ଅର୍ଗସ ବ୍ୟୁରୋ: ସ୍ୱାଭାବିକ ସ୍ଥିତିକୁ ଫେରିବ ମୌସୁମୀ । ଆଜିଠୁ ରାଜ୍ୟର ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ଥିବାବେଳେ ୬ ତାରିଖରେ ରାଜ୍ୟରେ ବଢିବ ବର୍ଷାର ବିସ୍ତୃତି । ଏବଂ କିଛି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏଥିସହ ବର୍ତ୍ତମାନ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ପାର୍ଶ୍ଵବର୍ତ୍ତୀ ଉତ୍ତର ଆନ୍ଧ୍ର ଉପକୂଳରେ ବାୟୁମଣ୍ଡଳର ୧.୫ କିମି ରୁ ୭.୬ କିମି ମଧ୍ୟରେ ଘୁର୍ଣ୍ଣିବଳୟ ସକ୍ରିୟ ରହିଛି ଓ ମୌସୁମୀ ନିମ୍ନ ଚାପ ରେଖା ଆଜି ରାଜସ୍ଥାନର ଗଙ୍ଗାନଗର ରୁ ବାହାରି, ଦିଲ୍ଲୀ, ଆଲିଗଡ, ହମିରପୁର, ପ୍ରୟାଗରାଜ, ଡାଲଟନଗଞ୍ଜ, ମଧ୍ୟ ଦେଇ ଓଡ଼ିଶାର ବାଲେଶ୍ୱର ରୁ ଦକ୍ଷିଣ ପୂର୍ବ ଦିଗରେ କେନ୍ଦ୍ରୀୟ ବଙ୍ଗୋପସାଗର ଯାଏଁ ଲମ୍ବିଛି ।
ଯାହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟାରେ ପ୍ରବଳ ବର୍ଷା ନେଇ ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସେହି ସବୁ ଜିଲ୍ଲା ଗୁଡ଼ିକ ହେଲା ମାଲକାନଗରି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର,ଗଜପତି । ଏଥିସହ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ଥିବାରୁ ୧୯ ଜିଲ୍ଲାକୁ ମଧ୍ୟ ଆର୍ଲଟ ଜାରି କରାଯାଇଛି । ସେହିପରି ଆସନ୍ତାକାଲି ପାଇଁ ମଧ୍ୟ ପ୍ରବଳ ବର୍ଷା ନେଇ ୮ ଜିଲ୍ଲାକୁ ହଳଦିଆ ଚେତାବନୀ ଜାରି କରାଯାଇଛି ।
ଆହୁରି ପଢନ୍ତୁ ଓଡିଶା ଖବର...