ଅଧିକ ପଢନ୍ତୁ ଓଡ଼ିଶା ଖବର
ଶ୍ରୀ ମାଝୀ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ନିଜେ କାହିଁକି ଲୋକମାନଙ୍କ ପାଖକୁ ଯାଉନାହାନ୍ତି ? ଲୋକମାନଙ୍କୁ ସେ ଡରିଗଲେ କି? କ୍ୟାବିନେଟ୍ ମନ୍ତ୍ରୀଙ୍କ ଉପରେ ମୁଖ୍ୟମନ୍ତ୍ରୀଙ୍କ ଭରସା ଉଠିଗଲା କି? ଜଣେ ବ୍ୟକ୍ତି କ’ଣ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ହୋଇ ପାରିବ କି? କେବଳ ବ୍ୟକ୍ତିଗତ ସଚିବ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ କେମିତି ହେବ ? ଯଦି ମୁଖ୍ୟମନ୍ତ୍ରୀ ସିଏମଓ ଅଧିକାରୀଙ୍କ କଥା କହୁଛନ୍ତି, ତେବେ କେବଳ ସେ ଜଣେ ବ୍ୟକ୍ତି କାହିଁକି ଲୋକମାନଙ୍କ ପାଖକୁ ଯିବେ? ଅନ୍ୟ ଅଧିକାରୀମାନେ କୁଆଡେ ଗଲେ? ଆଜି ୫-ଟି ସ୍କୁଲରେ ବ୍ୟାପକ ଦୁର୍ନୀତି ହେଉଛି । ସେହି ଦୁର୍ନୀତି ସିଏମ୍ଓ ଅଧିକାରୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ହୋଇନାହିଁ ତ? ସିଏମ୍ଓ ହେଲିକ୍ୟାପ୍ଟର ଓ ଫ୍ଲାଇଟରେ ଉଡି ଏପର୍ଯ୍ୟନ୍ତ ପାଖାପାଖି ୫୦୦ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି । ଏହା ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଥିଲା କି? ସିଏମ୍ଓ କେବଳ ସରକାରୀ ନୁହେଁ ବ୍ୟକ୍ତିଗତ କାମରେ, ଏପରି ବାହାଘର ଭୋଜି ଖାଇବା ପାଇଁ ମଧ୍ୟ ଗସ୍ତ ହୋଇଛି । ଗତ ୧୪ ମେ, ୨୦୨୩ମସିହାରେ ମୁଖ୍ୟମନ୍ତ୍ରୀଙ୍କ ସଚିବ ଭୁବନେଶ୍ୱରରୁ ହେଲିକ୍ୟାପ୍ଟରରେ ଅନୁଗୁଳ ଯାଇ ପାଲଲହଡା ବିଧାୟକଙ୍କର ଭୋଜି ଖାଇଥିଲେ କି ନାହିଁ ? ୨୮ଜୁନ ୨୦୨୩ରେ ବିଜେଡ଼ି ବିଧାୟକଙ୍କ ପାରିବାରିକ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ସରକାରୀ ହେଲିକ୍ୟାପ୍ଟର ବ୍ୟବହାର ହୋଇଛି ନା ନାହିଁ ? ଏହାକୁ ନେଇ ମୁଖ୍ୟମନ୍ତ୍ରୀ କ’ଣ କହିବେ? ନିର୍ବାଚିତ ପ୍ରତିନିଧି ତଥା ମନ୍ତ୍ରୀ, ସାଂସଦ ଓ ବିଧାୟକମାନେ ସଚିବଙ୍କ ପାଇଁ ମଂଚ ବାନ୍ଧିବା ସହିତ ଲୋକ ଯୋଗାଡ କରିବେ, ଏହା ମୁଖ୍ୟମନ୍ତ୍ରୀଙ୍କର ନିର୍ଦ୍ଦେଶ ଥିଲା କି ? ରାଜ୍ୟ ସରକାର ଗଣତନ୍ତ୍ରକୁ ହତ୍ୟା କରି ଗୁମାସ୍ତା ଶାସନ କରୁଛନ୍ତ ବୋଲି ଶ୍ରୀ ମାଝୀ କହିଛନ୍ତି ।
