ଆମ ଦେଶରେ ରହିଛି ୭୫୧୭ କିଲୋମିଟର ପରିବ୍ୟାପ୍ତ ସମୁଦ୍ର । ତାର ଉପକୂଳରେ ଗଢି ଉଠିଛି ୯ଟି ରାଜ୍ୟ । ୧୩୮୨ ଦୀପ ସମେତ ଦେଶରେ ରହିଛି ୧୨ ଟି ବଡ଼ ବନ୍ଦର ସାଙ୍ଗକୁ ୧୮୭ଟି ଅଣବୃହତ ବନ୍ଦର । ଏସବୁ ବନ୍ଦର ଗୁଡିକରେ ବାର୍ଷିକ ୧୪୦୦ ନିୟୁତ ଟନ୍ ପଣ୍ୟ ପରିବହନ ହୋଇଥାଏ । ଭାରତର ୯୫ ପ୍ରତିଶତ ବ୍ୟବସାୟ ଜଳପଥରେ ହେଉଥିବାରୁ ବୁଝିପାରୁଥିବେ ସମୁଦ୍ରର ଅବଦାନ । କେବଳ ସେତିକି ନୁହଁ ମୋଟ ଜନସଂଖ୍ୟାର ୨୦ ପ୍ରତିଶତ ଲୋକ ଉପକୂଳର ବାସିନ୍ଦା ହୋଇଥିବାବେଳେ ୪ ନିୟୁତ ମତ୍ସଜୀବୀ ଜୀବିକା ପାଇଁ ସାଗର ବକ୍ଷକୁ କରିଥାନ୍ତି ଆଶା । ଏହି ନୀଳ ଅର୍ଥନୀତି ସହିତ ଦେଶର ଅର୍ଥନୈତିକ ଅଭିବୃଦ୍ଧି ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ସମ୍ପର୍କ ରହିଥିବା କହିଛନ୍ତି କେନ୍ଦ୍ର ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୁପେନ୍ଦ୍ର ଯାଦବ । ପୋଷଣୀୟ ଉପକୂଳ ପରିଚାଳନାକୁ ନେଇ ଭୁବନେଶ୍ୱରରେ ଆୟୋଜିତ ଦୁଇ ଦିନିଆ ଜାତୀୟ ସମ୍ମିଳନୀରେ ଯୋଗଦେବାକୁ ଆସିଥିବା ମନ୍ତ୍ରୀ ଭୁପେନ୍ଦ୍ର ଯାଦବ ବେଳାଭୂମିକୁ ପ୍ଲାଷ୍ଟିକ ମୁକ୍ତ କରିବା ପାଇଁ କେନ୍ଦ୍ର ସରକାର ସ୍ଵଚ୍ଛ ସାଗର ସୁରକ୍ଷିତ ସାଗର ଯୋଜନା ହାତକୁ ନେଇଥିବା ସୁଚାଇଥିଲେ ।
ଦିନେ ସମୃଦ୍ଧି ଆଣୁଥିଲା ସାଗର । ଏବେ ଆଣୁଛି ବିପର୍ଯ୍ୟୟ । ନିୟମିତ ବ୍ୟବଧାନରେ ବନ୍ୟା ବାତ୍ୟା ସୁନାମିର ପ୍ରକୋପ ଦେଖିବାକୁ ମିଳୁଛି । ଜଳବାୟୁ ପରିବର୍ତ୍ତନ ଜନିତ ପ୍ରଭାବରେ ପ୍ରାକୃତିକ ବିପତ୍ତିର ସଂଖ୍ୟା ଓ ତୀବ୍ରତା ବଢ଼ିବାରେ ଲାଗିଛି ବୋଲି ସମ୍ମିଳନୀରେ ଯୋଗଦେବା ଅବସରରେ କହିଛନ୍ତି କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଅଶ୍ୱିନୀ ଚୌବେ ।
ସେ କହିଛନ୍ତି ଯେ ଜଳବାୟୁ ପରିବର୍ତ୍ତନ ପ୍ରଭାବରେ ବିଗିଡ଼ିବାରେ ଲାଗିଛି ପରିବେଶ । ବାର୍ଷିକ ୨ ଟ୍ରିଲିୟନ ସାମୁଦ୍ରିକ କାରବାରକୁ ଅଧିକ ବିକଶିତ କରିବାକୁ ସରକାର ପ୍ରୟାସ କରୁଥିବା କହିଛନ୍ତି ଅଶ୍ୱନୀ । ପୁରୀ ସମେତ ୧୦ଟି ବେଳାଭୂମିକୁ ବ୍ଲୁ ଫ୍ଲାଗ ମାନ୍ୟତା ମିଳିଥିବା କହିଥିଲେ ଚୌବେ । ରାଜ୍ୟ ଜଙ୍ଗଲ ,ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ପ୍ରଦୀପ ଅମାତ ଉପକୂଳର ସୁରକ୍ଷାପାଇଁ ଆବଶ୍ୟକୀୟ ଭିତ୍ତିଭୂମି ବିକାଶ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିବା ସୂଚନା ଦେବା ସହିତ ୨୦୧୦ରେ ସମନ୍ବିତ ଉପକୂଳ ପରିଚାଳନା ପ୍ରକଳ୍ପରେ ୨୯୩ କୋଟି ବ୍ୟୟରେ ପାରାଦୀପ ଠାରୁ ଧାମରା ଓ ଗୋପାଳପୁର ଠାରୁ ଚିଲିକା ଯାଏଁ ୧୯୮ କିମି ରାସ୍ତା ନିର୍ମିତ ହୋଇଥିବା ସୂଚନା ଦେଇଥିଲେ ।
ଆୟୋଜିତ ଏହି ଦୁଇଦିନିଆ ସମ୍ମିଳନୀରେ ବିଭିନ୍ନ ରାଜ୍ୟରୁ ବହୁ ପଦାଧିକାରୀ ଯୋଗଦେଇ ଦେଶରେ ଦୀର୍ଘସ୍ଥାୟୀ ଉପକୂଳ ପରିଚାଳନା ସମ୍ପର୍କରେ ମତ ବିନିମୟ କରିଛନ୍ତି । ଉପକୂଳ କ୍ଷେତ୍ରର ସହନଶୀଳତା ,ସ୍ଥାୟୀତ୍ୱ ଓ ବିକାଶ ଅଵଧାରଣା ନିମନ୍ତେ ଏଭଳି ସମ୍ମିଳନୀର ପରିକଳ୍ପନା କରାଯାଇଥିବା କହିଛନ୍ତି ପିସିସିଏଫ ଦେବୀଦତ୍ତ ବିଶ୍ୱାଳ ଏବଂ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ଅତିରିକ୍ତ ସଚିବ ରିଚା ଶର୍ମା । ଏହି ସମ୍ମିଳନୀରେ ଉପକୂଳ ଜୀବିକା ଓ ନୀଳ ଅର୍ଥନୀତି ,ସାମୁଦ୍ରିକ ଜୈବ ବିବିଧତା ସୁରକ୍ଷା ,ସଂରକ୍ଷଣ ଓ ଉପକୂଳ ତଥା ସାମୁଦ୍ରିକ ପ୍ରଦୂଷଣ ବାବଦରେ ବ୍ୟାପକ ଚିନ୍ତନ କରାଯାଉଛି ।