ଗୋଟିଏ ହାତରେ ଜବକାଚ, ଅନ୍ୟ ହାତରେ ତୁଳି । ମନତନ ଦେଇ ଆଗେଇ ଚାଲିଛନ୍ତି ଚିତ୍ର ଆଙ୍କିବାରେ । କିଛି ସମୟ ମଧ୍ୟରେ ଜୀବନ୍ତ ହେଇଯାଉଛି ଛୋଟ ଛୋଟ ଚିତ୍ର ସବୁ । ଚିତ୍ର କାଟୁଥିବା ବ୍ୟକ୍ତି ହେଉଛନ୍ତି ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଗାଁର ମୁନା ମହାରଣା । ପେଶାରେ ଜଣେ ସାଇକଲ ମେକାନିକ ହୋଇଥିବା ବେଳେ ତାଙ୍କର ନିଶା ଚିତ୍ର ଆଙ୍କିବା । ସେ ପୁଣି କାଗଜ କଲମରେ ନୁହେଁ । ଛୋଟ ଛୋଟ ପଦାର୍ଥ ଯେମିତିକି ମୁଗ, ବିରି, ରାଶି ଭଳି ଛୋଟରୁ ଛୋଟ ପଦାର୍ଥ ସହ ଚକ, ପେନସିଲ ମୁନ ଉପରେ ସୁକ୍ଷ୍ମ କାରିଗରୀ ତାଙ୍କୁ ଏବେ ଚର୍ଚ୍ଚାରେ ଆଣିଛି ।
ସେ ଜଣେ ଜଗନ୍ନାଥ ପ୍ରେମୀ ହୋଇଥିବାବେଳେ ଜଗନ୍ନାଥଙ୍କ ବିଭିନ୍ନ ରୂପ ସହ ଚକ୍ ଉପରେ ବିଭିନ୍ନ ମହାପୁରୁଷଙ୍କ ମୁର୍ତ୍ତି କରିଛନ୍ତି ତା ସହ ସାଇକେଲ ପାର୍ଟସରେ ଆଙ୍କିଛନ୍ତି ଜଗନ୍ନାଥଙ୍କ ମୁର୍ତ୍ତି । ତାଙ୍କର ଏକ ଆକର୍ଷଣିୟ ଚିତ୍ର ତୁଳସି ଜଟ ଉପରେ ଜଗନ୍ନାଥ ବଳଭଦ୍ରଙ୍କ ଚିତ୍ର ଏବେ ଇଣ୍ଡିଆ ଓ ଏସିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇଛି । ଯାହାକୁ ନେଇ ସେ ଏବଂ ପରିବାର ଲୋକ ବେସ ଖୁସି ଥିବାବେଳେ ଆଗାମି ଦିନରେ ବିଶ୍ବ ରେକର୍ଡ ପାଇଁ ଲକ୍ଷ ରଖିଥିବା ପ୍ରକାଶ କରିଛନ୍ତି ।
ପିଲା ଦିନରୁ ଅଭାବ ଅନାଟନ ଭିତରେ ଗତି କରି ନିଜେ ଏକ ସାଇକେଲ ଦୋକାନରେ କାମ କରି ପରିବାର ପ୍ରତିପୋଷଣ କରନ୍ତି ମୁନା । ଖାଲି ସମୟରେ ସେ ନିଜର କଳାକୁ ଦେଖାଇବା ସହ ଆଙ୍କିଥାନ୍ତି ସୁକ୍ଷ୍ମ ଚିତ୍ର ସବୁ । ତେବେ ଅତି ସୁନ୍ଦର ଭାବରେ ସୁକ୍ଷ୍ମରୁ ସୁକ୍ଷ୍ମତର ଜିନିଷଗୁଡିକରେ ଜଗନ୍ନାଥଙ୍କ ପ୍ରତିଛବି ତିଆରି କରିଥିବା ବେଳେ ଏହାକୁ ଖାଲି ଆଖିରେ ଦେଖିବା ସମ୍ଭବପର ନୂହେଁ ।
ଅଧିକ ପଢନ୍ତୁ: ଛବିକୁ ଭଲ ପାଉଥିବା ମଣିଷ : ପ୍ରବୀଣ
ଏଭଳି ଜିନିଷରେ ଏତେ ସୁକ୍ଷ୍ମ କାରୁକାର୍ଯ୍ୟ କରି ମୁନା ଅଂଚଳରେ ବେଶ୍ ନାଁ କମାଇଥିବା ବେଳେ ଏହାକୁ ରାଜ୍ୟ ସରକାର କିମ୍ବା ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରୋତ୍ସାହିତ କଲେ ସେ ଆହୁରି ଆଗକୁ ଯାଇ ପାରିବେ ବୋଲି ଆଶା କରିଛନ୍ତି ଗ୍ରାମଵାସୀ। ସୁବର୍ଣ୍ଣପୁର ଜିଲ୍ଲାର କଳାକାର ସବୁବେଳେ କିଛି ନା କିଛି ନୂତନ କରି ଚର୍ଚ୍ଚାକୁ ଆସିଥିବା ବେଳେ ଏବେ ଗ୍ରାମାଞ୍ଚଳରେ ବସବାସ କରୁଥିବା ମୁନା ସୁକ୍ଷ୍ମ ଜିନିଷରେ ବିଭିନ୍ନ କଳାକୃତି କରି ଚର୍ଚ୍ଚାକୁ ଆସିପାରିଛନ୍ତି । ତେବେ ପ୍ରୋତ୍ସାହନ ମିଳିଲେ ଆଗକୁ ଆହୁରି ସୁକ୍ଷ୍ମ କାରୁକାର୍ଯ୍ୟ କରି ଦେଖାଇବା ସହିତ ବିଶ୍ବ ଦରବାରରେ ଜିଲ୍ଲାର ନାଁ ରଖିବେ ନିଶ୍ଚୟ ।
ଓଡିଶା ନ୍ୟୁଜ ଆହୁରି ପଢନ୍ତୁ