ପୁରା ଘଟଣା ଥିଲା କିଛି ଏମିତି...ବିଳମ୍ୱିତ ରାତିରେ ବ୍ରହ୍ମପୁର ସହରର ଏମକେସିଜି ମେଡିକାଲ ସମ୍ମୁଖ ରାସ୍ତାରେ ଏକ ସଡ଼କ ଦୁର୍ଘଟଣାରେ ମାଆ,ପୁଅ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି । ମୃତକ ଦୁହେଁ ହେଲ ଆଙ୍କୁଲି ନିଗମ ନଗରର ପୁଅ ରାମଚନ୍ଦ୍ର ଓ ତାଙ୍କ ମା ସୀତା ଆମ୍ମା । ରାତିରେ ନିଜ ଭଉଣୀ ଅସୁସ୍ଥ ଥିବା ନେଇ ଖବର ପାଇବା ପରେ ଉଭୟ ତାଙ୍କୁ ଦେଖିବା ପାଇଁ ଏକ ସ୍କୁଟି ସାହାର୍ଯ୍ୟରେ ବଡ଼ ମେଡିକାଲକୁ ଯାଇଥିଲେ । ଘରଠୁ ବଡ଼ ମେଡ଼ିକାଲର ଦୂରତା ମାତ୍ର 6 ରୁ 7 କିଲୋମିଟର । ଏମିତିକି ମେଡ଼ିକାଲ ଆଉ ମାତ୍ର 500 ମିଟର ଯାଇଥିଲେ ଝିଅ ପାଖକୁ ଯାଇଥାନ୍ତେ ଉଭୟ ମାଆ,ପୁଅ । କିନ୍ତୁ ମେଡିକାଲ ସମ୍ମୁଖରେ ଏକ କାର ଧକ୍କା ଦେଇଥିଲା । ଘଟଣାସ୍ଥଳରେ ରାମଚନ୍ଦ୍ରଙ୍କ ମୃତ୍ୟୁ ହୋଇଥିବାବେଳେ ମାଆ ସୀତା ଆମ୍ମା ଗୁରୁତର ଭାବେ ଆହାତ ହୋଇଥିଲେ । ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ତାଙ୍କୁ ମେଡିକାଲରେ ଭର୍ତ୍ତି କରିଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା ।
ମୃତ ସୀତା ଆମ୍ମାଙ୍କ ଦୁଇ ବିବାହିତ ଝିଅ ରହିଥିବାବେଳେ ଏକମାତ୍ର ପୁଅ ରାମଚନ୍ଦ୍ରଙ୍କ ମୃତ୍ୟୁ ହୋଇଛି । ମୃତ ରାମଚନ୍ଦ୍ର ଭଲ ଇଲେକ୍ଚ୍ରିସିଆନ ଭାବେ ସ୍ଥାନୀୟ ଅଞ୍ଚଳରେ ବେଶ ଜଣାଶୁଣା ଓ ଉତ୍ତମ ସ୍ୱଭାବର ବ୍ୟକ୍ତି ଥିବା ସ୍ଥାନୀୟ ଲୋକ କହିଛନ୍ତି । ସେପଟେ ରାମଚନ୍ଦ୍ରଙ୍କ ମୃତ୍ୟୁ ପରେ ତାଙ୍କ ଘରେ ବିଧବା ପତ୍ନୀ ଏବେ ଏକାକୀ।
ଦୁର୍ଘଟଣା ଖବର ପାଇବା ପରେ ବୈଦ୍ୟନାଥପୁର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ଥ ଦୁଇ ଗାଡ଼ିକୁ ଉଦ୍ଧାର କରିଥିଲା । ଏହା ସହ କାରର ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ବେଳେ କାରରେ ବସିଥିବା ଅନ୍ୟ ଜଣେ ବ୍ୟକ୍ତିଙ୍କୁ ପୋଲିସ ଅଟକ ରଖିଛି । ଏଭଳି ଏକ ଦୁର୍ଘଟଣାରେ ଉଭୟ ମା ଓ ପୁଅଙ୍କ ମୃତ୍ୟୁ ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।
ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।