ଅର୍ଗସ ବ୍ୟୁରୋ : ସାଥୀ ପାଇଁ ଖୁସି ଖବର । ବର୍ଷ ବର୍ଷ ଧରି ଏକା ଥିଲେ। ଏବେ ତା ପାଇଁ ସାଥୀ ଟିଏ ଆସିବ । କେବଳ ଜିରାଫ ଖୁସି ନୁହେଁ ଆଫ୍ରିକୀୟ ସିଂହ ପାଇଁ ବି ଆସିବ ନୂଆ ସାଥୀ । ନନ୍ଦନକାନନରେ ଜୀବଜନ୍ତୁଙ୍କ ବଂଶ ବିସ୍ତାର ହୋଇ ନ ପାରିବା ଏବେ ଚିନ୍ତାର କାରଣ ପାଲଟିଛି । ବହୁ ପଶୁ ପକ୍ଷୀ ଓ ସରିସୃପ ଗୋଟିଏ ଲେଖାଏଁ ଥିବା ଯାଗୁଁ ଏମାନଙ୍କ ବଂଶ ବିସ୍ତାର ହୋଇ ପାରୁନାହିଁ । ଯେଉଁଥିପାଇଁ ଏକାଥିବା ଜନ୍ତୁଙ୍କ ସାଥୀ ଜନ୍ତୁ ଆଣିବା ପାଇଁ ଯୋଜନା କରାଯାଇଛି । ଜିରାଫ ଓ ସିଂହକୁ ଛାଡିଦେଲେ ସାରସ ପକ୍ଷୀ, ବର୍ମା ଅଜଗର, ରେସେଲ୍ସ ଭାଇପର ଭଳି ଜୀବଙ୍କର ମଧ୍ୟ ସାଥୀ ଅଣାଯିବ। ଏଥିପାଇଁ ଅନ୍ୟ ରାଜ୍ୟ ଓ ଅନ୍ତଃରାଷ୍ଟ୍ରୀୟ ଚିଡିଆଖାନା ସହ ଆଲୋଚନା ଚାଲିଥିବା ବେଳେ ଚଳିତ ବର୍ଷ ଶେଷ ସୁଦ୍ଧା ଏହି ପ୍ରକ୍ରିୟା ଶେଷ ହେବ ବୋଲି କହିଛନ୍ତି ନନ୍ଦନକାନନ ଉପ ନିର୍ଦ୍ଦେଶକ ।
ନନ୍ଦନକାନନରେ କିଛି ବିରଳ ଜନ୍ତୁ ନଥିବା ବେଳେ ଆଉ କିଛି ଲୋପ ପାଇ ଗଲେଣି । ତେଣୁ ଲୋପ ପାଇଥିବା ଜନ୍ତୁଙ୍କୁ ପୁଣି ଥରେ ଆଣିବା ପାଇଁ ଚେଷ୍ଟା କରାଯାଉଛି । ବିଶେଷ କରି ସିଂହ ଲାଞ୍ଜି , ଓରାଙ୍ଗଓଟାଙ୍ଗ , ନୀଳଗିରି ହନୁ, ଗଣ୍ଡା ଓ କଳା ଚିତାବାଘ ଅଣାଯିବା ପାଇଁ ବିଚାର କରାଯାଉଛି । କିଛି ଦିନ ତଳେ କେନ୍ଦ୍ରୀୟ ଚିଡିଆଖାନା କର୍ତ୍ତୃପକ୍ଷ ନନ୍ଦନକାନନ ଗସ୍ତରେ ଆସିଥିଲେ । ଏହି ଜନ୍ତୁଙ୍କୁ କିପରି ଓଡିଶା ଅଣାଯିବ ସେ ନେଇ ତାଙ୍କ ସହ ଆଲୋଚନା କରିଛନ୍ତି ନନ୍ଦନକାନନ କତୃପକ୍ଷ। ନୂଆ ଜନ୍ତୁ ଆସିଲେ ନନ୍ଦନକାନନ ବୁଲିବାରେ ଅଧିକ ଆନନ୍ଦ ମିଳିବ ବୋଲି ପ୍ରତିକ୍ରିୟା ରଖିଛନ୍ତି ପର୍ଯ୍ୟଟକ ।
ପୂର୍ବରୁ ଅନେକ ଥର ବାହାର ରାଜ୍ୟରୁ ଜନ୍ତୁଙ୍କୁ ଆଣିବା ପାଇଁ ଚେଷ୍ଠା କରାଯାଥିଲେ ମଧ୍ୟ ତାହା ସଫଳ ହୋଇ ନାହିଁ । ଏବେ ଏହି ଯୋଜନା କେତେ ସତ ହେଉଛି ତାହା ଉପରେ ନଜର ।