ଖାଲି ବିଶ୍ବବିଦ୍ୟାଳୟ ନୁହେଁ ରାଜ୍ୟର ଅନେକ ପ୍ରତିଷ୍ଠିତ ସରକାରୀ କଲେଜ ମଧ୍ୟ NIRF ୧୦୦ ରାଙ୍କିଙ୍ଗରେ ସାମିଲ ହେବାରେ ବିଫଳ ହୋଇଛନ୍ତି । ଉତ୍ତମ ଭିତ୍ତିଭୂମି ହେଉ କି ଅଧ୍ୟାପକ ଏପରିକି ରିସର୍ଚ୍ଚ ସ୍କଲାରଙ୍କ ମାମଲାରେ ରାଜ୍ୟର ଶିକ୍ଷାନୁଷ୍ଠାନଗୁଡ଼ିକର ଜାତୀୟ ରାଙ୍କିଙ୍ଗରେ ଧଜ୍ଜିଆ ଉଡ଼ୁଛି । ତେବେ ଭିତ୍ତିଭୂମି ସଜାଡ଼଼ିବା ନାଁରେ ସରକାରଙ୍କ କୋଟିକୋଟି ଟଙ୍କା ଯାଉଛି କୁଆଡ଼େ ? ଶିକ୍ଷାନୁଷ୍ଠାନଗୁଡ଼ିକ ମାନ ବୃଦ୍ଧି କ୍ଷେତ୍ରରେ ରାଜ୍ୟ ସରକାର କାହିଁକି ବିଫଳ ? ଶିକ୍ଷାର ଗୁଣବତ୍ତା ବୃଦ୍ଧିରେ କେଉଁଠି ରହୁଛି ଅସୁବିଧା ?
କାହିଁକି ଆମେ ରିସର୍ଚ୍ଚ ସ୍କଲାର ସୃଷ୍ଟି କରିବାରେ ବିଫଳ ? କାହିଁକି ରିସର୍ଚ୍ଚ କ୍ଷେତ୍ରରେ ଓଡ଼ିଶା ଏତେ ପଛୁଆ ? ଯଥାଶୀଘ୍ର ରାଜ୍ୟ ସରକାର ଏସବୁ ପ୍ରଶ୍ନର ଉତ୍ତର ନଖୋଜିଲେ ଆଗାମୀ ଦିନରେ ରାଜ୍ୟର ଶିକ୍ଷା ବ୍ୟବସ୍ଥା ରସାତଳକୁ ଯିବା ନିଶ୍ଚିତ । ଖାଦ୍ୟ, ବସ୍ତ୍ର, ବାସଗୃହ ପରେ ମଣିଷର ସର୍ବନିମ୍ନ ଆବଶ୍ୟକତା ହେଉଛି ଶିକ୍ଷା ଓ ସ୍ବାସ୍ଥ୍ୟ । ହେଲେ ପ୍ରାଥମିକ ଶିକ୍ଷାର ଦୁର୍ଗତି ଗଦାଗଦା ଚିତ୍ର ପ୍ରତିଦିନ ସାମ୍ନାକୁ ଆସୁଥିବା ବେଳେ ଏବେ NIRF ରାଙ୍କିଙ୍ଗରେ ଦୁର୍ଦ୍ଦଶା ଉଚ୍ଚଶିକ୍ଷା ବିଭାଗରେ ଚାଲିଥିବା ଭବିଷ୍ୟତ ଗଢ଼ା ଅଭିଯାନ ପ୍ରତି ଶକ୍ତ ଧକ୍କା ହୋଇ ଉଭା ହୋଇଛି ।