ଶାସନ ବ୍ୟବସ୍ଥା ସେଇଠି ସୁଫଳ ହୋଇଥାଏ, ଯେଉଁଠି ଶାସନ ବ୍ୟବସ୍ଥାର ସବୁ ଅଙ୍ଗ ନିଜ ନିଜର କାମ ସୂଚାରୁ ରୂପେ କରନ୍ତି, ପଂଚାୟତ ଅଫିସ ହେଉ କି ବ୍ଲକ ଅଫିସ, ମ୍ୟୁନିସିପାଲିଟି ହେଉ କି ନଅ ତାଲା, ସବୁ ବିଭାଗ ଯଦି ନିଜ ଦାୟିତ୍ୱ ପାଇଁ ଉତର ଦାୟୀ ଓ ନିଷ୍ଠାବାନ୍ ହେଇଥାନ୍ତେ ତେବେ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟରେ ଅଭିଯୋଗ ପହଂଚି ନଥାନ୍ତା । ଯଦି ନିର୍ବାଚିତ ଜନ ପ୍ରତିନିଧି, ସେ ବିଭାଗୀୟ ମନ୍ତ୍ରୀ, ସରପଂଚ ଓ ବିଧାୟକ ଦାୟିତ୍ୱ ନିଅନ୍ତେ, ତେବେ ଜନ ଶୁଣାଣି ଓ ଅଭିଯୋଗ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଆସିବା ଆବଶ୍ୟକ ହେଉ ନଥାନ୍ତା । ପରିତାପର ବିଷୟ, ଏଠି ଜଣେ ସଚିବଙ୍କ ପାଇଁ ଆଜି ସମ୍ପୂର୍ଣ୍ଣ ସରକାରୀ ବ୍ୟବସ୍ଥାକୁ ସ୍ଥାଣୁ କରିଦିଆଯାଇଛି । ଏପରି ଏକ ପରିସ୍ଥିତି ସୃଷ୍ଟି କରାଯାଇଛି ଯେମିତି ଓଡ଼ିଶାରେ କେଉଁ ବି ଅଫିସରେ କିଛି ବି ଅଭିଯୋଗ ପ୍ରଶମନ ହେବାର କୌଣସି ବ୍ୟବସ୍ଥା ନାହିଁ । କେବଳ ମାତ୍ର ମୁଖ୍ୟମନ୍ତ୍ରୀ ଅଫିସ ହିଁ କାମ କରୁଛି କିମ୍ବା କାମ କରିବାର ନିର୍ଦ୍ଦେଶ ଦେଉଛନ୍ତି । ଗଣତାନ୍ତ୍ରିକ ପରମ୍ପରାରେ ଜନଶୁଣାଣି ନୂଆ ନୁହେଁ କି ଏହା କେବଳ ଓଡ଼ିଶାରେ ହିଁ ହେଉନି, ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଏପରିକି ପ୍ରଧାନମନ୍ତ୍ରୀଙ୍କର ମଧ୍ୟ ଜନ ଅଭିଯୋଗ ଓ ଶୁଣାଣି ହେଉଛି ବୋଲି ଶ୍ରୀ ମାଝୀ କହିଛନ୍ତି ।
ଆଶ୍ଚର୍ଯ୍ୟର ବିଷୟ, ଓଡ଼ିଶାରେ ହେଉଥିବା ଜନଶୁଣାଣି କାର୍ଯକ୍ରମ ଅନ୍ୟ ରାଜ୍ୟରେ ହେଉଥିବା ରାଜନୈତିକ ସଭା ତୁଳନାରେ ଅଧିକ ଆଡମ୍ବରପୂର୍ଣ୍ଣ ଓ ବ୍ୟୟବହୁଳ । ଜନଶୁଣାଣିକୁ ଅଭିଯୋଗକାରୀମାନେ ସ୍ୱତଃ ପ୍ରୋତ ଭାବେ ଆସନ୍ତି, କିନ୍ତୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ଦ୍ୱାରା ହେଉଥିବା ଜନଶୁଣାଣିରେ ସାଧାରଣ ଲୋକ, ଛାତ୍ର, ଯୁବକ ଓ ମହିଳା ମାନଙ୍କୁ ପ୍ରଶାସନ ଦ୍ୱାରା ବୁହାଇ ବୁହାଇ ଅଣାଯାଉଥିଲା, ପ୍ରଶ୍ନ ଉଠିବା ସ୍ୱଭାବିକ, ଏ କେଉଁ ପ୍ରକାର ଜନ ଶୁଣାଣି ବୋଲି ଶ୍ରୀ ମାଝୀ କହିଛନ୍ତି ।