ଷା ଫଳରେ ବାଜି ମାରିଛନ୍ତି । କଳାରେ ପାସ୍ ହାର ୬୫.୮୯% ରହିଥିବା ବେଳେ ବାଣିଜ୍ୟରେ ୭୦.୨୬% ରହିଥିବା ଜଣାପଡ଼ିଛି ।
ତେବେ କଳାରେ ମୋଟ ୨୩୧୧୫୦ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ସେଥିରୁ ପାସ୍ କରିଛନ୍ତି ୧୫୨୩୨୩ ଛାତ୍ରଛାତ୍ରୀ । ପାସ୍ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଛାତ୍ରଙ୍କ ସଂଖ୍ୟା ୫୭୪୪୨ ରହିଥିବା ବେଳେ ଛାତ୍ରୀଙ୍କ ସଂଖ୍ୟା ରହିଛି ୯୪୮୮୧ । କଳାରେ ପ୍ରଥମ ଶ୍ରେଣୀରେ ୧୮୭୭୩ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ୨ୟ ଶ୍ରେଣୀରେ ୨୨୯୪୪ ଓ ୩ୟ ଶ୍ରେଣୀରେ ୧୧୦୪୫୧ ଛାତ୍ରଛାତ୍ରୀ ପାସ୍ କରିଛନ୍ତି ।
ତେବେ କଳାରେ ଖୋର୍ଦ୍ଧା ଜିଲ୍ଲାର ୧ଟି ଓ ଯାଜପୁର ଜିଲ୍ଲାର ୧ଟି କଲେଜରେ ଶୂନ ରେଜଲ୍ଟ ହୋଇଛି । କଳାରେ ବାଲେଶ୍ୱରରେ ପାସ୍ ହାର ସର୍ବାଧିକ ୭୫.୬୭% ରହିଥିବା ବେଳେ ନବରଙ୍ଗପୁର ଜିଲ୍ଲାରେ ସର୍ବନିମ୍ନ ପାସ୍ ହାର ୪୭.୪୬% ରହିଛି ।
ସେହିଭଳି +୨ ବାଣିଜ୍ୟ ପରୀକ୍ଷାରେ ପାସ ହାର ରହିଛି ୭୦.୨୬% । ଚଳିତବର୍ଷ ବାଣିଜ୍ୟରେ ୨୬, ୭୯୪ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ସେଥିରୁ ୧୧୭୩୮ ଛାତ୍ର ଓ ୭୦୮୮ ଛାତ୍ରୀ ପାସ କରିଛନ୍ତି । ପ୍ରଥମ ଶ୍ରେଣୀରେ ୫୬୨୯ ଛାତ୍ରଛାତ୍ରୀ ପାସ୍ କରିଥିବା ବେଳେ ୨ୟ ଶ୍ରେଣୀରେ ୩୭୪୬ ଓ ୩ୟ ଶ୍ରେଣୀରେ ୯୪୨୨ ଜଣ ପାସ୍ କରିଛନ୍ତି ।
ତେବେ ବାଣିଜ୍ୟରେ ଖୋର୍ଦ୍ଧାରେ ପାସ୍ ହାର ସର୍ବାଧିକ ୮୬.୮୯% ରହିଥିବା ବେଳେ ଦେବଗଡ଼ ସର୍ବନିମ୍ନ ୨୪.୩୪% ରହିଛି । ବାଣିଜ୍ୟରେ ୪ଟି କଲେଜର ସମସ୍ତ ଛାତ୍ରଛାତ୍ରୀ ଫେଲ୍ ହୋଇଥିବା ଜଣାପଡ଼ିଛି । ଅନ୍ୟପଟେ 25 କଲେଜରେ ପରୀକ୍ଷା ଫଳ ଶତପ୍ରତିଶତ ରହିଛି ।
ତେବେ ପିଲାଙ୍କ ମାର୍କସିଟ୍ ଆଗାମୀ ଜୁଲାଇ ୭ରୁ ସେମାନଙ୍କ ନିଜ କଲେଜରେ ଉପଲବ୍ଧ ହେବ । ଜୁନ୍ ୨୪ରୁ ୧୫ ଦିନ ଯାଏ ରିଚେକିଂ ପାଇଁ ଆବେଦନ ପ୍ରକ୍ରିୟା ଚାଲୁ ରହିବ ।
ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଆଜି ଏହି ପରୀକ୍ଷା ଫଳ ପୁସ୍ତିକା ଉନ୍ମୋଚନ କରିଥିଲେ ।
