ଶ୍ରୀ ମାଝୀ କହିଛନ୍ତି ଯେ ଓଡିଶାର ଲକ୍ଷ ଲକ୍ଷ କେନ୍ଦୁ ପତ୍ର ତୋଳାଳୀ, ବନ୍ଧାଳୀ, ଗୋଛା କଟାଳୀ, ସିଜନାଲ ଷ୍ଟାଫଙ୍କୁ ବିଜୁ ଜନତା ଦଳର ସରକାର ଅବହେଳା, ଅଣଦେଖା ଓ ପ୍ରତାରଣା କରିଚାଲିଛନ୍ତି । ବର୍ତମାନ ଉପନିର୍ବାଚନ ପରିପ୍ରେକ୍ଷୀରେ ପଦମପୁର ଉପଖଣ୍ଡର ସତୁରି ହଜାରରୁ ଉର୍ଦ୍ଧ କେନ୍ଦୁପତ୍ର ତୋଳାଳୀ ଓ ଅନ୍ୟାନ୍ୟ ଶ୍ରମିକଙ୍କୁ ବିଜୁ ଜନତା ଦଳର ସରକାରଙ୍କର ମନ୍ତ୍ରୀମାନେ ଓ ପ୍ରଶାସନିକ କଳ ଡାହା ମିଛ କହି ପ୍ରଲୋଭିତ କରି ଭୋଟ ହାତେଇବାର ଅପଚେଷ୍ଟା କରୁଛନ୍ତି ।
ନିଜେ ମୁଖ୍ୟମନ୍ତ୍ରୀ ୨୦୧୩ ମସିହା ଜାନୁୟାରୀ ୧୩ରେ ରେଢାଖୋଲରେ ଲକ୍ଷାଧୀକ ତୋଳାଳୀ ଓ ଶ୍ରମିକଙ୍କ ସମାବେଶରେ ସିଜନାଲ ଷ୍ଟାଫଙ୍କ ଚାକିରି ସର୍ତାବଳୀ ଲାଗୁହେବ ପାଇଁ ଘୋଷଣା କରିଥିଲେ । ଏହି ଘୋଷଣାକୁ ୯ ବର୍ଷ ବିତିସାରିଥିଲା ବେଳେ ଏହା କାର୍ଯ୍ୟକାରୀ ହୋଇପାରି ନାହିଁ । ବିଜୁ ଜନତା ଦଳର ସରକାର କେନ୍ଦୁପତ୍ର ଶ୍ରମିକଙ୍କ ପାଇଁ କୁମ୍ଭୀର କାନ୍ଦଣା ଛାଡନ୍ତୁ ବୋଲି ଶ୍ରୀ ମାଝୀ କହିଛନ୍ତି ।
ରାଜ୍ୟ ସରକାର ବର୍ଷକୁ ବର୍ଷ ଉପ୍ତାଦନ କମାଇବା କାମ ମଧ୍ୟ କରୁଛନ୍ତି ଯାହା ସିଧାସଳଖ କେନ୍ଦୁପତ୍ର ସହିତ ଜଡିତ ସମସ୍ତ ଶ୍ରମିକ ଓ କର୍ମଚାରୀଙ୍କ ପେଟକୁ ଲାତ ମାରିଲା ଭଳି ହୋଇଛି । ବିଜୁ ଜନତା ଦଳର ସରକାର କରୋନା ମହାମାରୀ ସମୟରେ ତୋଳାଳୀଙ୍କୁ ମିଳୁଥିବା ବୋନସକୁ ୨ ବର୍ଷ ପାଇଁ ସମ୍ପୃର୍ଣ୍ଣ ବନ୍ଦ କରିଦେଲେ । ସବୁଆଡେ ସର୍ବନିମ୍ନ ମଜୁରି ବୃଦ୍ଧି ହୋଇଥିଲେ ମଧ୍ୟ ସିଜନାଲ ଷ୍ଟାଫଙ୍କ ଦରମା ୩ ବର୍ଷ ହେଲା ରାଜ୍ୟ ସରକାର ବୃଦ୍ଧି କରିନାହାନ୍ତି । ପଂଚାୟତକୁ ହସ୍ତାନ୍ତର ନାମରେ ଘରୋଇ କମ୍ପାନୀଙ୍କ ସହିତ ମଧୁଚନ୍ଦ୍ରିକା କରି ଆଗକୁ କେନ୍ଦୁ ପତ୍ର ସଂସ୍ଥାର ଘରୋଇ କରଣ କରିବା ପାଇଁ ଷଡଯନ୍ତ୍ର କରୁଛନ୍ତି ଯାହା ଫଳରେ ଲକ୍ଷ ଲକ୍ଷ ଗରିବ କେନ୍ଦୁପତ୍ର ତୋଳାଳୀ ଓ ଶ୍ରମିକଙ୍କ ଭାଗ୍ୟ ଭବିଷ୍ୟତ ଆଜି ଅନ୍ଧାରକୁ ଠେଲି ହୋଇଯାଉଛି ବୋଲି ଶ୍ରୀ ମାଝୀ କହିଛନ୍ତି ।