ତାର ସେ ବୁକୁଫଟା କାନ୍ଦରେ ଫାଟି ପଡୁଛି ସାରା ଝୁମ୍ପାପୁର ଗାଁ। ଗାଁ ଯାକର ଲୋକେ ଏକାଠି ହୋଇଛନ୍ତି ମୃତ ରାମମୂର୍ତ୍ତି ଗମାଙ୍ଗଙ୍କ ଦୁଆର ମୁହଁରେ।
ଏ ଦୃଶ୍ୟ ହେଉଛି ଉପାନ୍ତ ରାୟଗଡା ଜିଲ୍ଲାର। ଯେଉଁଠୁ କାମ କରିବାକୁ ଯାଇଥିବା ୬ ଜଣ ଦାଦନ ଶ୍ରମିକଙ୍କ ଆଜି ମୃତ୍ୟୁ ଘଟିଛି। ଆନ୍ଧ୍ରପ୍ରଦେଶର ଗୁଣ୍ଟୁର ନିକଟସ୍ଥ ଲଙ୍କେବାଣୀ ଦିବା ନାମକ ଚିଙ୍ଗୁଡି ଫ୍ୟାକ୍ଟ୍ରିରେ ଏମାନେ କାମ କରୁଥିଲେ । କାଲି ରାତିରେ ସର୍ଟ ସର୍କିଟ ଯୋଗୁ ଏମାନଙ୍କ ମୃତ୍ୟୁ ଘଟିବା ପରେ, ଏବେ ଗାଁରେ ଏମିତି ସ୍ଥିତି।
କେତେ ଦିନ ଆଉ ଏମିତି ଚାଲିବ କେଜାଣି। ପେଟ ପାଇଁ ରାଜ୍ୟ ଡେଇଁବେ, ହେଲେ ଫେରିବେ ଶବ ହୋଇକି। କାନ୍ଦିବା ଲାଗି ୟାଙ୍କ ଦେହରେ ତ ଶକ୍ତି ନାହିଁ। ତେଣୁ ଲୁହ ବି ଏମାନଙ୍କ ପାଇଁ ଭାରି ଓଜନିଆ ହେଇଥିବ।
ଏ ଦୃଶ୍ୟ ଦେଖିଲେ ଲାଗୁଛି ଆମ ଓଡ଼ିଶାରୁ ଏ ଯନ୍ତ୍ରଣା କେବେ ସରିବନି। ସରକାର ଖାଲି କଥା କହିବେ, କ୍ଷତିପୂରଣ ଦେବେ । ହେଲେ ଏତେ ଯାତ୍ରା କରିବା ଅପେକ୍ଷା ଏହି ଗରିବଗୁରୁବାରଙ୍କ ପାଇଁ ଟିକେ କର୍ମ ସଂସ୍ଥାନର ଯଦି ବ୍ୟବସ୍ଥା ହୋଇପାରନ୍ତା ତା ହେଲେ ହୁଏତ ଏହାର ସ୍ଥାୟୀ ପ୍ରତିକାର ବୋଲି ଭାବି ହୁଅନ୍ତା।