ଅର୍ଗସ ବ୍ୟୁରୋ : ବଦଳିବ ନନ୍ଦନକାନନର ରୂପରେଖ । ପରିସର ବଢିବା ସାଙ୍ଗକୁ ବଢିବ ଜୀବଜନ୍ତୁଙ୍କ ସଂଖ୍ୟା । ମୋଟ ୨୫୮୭ ଏକର ଜମିରେ ବିକାଶ କାର୍ଯ୍ୟ ପାଇଁ ନକ୍ସା ପ୍ରସ୍ତୁତ । ନନ୍ଦନକାନନରେ ପର୍ଯ୍ୟଟକ ପାଇବେ ଆଫ୍ରିକୀୟ ସଫାରିର ମଜା । ବୃଦ୍ଧି ପାଇବ ପରିସର, ନନ୍ଦନକାନନ ପ୍ରାଣୀ ଉଦ୍ୟାନର ହେବ ନବକଳେବର । ବର୍ତ୍ତମାନ ୧୦୮୦ ଏକର ଜମିରେ ପରିବେଶିତ ଏହି ପ୍ରାଣୀ ଉଦ୍ୟାନରେ ମିଶିଛି ଆଉ ୧୫୦୭ ଏକର ଜମି । ମୋଟ ୨୫୮୭ ଏକର ଜମିରେ ଏକ ବୃହତ ପ୍ରାଣୀ ଉଦ୍ୟାନ ଛିଡା କରିବା ନେଇ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ହୋଇଛି । ପରିସର ବଢାଇବା ସାଙ୍ଗକୁ ଏହାକୁ ବିଶ୍ଵସ୍ତରୀୟ କରିବା ଲାଗି କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ ରୂପରେଖ ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ କରାଯାଇଛି । ବର୍ତ୍ତମାନ ପ୍ରାଣୀ ଉଦ୍ୟାନ ପରିସରରେ ଥିବା ବାଘ ଏବଂ ସିଂହ ସଫାରିକୁ ଚୂଡଙ୍ଗଗଡକୁ ନିଆଯିବାକୁ ଯୋଜନା କରାଯାଉଥିବା ବେଳେ, ଏଠାରେ ବାଘ ପ୍ରଜନନ କେନ୍ଦ୍ର ନିର୍ମାଣ କରାଯିବାର ଯୋଜନା ରହିଛି ।
ଆଫ୍ରିକୀୟ ପ୍ରାଣୀ ଉଦ୍ୟାନ ଢାଞ୍ଚାରେ ନଜର ଆସିବ ନନ୍ଦନକାନନ ଚିଡିଆଖାନା । ଏଥର ପିଞ୍ଜରା ବଦଳରେ ଅତି ପାଖରୁ ବାଘ, ଭାଲୁ, ସିଂହଙ୍କୁ ଦେଖିପାରିବେ ପର୍ଯ୍ୟଟକ । କେବଳ ବାଘ, ସିଂହ, ହରିଣ, ମୟୂର ନୁହନ୍ତି ନୁଆ ପରିସର ମଧ୍ୟରେ ନୂଆ ହ୍ରଦ ନିର୍ମାଣ କରିବା ସହିତ କୁମ୍ଭୀର ପ୍ରଜନନ କେନ୍ଦ୍ର କରାଯିବାକୁ ମଧ୍ୟ ଯୋଜନା କରାଯାଇଛି । ପର୍ଯ୍ୟଟକ ମାନେ ପୂର୍ବ ଅପେକ୍ଷା ନୂଆ ଅନୁଭୂତି ସାଉଁଟିବା ସହ ନନ୍ଦନକାନନ ପ୍ରାଣୀଉଦ୍ୟାନର ପରିଚୟ ସୃଷ୍ଟି କରିବାକୁ ଯୋଜନା କାର୍ଯ୍ୟକାରୀ କରାଯାଉଛି ।
୧୯୬୦ ମସିହାରେ ମାତ୍ର ୩.୬୨ ବର୍ଗ କିଲୋମିଟର ଅଞ୍ଚଳରେ ପ୍ରତିଷ୍ଠା ହୋଇଥିବା ନନ୍ଦନକାନନ ପ୍ରାଣୀଉଦ୍ୟାନ ଆଜି ବିରାଟ ପରିସରରେ ପରିଣତ ହୋଇଛି । ଦେଶରେ ୭୨ଟି ଚିଡ଼ିଆଖାନା ମଧ୍ୟରୁ ୧୫ଟି ମଧ୍ୟରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ସ୍ଥାନ ପାଇଛି । ଏହାର ନବକଳେବର ସମ୍ପୂର୍ଣ୍ଣ ହେଲେ ପର୍ଯ୍ୟଟକ ସଂଖ୍ୟା ବୃଦ୍ଧି ପାଇବା ସହ ନୁଆ ରେକର୍ଡ ସୃଷ୍ଟି ହେବାର ଆଶା ରହିଛି ।