ଅର୍ଗସ ବ୍ୟୁରୋ: ଶେଷ ହୋଇଛି ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ । ଜୁଲାଇ 22 ରୁ ଆରମ୍ଭ ହୋଇଥିବା ଏହି ବଜେଟ ଅଧିବେଶନରେ 25 ଟି କାର୍ଯ୍ୟ ଦିବସ ସହ ବୁଧବାର ସନ୍ଧ୍ୟାରେ ଶେଷ ହୋଇଛି । ଯେଉଁଥିରେ 2874 ତାରକା ପ୍ରଶ୍ନ, 3534 ଅଣତାରକା ପ୍ରଶ୍ନ ନୋଟିସ ଗ୍ରହଣ, 4921 ଅଣତାରକା ପ୍ରଶ୍ନର ଉତ୍ତରା ଉପସ୍ଥାପନ, 19 ଟି ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା,83 ଟି କାଗଜ ଉପସ୍ଥାପନ,11 ଟି ବାର୍ଷିକ ରିପୋର୍ଟ ଉପସ୍ଥାପନ ସହ 42 ଟି କମିଟି ରିପୋର୍ଟ ମଧ୍ୟ ଉପସ୍ଥାପନ ହୋଇଛି । ତେବେ ମୋହନ ସରକାରଙ୍କ ପ୍ରଥମ ବିଧାନସଭା ଅଧିବେଶନ ସୃଷ୍ଟି କରିଛି ଅନେକ ନୂଆ ପରମ୍ପରା । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଗୃହରେ ପ୍ରତ୍ୟକ ଦିନ ଉପସ୍ଥିତ ରହିବା ସହ ବଜେଟ ଉପସ୍ଥାପନ,ଖର୍ଚ୍ଚ ଦାବି ଆଲୋଚନା ଓ ବ୍ୟୟ ମଞ୍ଜୁରି ବିଲ ପାରିତ ସମୟରେ ଘଣ୍ଟେରୁ ଅଧିକ ସମୟ ବିବୃତ୍ତି ରଖି ରେକର୍ଡ କରିଥିଲେ । ମାତ୍ର ଅନ୍ୟପଟେ ଦଳୀୟ ବୈଠକ କରୁଥିଲେ ବି ଗୃହକୁ ଆସୁନଥିଲେ ବିରୋଧୀ ଦଳ ନେତା । ଯେବେ ଆସୁଥିଲେ ଅତି ବେଶିରେ 5 ମିନିଟ ରହି ଚାଲି ଯାଉଥିଲେ । ବିଶେଷ କରି ବିଧାନସଭା ଅଧିବେଶନ ସରିବା ପରେ ମୁଖ୍ୟମନ୍ତ୍ରୀ ଏବଂ ଉପ ମୁଖ୍ୟମନ୍ତ୍ରୀଙ୍କ ସହ ଓଡିଶା ବିଧାନସଭା ସଦସ୍ୟ ମାନେ ରାଜ୍ୟପାଳଙ୍କୁ ଭେଟି ଆଲୋଚନା କରିବା ବି ପୁର୍ବ ସରକାରରେ ଦେଖିବାକୁ ମିଳୁ ନ ଥିଲା ।
ଭାରତୀୟ ସମ୍ବିଧାନ ଅନୁଯାୟୀ ପ୍ରତି କ୍ୟାଲେଣ୍ଡର ବର୍ଷରେ ଅତିକମରେ 60 ଟି କାର୍ଯ୍ୟ ଦିବସ ସହ ବିଧାନସଭାର ତିନୋଟି ଅଧିବେଶନ ବସିବା କଥା । ମାତ୍ର ପୂର୍ବ ସରକାର ଅର୍ଥାତ ନବୀନଙ୍କ ସରକାର ସମୟରେ ତାର ବ୍ୟତିକ୍ରମ ଦେଖିବାକୁ ମିଳିଥିଲା । ଯେବେ ମନ ସେବେ ବିଧାନସଭାକୁ ବନ୍ଦ କରିଦେଉଥିଲେ ତତ୍କାଳୀନ ସରକାର । ତଥ୍ୟ କହୁଛି 2019/20/21 ଆର୍ଥିକ ବର୍ଷରେ 180 ଟି କାର୍ଯ୍ୟ ଦିବସରୁ ମାତ୍ର 112 ଟି କାର୍ଯ୍ୟ ଦିବସ ସହ 8 ଟି ଅଧିବେଶନ ବସିଥିଲା । ବିଶେଷ କରି ଷୋଡଶ ବିଧାନସଭାର ଅଷ୍ଟମ ଅଧିବେଶନ ପାଇଁ 31 ଟି କାର୍ଯ୍ୟ ଦିବସ ସ୍ଥିରୀକୃତ ହୋଇଥିବା ବେଳେ 17 ଦିନ ପୂର୍ବରୁ ଅଗଣତାନ୍ତ୍ରିକ ଭାବେ ବନ୍ଦ କରିଦିଆଯାଇଥିବା ଅଭିଯୋଗ ଆସିଥିଲା ।