ଏପରିକି ଲୋକଙ୍କ ସହ ନିଜେ ମୁଖ୍ୟମନ୍ତ୍ରୀ ଫୋନରେ କଥା ହୋଇ ଥାନାରେ କିପରି ବ୍ୟବହାର ମୁଳୁଛି ସେ ନେଇ ପଚାରି ବୁଝିଥିଲେ। ସେତେବେଳେ ଏହାକୁ ନେଇ ଖୁବ ପ୍ରଚାର କରିଥିଲେ ରାଜ୍ୟ ସରକାର। କିନ୍ତୁ ସବୁ ଘୋଷଣା ସବୁ ନିର୍ଦ୍ଦେଶ କେବଳ ପ୍ରଚାରରେ ସୀମିତ ରହିଗଲା ଉତ୍ତମ ବ୍ୟବହାର ମିଳିବା ତ ଦୂରର କଥା ଥାନାରେ ଏତଲା ବି ରଖୁନି ପୋଲିସ । ଏହାକୁ ନେଇ ପୋଲିସକୁ ତାଗିଦ କରିଛନ୍ତି ହାଇକୋର୍ଟ।
ଥାନାରେ ଏତଲା ପଞ୍ଜୀକରଣ ନକଲେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ଦେଇଛନ୍ତି ନିର୍ଦ୍ଦେଶ। ଏତଲା ପଞ୍ଜୀକରଣ କ୍ଷେତ୍ରରେ ପୁଲିସର ନିଷ୍କ୍ରିୟତା ପ୍ରସଙ୍ଗକୁ ନେଇ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି ହାଇକୋର୍ଟ। ଏ କ୍ଷେତ୍ରରେ ରହିଥିବା ନିୟମ ପାଳନ କରୁ ନଥିବା ପୁଲିସ ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ଏହି ପ୍ରସଙ୍ଗରେ ଜବାବ ଦାଖଲ ପାଇଁ ପୁଲିସ ଡିଜିଙ୍କୁ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି। ଜଷ୍ଟିସ ଡକ୍ଟର ସଂଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏକ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ହାଇକୋର୍ଟ ଉଲ୍ଲେଖ କରିଛନ୍ତି ଯେ, ନାଗରିକମାନେ ଥାନାକୁ ଅଭିଯୋଗ ନେଇ ଯାଉଛନ୍ତି। କିନ୍ତୁ ବହୁ ସଂଖ୍ୟାରେ ଏପରି ମାମଲା ଥାନାରେ ପଞ୍ଜୀକରଣ କରାଯାଉ ନାହିଁ। ଏହି ପ୍ରସଙ୍ଗରେ ପୁଲିସ ମହାନିର୍ଦ୍ଦେଶ ଏକ ସବିଶେଷ ସତ୍ୟପାଠ ଦାଖଲ କରିବେ। ନିୟମାବଳୀ ପାଳନ କରୁ ନଥିବା ପୁଲିସ ଅଧିକାରୀଙ୍କ ବିରୋଧରେ ଯେମିତି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଏ, ତାହା ଡିଜି ସୁନିଶ୍ଚିତ କରିବେ ବୋଲି ହାଇକୋର୍ଟ କହିଛନ୍ତି।
ଡିସେମ୍ବର ୨୧ ତାରିଖ ସୁଦ୍ଧା ଏ ନେଇ ସତ୍ୟପାଠ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଡିସେମ୍ବର ୨୨କୁ ତାରିଖ ଧାର୍ଯ୍ୟ କରାଯାଇଛି। ପରବର୍ତ୍ତୀ ଶୁଣାଣି ସମୟରେ କେନ୍ଦ୍ରାପଡ଼ା ଏସପି ଓ ପାଟକୁରା ଥାନା ଆଇଆଇସି ମଧ୍ୟ ବ୍ୟକ୍ତିଗତ ଭାବେ ଭର୍ଚୁଆଲ ମୋଡରେ ହାଜର ହେବେ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଆବେଦନକାରୀ ଏ.ସାମଲଙ୍କ ପକ୍ଷରୁ ପାଟକୁରା ଥାନାରେ ଦାଖଲ ଏତଲା ପଞ୍ଜୀକରଣ କରାଯାଇ ନଥିଲା। ପୁଲିସ ନିଷ୍କ୍ରିୟତାକୁ ବିରୋଧ କରି ସେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ।